ବାଲେଶ୍ୱର: ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଲା ପଥର ଚାଲାଣ କରୁଥିବା ଡମ୍ପର

ନୀଳଗିରି: ଚୋରା ପଥର ଚାଲାଣ କରୁଥିବା ଏକ ଡମ୍ପର ମଙ୍ଗଳବାର ସନ୍ଧ୍ୟାରେ ତହସିଲଦାରଙ୍କ ଗାଡ଼ିକୁ ଶକ୍ତ ଧକ୍କା ଦେଇ ଫେରାର ହୋଇଯାଇଛି। ବାଲେଶ୍ୱର ଜିଲ୍ଲାର ନୀଳଗିରି ତହସିଲଦାର ଏହି ଅଭାବନୀୟ ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି। ମାତ୍ର ଏଥିରେ ତହସିଲଦାରଙ୍କ ଗାଡ଼ିର କୌଣସି କ୍ଷୟକ୍ଷତି ଘଟିନାହିଁ। ତହସିଲଦାର ସୁରକ୍ଷିତ ଅଛନ୍ତି।

ରିପୋର୍ଟ ଅନୁସାରେ ଚୋରା ପଥର ଚାଲାଣ ନେଇ ତହସିଲଦାର ସୁଶ୍ରୀତା ଟୁଡୁଙ୍କୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ବାଲେଶ୍ୱର ଜିଲ୍ଲାର ସୋର ତହସିଲ ଅଧିନସ୍ଥ କୁତାରି ଓ ବାଗୁଡ଼ି ଅଂଚଳରୁ ଆସୁଥିବା ଚୋରା ପଥର ବୋଝେଇ ଡମ୍ପରଙ୍କୁ ପିଛା କରି ନୀଳଗିରି ତହସିଲଦାର ଗୋପୀନାଥପୁର ଛକ ନିକଟରେ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ପଥର ବୋଝେଇ ଡମ୍ପର ଧକ୍କା ଦେଇ ଘଟଣାସ୍ଥଳରୁ ଛୁ ଫେରିଥିଲା। ଫଳରେ ତହସିଲଦାର ଅଳ୍ପକେ ବର୍ତ୍ତିଯାଇଛନ୍ତି।

ମିତ୍ରପୁର ଅଂଚଳକୁ ପଥର ଚୋରା ଚାଲାଣ ହେଉଥିବା ନେଇ ତହସିଲଦାରଙ୍କୁ ସୂଚନା ମିଳିଥିଲା। ତହସିଲଦାରଙ୍କ ସହିତ କେବଳ ଡ୍ରାଇଭର ଥିଲେ। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇଥିବା ଚୋରା ପଥର ଗାଡ଼ିକୁ ଜବତ କରିବା ପାଇଁ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର