ରାସ୍ତା ନିର୍ମାଣକୁ ନେଇ ତୀବ୍ର ଉତ୍ତେଜନା, ଖଣ୍ଡପଡ଼ା ତହସିଲଦାରଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ମର୍ଦରାଜପୁର ନୂଆସାହିରେ ରାସ୍ତା ନିର୍ମାଣକୁ ନେଇ ବିବାଦ ଓ ଉତ୍ତେଜନା ଦେଖାଯାଇଛି। ପ୍ରଶାସନ ରାସ୍ତାରୁ ମାଟି ଉଠାଇବାକୁ  ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଛନ୍ତି। ସମସ୍ୟାର ସମାଧାନ ପାଇଁ ଘଟଣାସ୍ଥଳକୁ ଯାଇଥିବା ଖଣ୍ଡପଡ଼ା ତହସିଲଦାର ପାର୍ଥସାରଥୀ ହାଁସଦାଙ୍କୁ ଗ୍ରାମବାସୀ ମଙ୍ଗଳବାର ଅଟକ ରଖିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଖଣ୍ଡପଡ଼ା ବ୍ଲକର ବେଣାଗାଡ଼ିଆ ପଂଚାୟତ ଅନ୍ତର୍ଗତ ବରକୋଳି ଗ୍ରାମବାସୀ ଦୀର୍ଘ ଦିନର ଏକ ରାସ୍ତା ବିବାଦକୁ ନେଇ ଖଣ୍ଡପଡ଼ା ତହିସଲ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ମର୍ଦରାଜପୁର ନୂଆସାହି ଗ୍ରାମବାସୀ ବରକୋଳି ଗ୍ରାମର ବିଦ୍ୟାଳୟ ଓ ଖେଳପଡ଼ିଆ ମଧ୍ୟ ଦେଇ ଏକ ରାସ୍ତା ନିର୍ମାଣ କରିଥିଲେ। ଏହି ଘଟଣାକୁ ନେଇ ଗତ ସେପ୍‌ଟେମ୍ବର ୧୭ ତାରିଖରେ ବରକୋଳି ଗ୍ରାମବାସୀ ରାସ୍ତାରୋକ କରିଥିଲେ। ପରଦିନ ଖଣ୍ଡପଡ଼ା ଥାନା ସଭାଗୃହରେ ଉଭୟ ପକ୍ଷର ଭଦ୍ରବ୍ୟକ୍ତିଙ୍କୁ ନେଇ ଗଠିତ ଶାନ୍ତି କମିଟି ମାଧ୍ୟମରେ ବିବାଦର ସମାଧାନ ତଥା ଶାନ୍ତିଶୃଙ୍ଖଳା ବଜାୟ ରଖିବା ନେଇ ନିଷ୍ପତ୍ତି ହୋଇଥିଲା। ତେବେ ଶୁକ୍ରବାର ରାତିରେ ଶାନ୍ତିକମିଟି ନିଷ୍ପତ୍ତିକୁ ଅବମାନନା କରି ନୂଆସାହି ଗ୍ରାମବାସୀ ସଂପୃକ୍ତ ବିବାଦୀୟ ଜମି ଉପରେ ମୋରମ ପକାଇ ରାସ୍ତ ନିର୍ମାଣ କରିଥିଲେ। ଏ ନେଇ ବରକୋଳି ଗ୍ରାମବାସୀ ଶନିବାର ଖଣ୍ଡପଡ଼ା ଥାନାରେ ଏତଲା ଦେଇଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେବାରୁ ସୋମବାର ସକାଳେ ଅତିରିକ୍ତ ତହସିଲଦାର ସଂଜୟ ସାମନ୍ତରାୟଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ।

ତେବେ ଏ ନେଇ ଆସନ୍ତା ୧୫ ଦିନ ମଧ୍ୟରେ ଉପଜିଲ୍ଲାପାଳଙ୍କ ସହ କଥା ହୋଇ ବିବାଦ ସମାଧାନ କରିବା ନେଇ ତହସିଲଦାର ପାର୍ଥସାରଥୀ ହାଁସଦା  ପ୍ରତିଶ୍ରୁତି ଦେବା ପରେ ବିଳମ୍ବିତ ସନ୍ଧ୍ୟାରେ ଗ୍ରାମବାସୀମାନେ ଧାରଣାରୁ ଉଠିଥିଲେ। ପରିସ୍ଥିତି ନ ସୁଧୁରିବାରୁ  ମଙ୍ଗଳବାର ଅପରାହ୍ନରେ ତହସିଲଦାର  ହାଁସଦା ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ଲାଗି ପୁଣି ଥରେ ପୁଲିସ ସହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହି ସମୟରେ ତାଙ୍କୁ ଗ୍ରାମବାସୀ ଅଟକ ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର