ଖୋର୍ଦ୍ଧାରେ ସ୍ୱାସ୍ଥ୍ୟ ସେବା ଓ ଜନସ୍ୱାସ୍ଥ୍ୟ ନିର୍ଦେଶକଙ୍କ ସହ ଏନ୍ଆର୍ଏଚ୍ଏମର ୩୦ଜଣିଆ ଟିମ୍

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଓ ସମୀକ୍ଷା

ଖୋର୍ଦ୍ଧା: ଆଜି ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦେଶକ ଓ ଜନସ୍ୱାସ୍ଥ୍ୟ ନିର୍ଦେଶକଙ୍କ ସହ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ (ଏନ୍ଆର୍ଏଚ୍ଏମ୍) ଓ ୫-ଟିର ଏକ ୩୦ଜଣିଆ ଟିମ୍ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବା ସହ ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ଆଜି ପୂର୍ବାହ୍ନରେ ସ୍ୱାସ୍ଥ୍ୟସେବା ନିର୍ଦେଶକ ଡଃ. ବିଜୟ କୁମାର ମହାପାତ୍ର ଓ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡଃ. ନିରଞ୍ଜନ ମିଶ୍ରଙ୍କ ସହ ଏନ୍ଆର୍ଏଚ୍ଏମ୍ ଓ ୫-ଟିର ସଦସ୍ୟଙ୍କୁ ନେଇ ଏକ ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଲେ। ସେଠାରେ ଚିକିତ୍ସାଳୟ ପରିସର ପରିଦର୍ଶନ କରିବା ସହ ମାତୃ ଓ ଶିଶୁ ୱାର୍ଡ଼ ସମ୍ମୁଖସ୍ଥ କ୍ରିଟିକାଲ କେୟାର ହସ୍ପିଟାଲ ବ୍ଲକ (ସିସିଏଚ୍ବି) ନିର୍ମାଣ ନିମନ୍ତେ ପ୍ରସ୍ତାବିତ ସ୍ଥାନର ସରଜମିନ ଅନୁଧ୍ୟାନ କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ-ଅଭିମ ଓ ଏକ୍ସ ଭି-ଏଫ୍ସି ଯୋଜନାରେ ନିର୍ମାଣ ହେବାକୁ ଥିବା ସମନ୍ୱିତ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷାଗାର (ଆଇପିଏଚ୍ଏଲ୍), ବ୍ଲକ ଜନସ୍ୱାସ୍ଥ୍ୟ ୟୁନିଟ୍ (ବିପିଏଚ୍ୟୁ) ଆଦିର କାର୍ଯ୍ୟର ସମୀକ୍ଷା କରିଥିଲେ। ଚିକତ୍ସାଳୟ ସୂତ୍ରରୁ ମିଳିଥିବା ତଥ୍ୟାନୁସାରେ, ଉପରୋକ୍ତ କେନ୍ଦ୍ରୀୟ ଯୋଜନାର ନିର୍ମାଣହେବାକୁ ଥିବା ପ୍ରକଳ୍ପ ବ୍ୟତୀତ ଚିକିତ୍ସାଳୟରେ ଖାଲି ପଡ଼ିଥିବା ଡାକ୍ତର, ନର୍ସ, ସହାୟକ ଆଦି ପଦବୀ, ବରିଷ୍ଠ ନାଗରିକଙ୍କ ପାଇଁ ୱାର୍ଡ, ଆଦର୍ଶ ଶବବ୍ୟବଚ୍ଛେଦ ଗୃହ, ରୋଗୀଙ୍କ ସମ୍ପର୍କୀୟଙ୍କ ଅପେକ୍ଷା ଗୃହ ଆଦିର ଆବଶ୍ୟକତା ସମ୍ପର୍କରେ ମଧ୍ୟ ନିର୍ଦେଶକ ପଚାରି ବୁଝିଥିଲେ।

ଏହି ସମସ୍ତ କାର୍ଯ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଜିର ଏହି ଗସ୍ତରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତ୍ତବନ୍ଧୁ ନାୟକ, ଡିଏମ୍ଓ ଡଃ. ବିଶ୍ୱ ମୋହନ ମିଶ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ଜନସ୍ୱାସ୍ଥ୍ୟ) ଡଃ. ନନ୍ଦିତା ଗୁପ୍ତା, ଏଡିଏମ୍ଓ ଡଃ. ରଘୁନାଥ ନାୟକ, ଏନ୍ଏଚ୍ଏମ୍ ସହକାରୀ ଯନ୍ତ୍ରୀ ମାନସ ମହାପାତ୍ର, ଚିକିତ୍ସାଳୟ ପରିଚାଳକ ଡଃ. ବିନାୟକ ପାଣିଗ୍ରାହୀ ଓ ଜିଲ୍ଲା ଚିକିତ୍ସାଧିକାରୀ କାର୍ଯ୍ୟାଳୟ ଓ ଚିକିତ୍ସାଳୟର ଅନ୍ୟ ଡାକ୍ତର ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର