କେନ୍ଦ୍ରାପଡ଼ା/ରାଜନଗର/ଗରଦପୁର/ମାର୍ଶାଘାଇ/ପଟ୍ଟାମୁଣ୍ଡାଇ: ବାତ୍ୟା ‘ଜଵାଦ’ ପ୍ରଭାବରେ ଜିଲ୍ଳାରେ ଧାନ ଫସଲ ଉଜୁଡ଼ି ଯାଇଛି। ଚାଷୀ ମୁଣ୍ତରେ ହାତ ଦେଇ ବସିଥିବା ବେଳେ ଆଜି କେନ୍ଦ୍ରୀୟ ଟିମ୍‌ କେନ୍ଦ୍ରାପଡ଼ାରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। ଜିଲ୍ଲାର ଚାରିଟି ତହସିଲ୍‌ ଅ˚ଚଳର ବିଭିନ୍ନ ଗାଁକୁ ଯାଇ ଉଜୁଡ଼ା ଧାନ ଓ ପନିପରିବା କ୍ଷେତ ସ୍ଥିତି ଅନୁଧ୍ୟାନ କରିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ ଆଲୋଚନା କରିଛନ୍ତି। ପଟ୍ଟାମୁଣ୍ତାଇ, ରାଜନଗର, ମାର୍ଶାଘାଇ ଏବ˚ ଗରଦପୁର ତହସିଲ୍‌ ଅ˚ଚଳରେ କେନ୍ଦ୍ରୀୟ ଟିମ୍‌ ଏହି କ୍ଷୟକ୍ଷତି ଆକଳନ କରି ଅପରାହ୍ନରେ ଫେରି ଯାଇଥିବା ସୂଚନା ମିଳିଛି। ଦିଲ୍ଲୀରୁ ଆଜି ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ରୀୟ ଟିମ୍‌ ସିଧା କେନ୍ଦ୍ରାପଡ଼ା ଗସ୍ତରେ ଆସିଥିଲେ। ଦୁଇ କେନ୍ଦ୍ରୀୟ ଅଧିକାରୀ ମତ୍ସ୍ୟ ବିଭାଗର ଡକ୍ଟର ମାନସ କୁମାର ସିହ୍ନା ଓ ପରିବହନ ବିଭାଗର ସହକାରୀ ଯନ୍ତ୍ରୀ ଶାଶ୍ବତ କୁମାର ମହାପାତ୍ରଙ୍କ ସହିତ ଥିଲେ ରାଜ୍ୟ ମୃତ୍ତି ସ˚ରକ୍ଷଣ ନିର୍ଦେଶକ ହେମନ୍ତ କୁମାର ପଣ୍ତା ଓ କୃଷି ବିଭାଗର ଯୁଗ୍ମ ନିର୍ଦେଶକ ବ୍ରଜକିଶୋର ଲେଙ୍କା। ପୂର୍ବାହ୍ନରେ କେନ୍ଦ୍ରାପଡ଼ା ସର୍କିଟ୍‌ ହାଉସ୍‌ରେ ପହଞ୍ଚିବା ପରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀ ବୃନ୍ଦ ଟିମ୍‌ରେ ଆସିଥିବା ଚାରି ପ୍ରତିନିଧିଙ୍କୁ ସ୍ବାଗତ କରିଥିଲେ। ଏହାପରେ ପ୍ରତିନିଧି ଦଳ ପଟ୍ଟାମୁଣ୍ତାଇ ତହସିଲ୍‌ ଅ˚ଚଳ ଗସ୍ତ କରି ପଟ୍ଟାମୁଣ୍ତାଇ ଚଢେ଼ୟା, ବିଲିକଣା, ତେରୋଇ, କଜଳାବ˚ଧ, ଦୋଷିଆ, ଆନନ୍ଦପୁର, ଓଉପଦା, ସ˚ସାରଫଳ ଆଦି ଅ˚ଚଳ ପରିଦର୍ଶନ କରି ଧାନ ଫସଲ କ୍ଷୟକ୍ଷତି ଆକଳନ କରିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ସେଠାରୁ ରାଜନଗର ଯାଇଥିଲେ, ଯେଉଁଠି ସର୍ବାଧିକ ଧାନ ଫସଲ ନଷ୍ଟ ହୋଇଥିବା କୁହାଯାଉଛି। ପ୍ରତିନିଧି ଦଳ ପଟ୍ଟାମୁଣ୍ତାଇରୁ ରାଜନଗରରେ ପହଞ୍ଚିବା ପରେ ଓସ୍ତିଆ, ମଧୁପୁର, ରାଜନଗର, ବ୍ରାହ୍ମଣସାହି ଯାଇଥିଲେ। ସେଠାରେ କ୍ଷେତରେ ଧାନ ଫସଲର ଶୋଚନୀୟ ସ୍ଥିତି ଅନୁଧ୍ୟାନ କରିବା ପରେ କେନ୍ଦ୍ରାପଡ଼ା ଫେରି ଆସିଥିଲେ। ଏଠାରେ ମଧ୍ୟାହ୍ନଭୋଜନ ସାରି ୫ନମ୍ବର(କ)ଜାତୀୟ ରାଜପଥର ମାର୍ଶାଘାଇ କ୍ରସିଂରେ ପହଞ୍ଚିଥିଲେ। ଅଙ୍ଗୁଳାଇ-ଓରତ ରାସ୍ତାର ପସ୍ତା ଛକରୁ ବାଲିସାହି-ଶାସନ, ଡଅଁରମୁଣ୍ତ, ଶିଲିପୁର ଦେଇ ଜାତୀୟ ରାଜପଥରେ ହଳଦିଆଗଡାରୁ ନୂଆପଡା ପର୍ଯ୍ୟନ୍ତ ଯାଇ ଫେରିଯାଇଥିଲେ। ଯିବା ବାଟରେ ଜିଲ୍ଲା ବିଜୁ କୃଷକ ମୋର୍ଚ୍ଚା ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଦାସ କ୍ଷୟକ୍ଷତି ସଂପର୍କରେଟିମ୍‌ର ଦୃଷ୍ଟି ଆକର୍ଷଣ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ।

Advertisment

ଅନ୍ୟପଟେ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରସ୍ତୁତ ରୁଟ୍‌ ଚାର୍ଟ ଯୋଗୁ ପ୍ରଭୂତ କ୍ଷତି ଘଟିଥିବା ବ୍ଲକର ବଉଦପାଟ, ମିଳିମିଳାପାଟ, ଗହଗାପାଟ, ବଛରାଇର ବାଁଦେଇପାଟ, ବାରମାଣିଆପାଟ, ପେଣ୍ଠର ବାଳିଆପାଟ ଆଦି ଅଂଚଳ ଦେଖିବା ସମ୍ଭବ ହୋଇପାରିଲା ନାହିଁ ବୋଲି ଶ୍ରୀ ଦାସ କ୍ଷୋଭ ପ୍ରକାଶ କରିଥିଲେ। ବାଲିସାହି-ଶାସନ ଓ ଡଅଁରମୁଣ୍ତଠାରେ କେତେକ ଚାଷୀ ପଚି ଯାଇଥିବା ଧାନ ଦେଖାଇଥିଲେ। ବିଭିନ୍ନ ସ୍ଥାନରେ ଅଙ୍ଗୁଳାଇ ସରପଞ୍ଚ ପ୍ରତିନିଧି ମାଧବାନନ୍ଦ ପାତ୍ର ଓ ଶିଳିପୁର ସରପଞ୍ଚ ଯୁଗଳ କିଶୋର ଦାସ, ମନୋଜ ପରିଡା ପ୍ରମୁଖ କ୍ଷୟକ୍ଷତି ସଂପର୍କରେ ଟିମ୍‌କୁ ଅବଗତ କରାଇଥିଲେ। ଏଠାରୁ ଫେରି ଗରଦପୁର ବ୍ଲକ୍‌ର ବିଭିନ୍ନ ପ୍ରଭାବିତ ଧାନ ଫସଲ ଦେଖିଥିଲେ। ଏହି ବ୍ଲକ୍‌ ବେଡ଼ାରୀ ପଞ୍ଚାୟତର ମଇଁଷି ଗୋଠ ଚକ, ବାଘତୈଳ ଚକ, ଗହୀର ପାଟ, ଛକିତା, କୂଳଚକ, ଗୋତ୍ରବିଲ, ନୂଆପଡ଼ା ଆଦି ଗ୍ରାମର କ୍ଷତିଗ୍ରସ୍ତ ଫସଲ ସମ୍ପର୍କରେ ଚାଷୀମାନେ କେନ୍ଦ୍ରୀୟ ଟିମ୍‌କୁ ଅବଗତ କରାଇଥିଲେ। ପଦ୍ମପୁର ପୂର୍ବତନ ସମିତି ସଭ୍ୟ ଭଜହରି ସେନାପତି, ବେଡ଼ାରୀ ସରପଞ୍ଚ ଗୋକୁଳାନନ୍ଦ ବେହେରା, ପୂର୍ବତନ ସରପଞ୍ଚ ରବୀନ୍ଦ୍ରନାଥ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। କ୍ଷୟକ୍ଷତି ଆକଳନ କରିଥିବା ଏହି କେନ୍ଦ୍ରୀୟ ଟିମ୍‌ କେନ୍ଦ୍ର ସରକାରଙ୍କୁ ବାତ୍ୟା କ୍ଷୟକ୍ଷତି ସ˚ପର୍କରେ ରିପୋର୍ଟ ଦେବେ। ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ରାଜ୍ୟକୁ କ୍ଷତିପୂରଣ ରାଶି ପ୍ରଦାନ କରିବାର ନିୟମ ରହିଛି। ଏବେ  ପ୍ରତିନିଧି ଦଳ ସହିତ ଉପଜିଲ୍ଲାପାଳ ନିର˚ଜନ ବେହେରା, ସହକାରୀ ଲୋକ ସ˚ପର୍କ ଅଧିକାରୀ ଅଶୋକ ବଳିୟାରସି˚ହଙ୍କ ସମେତ କୃଷି ଓ ଉଦ୍ୟାନ ବିଭାଗର ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।