ସ୍କୁଲ ଦେଇ କୋଭିଡ କେୟାର ସେଣ୍ଟର ଯାଉଛନ୍ତି ପରିବାର ଲୋକ: ଶିକ୍ଷକ ମାନଙ୍କ ଖାତା ଦେଖା ବର୍ଜନ ଧମକ, ଶିକ୍ଷକଙ୍କ ସହ ମୁହାଁମୁହିଁ ପରିସ୍ଥିତି 

ଭଞ୍ଜନଗର: ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆଜି ଶିକ୍ଷକ ଏବଂ କୋଭିଡ କେୟାରରେ ଥିବା ଅନ୍ତେବାସୀଙ୍କ ପରିଜନ ଭିତରେ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି। ଏନେଇ ମାଟ୍ରିକ୍‌ ଖାତା ଦେଖାରେ ନିୟୋଜିତ ଥିବା ଶିକ୍ଷକ ମାନେ ଖାତା ଦେଖା ବନ୍ଦ କରି ସ୍କୁଲ ସାମ୍ନାକୁ ଆସି ଏହାର ସମାଧାନ ନେଇ ହୋହାଲ୍ଲା କରିଥିଲେ। ଏହାସହ ସମୂହ ଖାତା ଦେଖା ବର୍ଜନ କରିବା ନେଇ ଧମକ ଦେଇଥିଲେ। ବିଦ୍ୟାୟଳରେ ବର୍ତ୍ତମାନ ମାଟ୍ରିକ୍‌ ଖାତା ଦେଖା ଆସନ୍ତା ୨୬ ତାରିଖ ଠାରୁ ଆରମ୍ଭ ହୋଇଛି।

ପ୍ରତିଦିନ ଖାତା ଦେଖାରେ ନିୟୋଜିତ ଥିବା ପ୍ରାୟ ୨ ଶହ ଶିକ୍ଷକ ଏଠାକୁ ଆସି ଖାତା ଦେଖା କାର୍ଯ୍ୟ କରିନ୍ତି। ସ୍କୁଲ ପରିସରରେ ଥିବା ଏସ୍‌ସି ଏସ୍‌ଟି ଛାତ୍ରୀ ନିବାସକୁ କୋଭିଡ କେୟାର କେନ୍ଦ୍ର କରାଯାଇଛି। ଏଠାରେ କରୋନା ସଂକ୍ରମିତ ଏବଂ ସନ୍ଦିଗ୍ଧ ମାନଙ୍କୁ ଅଣାଯାଇ ‌ଏଠାରେ ରଖାଯାଉଛି। ତେବେ ସେମାନଙ୍କୁ ଦାୟିତ୍ବରେ ଥିବା ସ୍ବାସ୍ଥ କର୍ମୀ ଓ କର୍ମଚାରୀ ଛଡା ଆଉ କାହକୁ ‌ସେଠାକୁ ଯିବା ସଂପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଅବାଧରେ ସେଠାରେ ରହୁଥିବା ଅନ୍ତେବାସୀ ମାନଙ୍କ ପାଇ ଖାଇବା ଜିନିଷ ନେଇ ପରିବାର ପରିଜନ ଆସି ଅନାୟସରେ ସେମାନଙ୍କୁ ଦେଉଥିବା ଅଭିଯୋଗ ହୋଇଛି।

ତେବେ ‌ଖାତା ଦେଖିବାକୁ ଆସୁଥିବା ଶିକ୍ଷକ ମାନଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ସ୍କୁଲର ଫାଟକ ପରିବର୍ତ୍ତେ ପାଚେରୀ ଭାଙ୍ଗି କୋଭିଡ କେୟାର୍‌ କେନ୍ଦ୍ରକୁ ଯିବା ପାଇଁ ଅନ୍ୟ ଏକ ଫାଟକ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିଲା। ଏହାସହ ମୁଖ୍ୟ ସଡକରେ ଉଭୟ ଫାଟକ ମଝିରେ ବାଉଁଶ ବାଡ ତିଆରି କରାଯାଇଛି। ଏହାପରେ ମଧ୍ୟ ସ୍କୁଲ ଫାଟକ ଦେଇ କ‌ୋଭିଡ କେୟାର୍ କେନ୍ଦ୍ରରେ ଥିବା ‌ଅନ୍ତେବାସୀଙ୍କୁ ସୁଖିଲା ଖାଦ୍ୟ ଦେବା ପାଇଁ ବହୁ ଲୋକ ଯିବା ସହ କିଛି କର୍ମଚାରୀ ମଧ୍ୟ ଏହି ରାସ୍ତାକୁ ବ୍ୟବହାର କରୁଥିବା ଶିକ୍ଷକ ମାନେ ଅଭିଯୋଗ କରିଛନ୍ତି। ଏହାସହ କିଛି ସ୍ଥାନିୟ ଲୋକ ମଧ୍ୟ ମୁଖ୍ୟ ରାସ୍ତା ବନ୍ଦ ଥିବା ଯୋଗୁ ବିଦ୍ୟାଳୟ ଫାଟକ ଦେଇ କୋଭିଡ ଫାଟକ ରେ ବାହରକୁ ଯିବା ଆସିବା କରିବା ପାଇଁ ବ୍ୟବହାର କରୁଥି‌ବା ଶିକ୍ଷକ ମାନେ ପ୍ରକାଶ କରିଛନ୍ତି।

କୋଭିଡ କେୟାର କେନ୍ଦ୍ରକୁ ପାଖକୁ ଯିବା ପାଇଁ ସଂପୂର୍ଣ୍ଣ ବାରଣ କରାଯାଇଥିଲେ ସୁଦ୍ଧା ପରିବାର ଲୋକ ମ‌ାନ‌େ କିଭଳି ଖାଇବା ସାମଗ୍ରୀ ନେଇ ଯାଇପାରୁଛନ୍ତି ତାହା ବିରାଟ ପ୍ରଶ୍ନ ସୃଷ୍ଟି କରିଛି। କୋଭିଡ କେୟାର ଆସୁଥିବା ଲୋକ ମାନଙ୍କ ଠାରେ ସଂକ୍ରମଣର ସମ୍ଭାବନା ଯଥେଷ୍ଟ ପରିମାଣର ରହିଥିବାରୁ ଶିକ୍ଷକ ମାନେ ନିଜକୁ ସୁରକ୍ଷିତ ମଣୁ ନଥିବା ପ୍ରକାଶ କରିଛନ୍ତି। ସେମାନେ ଛାତ୍ରୀ ନିବାସ ‌ଓ ସ୍କୁଲ ସଂଲଗ୍ନ ରାସ୍ତାକୁ ବନ୍ଦ କରିବା ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି।

ଆଜି ଖାତା ଦେଖା ଆରମ୍ଭ ହେବା ସମୟରେ କିଛି ବ୍ୟକ୍ତି ସ୍କୁଲ ଫାଟକ ଦେଇ କୋଭିଡ କେୟାର କେନ୍ଦ୍ରକୁ ଯାଉଥିବା‌ ବେଳେ ଶିକ୍ଷକ ଶଙ୍କର ପ୍ରସାଦ ପଟ୍ଟନାୟକ ସେମାନଙ୍କୁ ଅଲଗା ରାସ୍ତା ଦେଇ ଯିବା ‌ପାଇଁ ସେମାନଙ୍କୁ ‌କହିଥିଲେ। ସେହି ଲୋକ ମାନେ ଶିକ୍ଷକଙ୍କ ସହ ଯୁକ୍ତିତର୍କ କରିବା ସହ ସେହି ରାସ୍ତା ଦେଇ ଯିବା ପାଇଁ ଜିଦ୍‌ ଧରିଥିଲେ। ଏହାପରେ ଖାତା ଦେଖା ପାଇଁ ଆସୁଥିବା ଶିକ୍ଷକ ଓ ସଂପୃକ୍ତ ଲୋକ ମାନଙ୍କ ଭିତରେ ଏକ ପ୍ରକାର ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। କିଛି ଶିକ୍ଷକ ସେହି ସ୍ଥାନକୁ ଆସି ଯିବାରୁ ଝଗଡା କରୁଥିବା ଲୋକ ମାନେ ସେହି ସ୍ଥାନ ଛାଡି ଚାଲିଯାଇଥିଲେ।

ଶିକ୍ଷକ ମାନେ ଏହାର ସ୍ଥାୟି ସମାଧାନ ନହେଲେ ଖାତା ଦେଖା ବର୍ଜନ କରିବ‌େ ବୋଲି କହିଥିଲେ। ଏହାପରେ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ପ୍ରଧାନ ଶିକ୍ଷକମାନଙ୍କୁ ବୁଝାଶୁଝା କରିବା ସହ ଏସଂର୍ପକ‌ରେ ଫୋନ ଯୋଗେ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଉପଜିଲ୍ଲାପାଳ ଏହି ସମସ୍ୟାର ଶ୍ରୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଶିକ୍ଷକ ମାନ‌େ ଖାତା ଦେଖା କାର୍ଯ୍ୟ ପୁଣି ଆରମ୍ଭ କରିଥିଲେ। ଏସଂର୍ପକରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ କହିଛନ୍ତି କୋଭିଡ କେୟାର କେନ୍ଦ୍ରରେ ନିୟୋଜିତ ଥିବା କର୍ମଚାରୀଙ୍କୁ ବାଦ ଦେଲେ ଅନ୍ୟ କାହରିକୁ ମଧ୍ୟ ଯିବା ପାଇଁ ଅନୁମତି ଦିଆଯାଇନାହିଁ। ଏଭଳି ଅଭି‌ଯୋଗ ଆସିବା ପରେ ଉଭୟ ଫାଟକକୁ ତାଲା ବନ୍ଦ କରିବା ପାଇଁ ନିଷ୍ପତି ନିଆଯିବା ସହ ସୁରକ୍ଷା କର୍ମୀ ଗେଟ୍‌ ସମ୍ମୁଖରେ ଉପସ୍ଥିତ ରହିବା ପାଇଁ କୁହାଯାଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର