ରୋଗୀଙ୍କୁ ଟେଲି ପରାମର୍ଶ ଯୋଗାଉଛି ସୁନ୍ଦରଗଡ଼ ଓ ରାଉରକେଲା ହେଲ୍ପଲାଇନ୍

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ପରିଚାଳନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଜିଲ୍ଲା ହେଲ୍ପଲାଇନ୍ ଏବଂ ରାଉରକେଲା କୋଭିଡ୍ ହେଲ୍ପଲାଇନ୍। ଏହା ଜରିଆରେ ବିଭିନ୍ନ ବିଷୟରେ ଲୋକଙ୍କୁ ସୂଚନା ଓ ପରାମର୍ଶ ଦିଆଯାଉଛି। ବିଶେଷକରି ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରିଚାଳନା ଦିଗରେ ଏହା ସହାୟକ ହୋଇପାରିଛି। ଏହି କଲ୍ ସେଣ୍ଟରଗୁଡ଼ିକରେ ଡାକ୍ତରମାନେ ଉପସ୍ଥିତ ରହି କୋଭିଡ୍ ଏବଂ ଅଣ କୋଭିଡ୍ ରୋଗୀଙ୍କୁ ସିଧାସଳଖ ଚିକିତ୍ସା ଓ ପରାମର୍ଶ ଦେଉଛନ୍ତି।

ରାଜ୍ୟ ସରକାରଙ୍କ ମୋ’ ସରକାର ଓ ୫-ଟି ଅଭିଯାନ ଅଧୀନରେ ପ୍ରଶାସନିକ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହା ଅଧୀନରେ ସୁନ୍ଦରଗଡ଼ ଓ ରାଉରକେଲାଠାରେ ଦୁଇଟି ୨୪ ଘଣ୍ଟିଆ କଲ୍ ସେଣ୍ଟର ଖୋଲାଯାଇଛି। ଜନସାଧାରଣ ଏହି କଲ୍ ସେଣ୍ଟରକୁ ମାଗଣାରେ କଲ୍ କରି ବିଭିନ୍ନ ସେବା ସମ୍ପର୍କରେ ସୂଚନା ପାଇବା ସହ ଅଭିଯୋଗ ଦାଖଲ କରିପାରୁଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ହେଲ୍ପଲାଇନ୍ ପ୍ରତିଷ୍ଠା କରାଯାଇଛି, ଯାହାର ନମ୍ବର ହେଉଛି ୧୮୦୦ ୩୪୫ ୭୪୬୧/ ୦୧୧ ୪୧୧୮୨୧୩୮। ସେହିପରି ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୮ ଜାରି କରାଯାଇଛି। କୋଭିଡ୍ ସମୟରେ ଲୋକଙ୍କ ସୁବିଧା ପାଇଁ ଉଭୟ ହେଲ୍ପଲାଇନରେ ଡାକ୍ତରମାନଙ୍କୁ ନିୟୋଜିତ କରାଯାଇଛି। ଏଠାରେ ମେଡିସିନ୍ ବିଭାଗ ସହ ମାନସିକ ରୋଗ ବିଭାଗର ଡାକ୍ତର ଉପସ୍ଥିତ ରହି ଲୋକଙ୍କୁ ଫୋନ୍ ମାଧ୍ୟମରେ ନିୟମିତ ସ୍ୱାସ୍ଥ୍ୟ ପରାମର୍ଶ ଦେଉଛନ୍ତି।

‘‘କୋଭିଡ୍ ମହାମାରୀ ସମୟରେ ସୁନ୍ଦରଗଡ଼ ଏବଂ ରାଉରକେଲା ହେଲ୍ପଲାଇନ ଲେକଙ୍କ ସୁବିଧା ପାଇଁ ସବୁବେଳେ ପ୍ରସ୍ତୁତ ହୋଇ ରହିଛି। ସେହିପରି ହୋମ୍ ଆଇସୋଲେସନ, ଟେଷ୍ଟିଂ, ଟିକାକରଣ, ଆମ୍ବୁଲାନ୍ସ ସେବା, ଅକ୍ସିଜେନ୍ ଆବଶ୍ୟକତା ତଥା କୌଣସି ରୋଗୀଙ୍କର ଡାକ୍ତରଖାନାରେ ଆଡମିଶନ ବା ଆଇସିୟୁ ବେଡ୍ ଆବଶ୍ୟକ ହେଲେ ସେମାନେ ହେଲ୍ପଲାଇନକୁ କଲ୍ କରୁଛନ୍ତି। ତା’ ସହିତ କଲ୍ ସେଣ୍ଟରରେ ଟେଲି କନସଲ୍ଟିଙ୍ଗକୁ ଯୋଡ଼ା ଯିବା ଫଳରେ ଘରେ ବସି କୋଭିଡ୍ ଆକ୍ରାନ୍ତ ଓ ଅନ୍ୟ ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ନେଇ ପାରୁଛନ୍ତି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଗୃହ ସଂଗରୋଧରେ ରହୁଥିବା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ବୁଝିବା ପାଇଁ ରାପିଡ ରେସପନ୍ସ ଟିମ୍ ବା ଆରଆରଟି ସାରା ଜିଲ୍ଲାରେ କାମ କରୁଛି। ହେଲ୍ପଲାଇନ୍ ଟିମ୍ ଥରକୁ ଥର ରୋଗୀଙ୍କ ସହ ଯୋଗାଯୋଗ କରି ଏହି ସେବାକୁ ସୁନିଶ୍ଚିତ କରିବାରେ ସହାୟକ ହେଉଛନ୍ତି। ତେଣୁ ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ କୌଣସି ଜରୁରୀ ଆବଶ୍ୟକତା ବେଳେ ସେମାନେ ହେଲ୍ପଲାଇନକୁ କଲ୍ କରି ସହାୟତା ଲୋଡ଼ୁଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ ଟିମ୍ ହ୍ୱାଟସ୍ଆପ୍ ଗ୍ରୁପ୍ ଏବଂ ଇନଷ୍ଟାଗ୍ରାମ ପେଜ୍ ଜରିଆରେ ମଧ୍ୟ ହୋମ୍ ଆଇସୋଲେସନରେ ଥିବା କୋଭିଡ୍ ଆକ୍ରାନ୍ତଙ୍କ ସହ ନିୟମିତ ସମ୍ପର୍କରେ ରହୁଛନ୍ତି। ଏହିସବୁ ଡିଜିଟାଲ ଫ୍ଲାଟଫର୍ମ ମାଧ୍ୟମରେ ଡାକ୍ତରମାନେ ରୋଗୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଓ ପରାମର୍ଶ ଦେଉଛନ୍ତି।

‘‘ରାଉରକେଲା ମହାନଗରବାସୀଙ୍କ ପାଇଁ ଆମ କୋଭିଡ୍ ହେଲ୍ପଲାଇନ୍ ସେବା ୨୪ ଘଣ୍ଟା ଖୋଲା ରହୁଛି। ରୋଗୀମାନେ କଲ୍ କରି ଡାକ୍ତରଙ୍କଠାରୁ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ପାଉଛନ୍ତି। କରୋନା ସମୟରେ ଅନେକ ଲୋକ ମାନସିକ ଚାପ ଓ ବିଭିନ୍ନ ସମସ୍ୟାରେ ରହୁଛନ୍ତି। ତେଣୁ କଲ୍ ସେଣ୍ଟରରେ ଥିବା ମାନସିକ ରୋଗ ବିଶେଷଜ୍ଞ କୋଭିଡ୍ ଓ ଏହି ରୋଗରୁ ଭଲ ହୋଇଥିବା ଲୋକଙ୍କୁ ଫୋନ୍ ଯୋଗେ ଆବଶ୍ୟକ ପରାମର୍ଶ ଦେଉଛନ୍ତି’’, କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ଗତ ପ୍ରାୟ ୧ ବର୍ଷ ଧରି ଲୋକଙ୍କୁ ସେବା ଯୋଗାଇ ଦେଇ ଆସୁଛି। ତେବେ କୋଭିଡ୍ ସମୟରେ ଏହି କଲ୍ ସେଣ୍ଟରର କାର୍ଯ୍ୟ ପୂର୍ବ ଅପେକ୍ଷା ବଢ଼ିଯାଇଛି। ଏବେ ଦୈନିକ ଲୋକଙ୍କଠାରୁ ୧୫୦ରୁ ଅଧିକ କଲ୍ ଆସୁଛି। ଅନ୍ୟପକ୍ଷରେ କଲ୍ ସେଣ୍ଟର ପକ୍ଷରୁ ଦୈନିକ ୧୦୦୦ରୁ ଅଧିକ ଆଉଟ୍ ବାଉଣ୍ଡ କଲ୍ ଯାଉଛି। ଲୋକଙ୍କ ସହ ଯୋଗାଯୋଗ ପାଇଁ ସେଠାରେ ଏସଏମଏସ, ଇମେଲ୍ ଏବଂ ଭିଡିଓ କଲ୍ ଆଦି ବ୍ୟବସ୍ଥା ମଧ୍ୟ ରହିଛି। ସେହିପରି ରାଉରକେଲା କୋଭିଡ୍ ହେଲ୍ପଲାଇନରୁ ମଧ୍ୟ ପ୍ରତିଦିନ ୧୦୦୦ରୁ ଅଧିକ ଆଉଟ ବାଉଣ୍ଡ କଲ୍ ହେବା ଫଳରେ ଏହି ସେବା ବେଶ୍ ଲୋକାଭିମୁଖୀ ହୋଇପାରିଛି।

ସମ୍ବନ୍ଧିତ ଖବର