ନିଶ୍ଚିନ୍ତକୋଇଲି: ଶିକ୍ଷାକୁ ସାର୍ବଜନୀନ କରାଇବା ନିମନ୍ତେ ଓ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରାଇବା ପାଇଁ ସରକାରଙ୍କ ପକ୍ଷରୁ ମାଗଣା ପୋଷାକ, ମଧ୍ୟାହ୍ନଭୋଜନ, ପୁସ୍ତକ ଆଦି ଯୋଗାଇ ଦିଆଯାଉଛି। ବିଦ୍ୟାଳୟକୁ ସର୍ବାଙ୍ଗସୁନ୍ଦର କରିବା ନିମନ୍ତେ ରାଜ୍ୟ ସରକାର ଓ ଗଣଶିକ୍ଷା ବିଭାଗ ଲକ୍ଷଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ବ୍ଳକ୍‌ସ୍ତରରେ ବ୍ଲକ୍ ଶିକ୍ଷାଅଧିକାରୀ, ଅତିରକ୍ତ ବ୍ଲକ୍ ଶିକ୍ଷାଅଧିକାରୀ, ସିଆର୍‌ସିସିମାନେ ତଦାରଖ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ଏପରିସ୍ଥଳେ ନିଶ୍ଚିନ୍ତକୋଇଲି ବ୍ଳକ ତିଳକଣା ପଞ୍ଚାୟତ ଦେମାଣ୍ଡୋସ୍ଥିତ ଚନ୍ଦ୍ରଶେଖର ନୋଡାଲ୍‌ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୮ଟି ଶ୍ରେଣୀ ନିମନ୍ତେ ୩ଜଣ ଶିକ୍ଷୟିତ୍ରୀ ଥିବା ଅଭିଯୋଗ ହୋଇଛି।

Advertisment

ସୂଚନାରୁ ପ୍ରକାଶ, ଚନ୍ଦ୍ରଶେଖର ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ୧୮୯୨ ମସିହାରେ ସ୍ଥାପନ କରାଯାଇଥିଲା। ବିଦ୍ୟାଳୟରେ ଥିବା ୮ଟି ଶ୍ରେଣୀରେ ବର୍ତ୍ତମାନ ୬୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।  ପଦୋନ୍ନତି ପରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସରସ୍ବତୀ ଦାସ ଅନ୍ୟତ୍ର ବଦଳି ହୋଇ ଚାଲିଯାଇଥିବା ବେଳେ ତାଙ୍କ ବଦଳରେ ବିଦ୍ୟାଳୟକୁ ଏପର୍ଯ୍ୟନ୍ତ କେହି ଶିକ୍ଷକ ଆସି ନାହାନ୍ତି। ସେହିପରି ବିଦ୍ୟାଳୟରେ କେହି ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି। ୩ ଜଣ ଶିକ୍ଷୟିତ୍ରୀଙ୍କୁ ନେଇ ବିଦ୍ୟାଳୟଟି ଚାଲିଛି।

୮ଟି ଶ୍ରେଣୀକୁ ୩ ଜଣ ଶିକ୍ଷୟିତ୍ରୀ କିପରି ଶିକ୍ଷାଦାନ କରୁଥିବେ ତାହା ସହଜେ ଅନୁମେୟ। ବିଦ୍ୟାଳୟ ଚାରିପଟେ ପାଚେରି ନଥିବା କାରଣରୁ ଅନେକ ସମୟରେ ବିଦ୍ୟାଳୟ ପରିସରକୁ ବୁଲା ଗାଈଗୋରୁ, ଛେଳିମେଣ୍ଢା ପଶି ଆସୁଛନ୍ତି। ଅସାମାଜିକ ଯୁବକମାନେ ଅବାଧରେ ପରିସର‌ରେ ପଶି ଆଡ଼ା ଜମାଉଛନ୍ତି। ବିଦ୍ୟାଳୟରେ ପାନୀୟଜଳର ସୁବନ୍ଦୋବସ୍ତ ନଥିବାରୁ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍କୁଲର ଉତ୍ତମ ପରିଚାଳନା ଓ ସଠିକ୍ ଶିକ୍ଷାଦାନ ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ସ୍କୁଲ୍‌ରେ ପରିଚାଳନା କମିଟି ଗଠନ କରାଯିବାର ବ୍ୟବସ୍ଥା ଥିବା ବେଳେ ଏହି ବିଦ୍ୟାଳୟରେ ଏପର୍ଯ୍ୟନ୍ତ ପରିଚାଳନା କମିଟି ଗଠନ କରାଯାଇ ପାରି ନାହିଁ। ଯାହାଫଳରେ ସ୍କୁଲ୍‌ର ସମସ୍ୟା ସମାଧାନରେ ଅନ୍ତରାୟ ସୃଷ୍ଟି ହେଉଛି। ଅପରପକ୍ଷରରେ ଶିକ୍ଷକ-ଶିକ୍ଷୟିତ୍ରୀ ଅଭାବ ହେତୁ ଏହି ବିଦ୍ୟାଳୟରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ତୁରନ୍ତ ସ୍ଥାନୀୟ ବିଧାୟକ ଓ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଏଥିରେ ହସ୍ତକ୍ଷେପ କରି ଏହି ବିଦ୍ୟାଳୟର ସମସ୍ୟା ସମାଧାନ ନିମନ୍ତେ ସାଧାରଣରେ ଦାବି ହୋଇଛି।