ସ୍ବାଧୀନତା ଦିବସରେ ୨୨ ଗ୍ରାମରେ ତେଲୁଗୁ ବୋର୍ଡ ମାରିବ ଆନ୍ଧ୍ର

ବିଜୟନଗରମ ଜିଲ୍ଲାପାଳଙ୍କ ନିକଟରେ ଅଟକିଛି ଫାଇଲ

କୋରାପୁଟ: କୋଟିଆରେ ସୀମାବିବାଦ ଛିଣ୍ଡୁ ନ ଥିବାବେଳେ ଏବେ ଭାଷାକୁ ନେଇ ବିବାଦ ମୁଣ୍ଡ ଟେକିଲାଣି। ଓଡ଼ିଶା ଭିତରେ ପ୍ରବେଶ କରି ଆନ୍ଧ୍ର ସରକାର ଓଡ଼ିଶାର ଗାଁରେ ତେଲୁଗୁ ବୋର୍ଡ ମାରିବାକୁ ବାହାର କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ସ୍ବ‌ାଧୀନତା ଦିବସରେ ବିବାଦିୟ କୋଟିଆ ଗ୍ରାମପୁଞ୍ଜର ୨୨ଟି ଗ୍ରାମରେ ତେଲୁଗୁ ଭାଷାରେ ବୋର୍ଡ ମାରିବ ଆନ୍ଧ୍ର। ଏନେଇ ଆଜି ପାର୍ବତୀପୁରମ ପିଓ ଆଟିଡିଏ ଆର. କୁର୍ମନାଥଙ୍କୁ ଭେଟିଛନ୍ତି ଲୋକସତ୍ତା ପାର୍ଟିର ରାଜ୍ୟ କାର୍ଯ୍ୟନିର୍ବାହୀ ସଭାପତି ବାଶ୍ବତି ବାବାଜୀ ଓ ତାଙ୍କ ସହକର୍ମୀ। କୋଟିଆକୁ ନେଇ ଉଭୟ ରାଜ୍ୟର ରାଜନେତା ରଣହୁଙ୍କାର ଦେଇଥିବାବେଳେ ଭାଷାକୁ ପୁଣି ଥରେ ଓଡ଼ିଶା ଲୋକଙ୍କୁ ବିଭାଜିତ କରିବାକୁ ଚେଷ୍ଟା କରୁଛି ଆନ୍ଧ୍ର।

ଓଡ଼ିଶା ପଟୁ ପଟାଙ୍ଗୀ ବିଧାୟକ ଆନ୍ଧ୍ର ନେତା ଓ ସରକାରୀ କର୍ମଚାରୀଙ୍କୁ ପ୍ରବେଶ କଲେ ମାଡ ମରାଯିବାକୁ କହିଥିବାବେଳେ ସେପଟୁ ଆନ୍ଧ୍ର ନେତାଏ ଓଡ଼ିଶାରେ ପଶି ତେଲଗୁ ଭାଷାରେ ବୋର୍ଡ ମାରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଅଗଷ୍ଟ ୧୫ ପୂର୍ବରୁ ସବୁ ଗାଁରେ ତେଲଗୁ ବୋର୍ଡ ମରାଯିବାକୁ ଯୋଜନା କରିଥିବା ଜଣାପଡିଛି। ଏନେଇ ବିଜୟନଗରମ ଜିଲ୍ଲାପାଳଙ୍କୁ ପିଓ ଆଇଟିଡିଏ ଦାବିପତ୍ରକୁ ପଠାଇଥିବା ଜଣାପଡିଛି। ‘କୋଟିଆ’କୁ କବ୍‌ଜା କରିବା ପାଇଁ ଦୁଇ ରାଜ୍ୟ ମଧ୍ୟରେ ଅର୍ଦ୍ଧ ଶତାବ୍ଦୀ ହେଲା ଲାଗି ରହିଛି ବିବାଦ। ଆଉ ବିବାଦରେ ସାଂଘାତିକ ଭାବେ ଫସି ଯାଇଛନ୍ତି କୋଟିଆ ଗ୍ରାମପୁଞ୍ଜର ୮ହଜାର ଲୋକ। ସେମାନେ ଓଡ଼ିଶାର ହୋଇ ପାରୁନାହାଁନ୍ତି କି ଆନ୍ଧ୍ରକୁ ନିଜର କରି ପାରୁନାହାଁନ୍ତି। ଏପଟେ ଦୁଇ ରାଜ୍ୟ ଆଇନଗତ ଯୁଦ୍ଧରେ ଲାଗିଥିଲେ ମଧ୍ୟ କୋଟିଆକୁ ମୌଳିକ ସୁବିଧା ସୁଯୋଗ ପହଞ୍ଚାଇବାକୁ ଗୁରୁତ୍ବ ଦେଇ ଚାଲିଛନ୍ତି।

ଡାକ୍ତରଖାନା, ଥାନା, ରାସ୍ଥାଘାଟ ଓ ହାଇଲେବୁଲ ବ୍ରିଜ କରାଇଥିବାବେଳେ ହେଲିପ୍ୟାଡ କରାଇବାକୁ ଚାଲିଛି ପ୍ରସ୍ତୁତି। ଗତ ମେ’ ୮ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଇଥିଲା ଆନ୍ଧ୍ର। କିନ୍ତୁ ନିର୍ବାଚନକୁ ନେଇ ନୀତିନିୟମ ମାନି ନ ଥିବାରୁ ଆନ୍ଧ୍ର ହାଇକୋର୍ଟ ଭୋଟକୁ ନାକଚ୍‌ କରିଥିଲେ। ଓଡ଼ିଶାର ଦାବି ଅନୁସାରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତରେ ରହିଛି ଏହି ଗ୍ରାମ ପୁଞ୍ଜା। କିନ୍ତୁ ପଡୋଶୀ ଆନ୍ଧ୍ରର ଦାବି ଅଲଗା। ଆନ୍ଧ୍ର ପ୍ରଶାସନର କହିବା ଅନୁଯାୟୀ, ବିଜୟନଗରମ ଜିଲ୍ଲା ସାଲୁର ମଣ୍ତଳରେ ରହିଛି ଏହି ବିବାଦୀୟ କୋଟିଆ ଅଞ୍ଚଳ।

Sambad

ସୀମାନ୍ତରେ ଥିବା ୨୨ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ୧୯୬୮ ମସିହାରୁ ବିବାଦ ଚାଲିଛି। ଓଡ଼ିଶା ସରକାରଙ୍କ ହିସାବ ଅନୁଯାୟୀ, କୋଟିଆ ପଞ୍ଚାୟତରେ ୨୮ଟି ଗାଁ ଓ ୧୨ଟି ପଡାଗ୍ରାମ ରହିଛି। ଏମିତି ମୋଟ ୪୦ଟି ଗ୍ରାମକୁ ନେଇ ଗଠିତ ଏହି ପଞ୍ଚାୟତରେ ୮୭୬୪ଜଣ ଲୋକ ରହୁଛନ୍ତି। ପଞ୍ଚାୟତର ଏହି ୪୦ଟି ଗ୍ରାମରୁ ୨୭ଟି ଗାଁ ବିବାଦୀୟ ହୋଇ ରହିଛି। ସେଥିରୁ ୨୧ଟି ରାଜସ୍ବ ଗ୍ରାମ ଓ ୬ଟି ପଡାଗ୍ରାମ। ଏଗୁଡିକ ହେଲା କୋଟିଆ, ଗଞ୍ଜେଇ ପଦର, ମାଡକାର, ବାର୍ଣ୍ଣପାଡୁ, ଡୋଲିଆମ୍ବା, ଫଗୁଣ ସିନେରୀ, ଫାଟୁ ସିନେରୀ, ସଲପଗୁଡା, କନାଦୋରା, ହର ମାଣ୍ତିଙ୍ଗି, ସିଡିବାଲସା, ମହିପାଣି, ଉପର ସେମ୍ଭି, ତଳ ସେମ୍ଭି, ଧୂଳି ପଦର, ଆରଜୁ ବାଲସା, ତାଡି ବାଲସା, ନାରଡ ବାଲସା, ପନିକି, ରଣାସି˚ ଓ ସୀମାଗାଡା। ବିବାଦୀୟ ହୋଇ ରହିଥିବା ପଡା ଗ୍ରାମଗୁଡିକ ହେଲା ତଳ ଗଞ୍ଜେଇ ପଦର, କୁରୁଡି ପଦର, ଜାନିଗୁଡା, ପାନକୁବାଲସା, ଟାଙ୍କର ବାଲସା ଓ ଉପର ପନିକି। ତେବେ କୋଟିଆ ପଞ୍ଚାୟତରେ ଥିବା ବରାବନ୍ଧ, ଥୁରିଆ, ମାଥଲାମ୍ବ, ଗୁମେଲ ପଦର, ତଳ କାଣ୍ଟି, କାଟ୍ରାଗୁଡା ଓ ସୁଳିଆମାରୀ ଗ୍ରାମକୁ ନେଇ କୌଣସି ବିବାଦ ନାହିଁ। ସେହିପରି ଉପର ବରାବନ୍ଧ, କରଞ୍ଜଗୁଡା, ଟାଉ ପଦର, ଫୁଲପଦର, କୋଡିଆମ୍ବ ଓ ସାଲେମ ପଦର ପରି ୬ଟି ପଡା ଗ୍ରାମ ନିର୍ବିବାଦୀୟ ହୋଇ ରହିଛି। ଏହା ଓଡ଼ିଶାରେ ଥିଲାବେଳେ ଏହାକୁ ଆନ୍ଧ୍ର ନିଜର ବୋଲି ଦାବି କରିନି।

ସମ୍ବନ୍ଧିତ ଖବର