ସରୁନି ତେଲିଙ୍ଗୀର ପ୍ରକଳ୍ପର ଦୁଃଖ ବିସ୍ଥାପନ ପାଇଁ ପ୍ରଶାସନର ବୁଟୁରୁଗୁଡା ବାସିନ୍ଦା 

ଜୟପୁର: ବହୁ ପ୍ରତିକ୍ଷିତ ତେଲିଙ୍ଗୀର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ପ୍ରକଳ୍ପର ପିଛା ଛାଡୁନି ବିସ୍ଥାପନ ସମସ୍ୟା। ଏହି ବିସ୍ଥାପନ ‌ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଦାରିତ ସୀମାଠାରୁ ବହୁ ସମୟ ନେଇଥିବାବେଳେ ପୁଣି ସେହି ସମସ୍ୟା ଦେଖିବାକୁ ମିଳିଛି। ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ବୋରିଗୁମ୍ମା ଓ ଜୟପୁର ବ୍ଲକରେ ହଜାର ହଜାର ହେକ୍ଟର ଜମିରେ ଜଳ ମାଡୁଥିବାବେଳେ ଏହି ଜଳ ଗୋଟିଏ ଗାଁର ଲୋକଙ୍କୁ ଆଣିଛି ଦୁର୍ଦଶା। କୋରାପୁଟ ବ୍ଲକ ବାଗ୍ରା ମୌଜା ଅନ୍ତଃର୍ଗତ କେନ୍ଦାର ପଞ୍ଚାୟତ ଅଧୀନ ବୁଟୁରୁଗୁଡା ଗାଁର ଲୋକଙ୍କର ଦୁଃଖ ସରୁନି। ଏବେ ବି ଏହି ଗାଁ ପାଣି ଘେରରେ ରହିଥିବାବେଳେ ବିସ୍ଥାପିତ ଗାଁ ଭାବେ ଘୋଷଣା କରିବାକୁ ଆଜି ଉପଜିଲ୍ଲାପାଳ ହେମକାନ୍ତ ସୟ, ଉପରକୋଲାବ ଓ ତେଲିଙ୍ଗିର ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଅଶ୍ୱିନ ମହାନ୍ତି ଓ ଆମ୍ବାଗୁଡା ସ୍ଥିତ ହେଡ ୱାର୍କର ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଦୁଃଖ ଜଣାଇଛନ୍ତି ୭୨ରୁ ଅଧିକ ପରିବାର। ଏହାର ଏକାକିତା ନକଲ ଜିଲ୍ଲାପାଳ, ଜୟପୁର ଓ କୋରାପୁଟ ବିଧାୟକ, କୋରାପୁଟ ସାଂସଦଙ୍କୁ ପ୍ରଦାନ କରାଯାଇଛି।

ଗାଁର ଶେଖର ନାୟକ, ଭଗବାନ ନାୟକ, ବି.ଭୋଇ, ଗୁପ୍ତ ମୁଦୁଲି, ଧନପତି ମୁଦୁଲି, ହରିବନ୍ଦୁ ଦେଇ, ରଘୁନାଥ ମୁଦୁଲି, ସମାରୁ ଜାନୀ, କମ୍ବଳୁ ମୁଦୁଲି, ପଦଲାମ ଖରା, ଖଗପତି ମୁଦୁଲି, ପୁତୁ ମୁଦୁଲି, ଘେନୁ ମଦୁଲି, ଧର୍ନୁଜୟ ମୁଦୁଲି, ଭୀମ ମୁଦୁଲି, ଭଗବାନ ମୁଦୁଲି, ଦୀନବନ୍ଦୁ ମୁଦୁଲି, ଧନିଆ ମୁଦୁଲି, ଗୋବିନ୍ଦ ମୁଦୁଲି, ଧବଲୁ ମୁଦୁଲି, ବୁଲୁ ନାୟକ, ତିପତି ନାୟକ, ବ୍ରଜ ମୁଦୁଲି, ବିଶ୍ୱନାଥ ନାୟକ, କାଳିଆ ମୁଦୁଲି, ପାଲକୁ ମୁଦୁଲି, ଭକ୍ତ ମୁଦୁଲି, ବୁଦୁ ମୁଦୁଲି, ଜିତୂ ମୁଦୁଲି, ମେଟା ମୁଦୁଲି, ବୁଡୁ ମୁଦୁଲି ଓ ବିଦ୍ୟାଧର ଭୋଇ ପ୍ରମୁଖ ଜୟପୁର ଉପଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଦୁଃଖ ଜଣାଇଛନ୍ତି। ଏହିମାନେ ପ୍ରକଳ୍ପ ସମ୍ପର୍କରେ ସେହି ସମୟରେ ଜାଣି ନ ଥିବା ହେତୁ ବର୍ତ୍ତମାନ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରକଳ୍ପ ଶେଷ ହେବା ପରେ ଚାଷୀଙ୍କୁ ଲାଭ ମିଳଛି ସିନା କିନ୍ତୁ ଏହି ଗାଁର ଲୋକଙ୍କୁ ଜଳବନ୍ଦି କରି ରଖିଛି। ଏବେ ଡ୍ୟାମରେ ପାଣି ପୂର୍ଣ୍ଣ ଭାବେ ରହିଥିବାରୁ ଗାଁ ବୁଡିବା ଆଶାଙ୍କା ଦେଖାଦେଇଛି।

ବର୍ଷାଦିନେ ଡରି ଡରି ଏହି ଗାଁଲୋକେ ଜୀବନ ବିତାଇଥିବାବେଳେ୧୦ରୁ ୨୦ ଫୁଟର ପାଣି ଉଠି ଜମି ନଷ୍ଟ ହେଉଛି । କ୍ଷତିପୂରଣ ଦେବା ନେଇ ଆଜି ସେମାନେ ତିନିଟି ପାହାଡ ଡେଇଁ ଦୁଇଟି ଅଟୋରେ ଉପଜିଲ୍ଲାପାଳଙ୍କ ନିକଟକୁ ଆସି ଦୁଃଖ ଜଣାଇଛନ୍ତି। ତୁରନ୍ତ ଏହି ଗାଁକୁ ବିସ୍ତାପିତ ଗାଁ ଭାବେ ଘୋଷଣା କରି ସରକାରଙ୍କ ବିସ୍ତାପନ ନିୟମ ଅନୁସାରେ କ୍ଷତିପୂରଣ ଦେବାକୁ ଉପଜିଲ୍ଲାପାଳଙ୍କ ସହ ବାରିଣିପୁଟ ସ୍ଥିତି ଉପରକଲୋବ ଓ ତେଲଙ୍ଗିର ପ୍ରକଳ୍ପ ମୁଖ୍ୟଙ୍କ ନିକଟରେ ଗୁହାରୀ କରିଛନ୍ତି। ସେହି ସମୟରେ ଏହି ଗାଁ ସେହି ତାଲିକାରେ ନ ଥିଲାବେଳେ ଏବେ ଡ୍ୟାମରେ ଜଳ ଭର୍ତ୍ତି ହେବା ପରେ ଏହି ବୁଟୁରୁଗୁଡା ଗାଁର ସମସ୍ୟା ନଜରକୁ ଆସିଛି। ଗାଁ ଲୋକେ ବର୍ଷାଦିନେ ନାହିଁ ନ ଥିବା ହଇରାଣ ହୋଇଥିବାବେଳେ ଡ୍ୟାମର ପାଣି ଘେରରେ ଗ୍ରାମବାସୀ ଭୟବୀତ ହୋଇ ଜୀବନ ବିତାଉଥିବା ଉପଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଛନ୍ତି।

୨୦୧୨ରେ ଶେଷ ହୋଇଥିବାବେଳେ ବିସ୍ତାପନ, ନିର୍ମାଣ ଓ ଆଦିବାସୀଙ୍କ ବିକ୍ଷୋଭ ଯୋଗୁଁ ବିଳମ୍ବ ହୋଇଥିଲା। ଏହି ପ୍ରକଳ୍ପ ହେବା ପରେ କୋରାପୁଟ ଜିଲ୍ଲାର ରାଣିଗଡ, ଡକରା, ବିନ୍ଧାଣୀଗୁଡା, ପ୍ରଧାନୀଗୁଡା, ବିଚିପାଣି, ବାଲପେଟା, ଭିତରପଟୋ ଓ ତଳମେଙ୍ଗାର ଗାଁର ପ୍ରାୟ ୮୦୦ରୁ ଅଧିକ ପରିବାର ବିସ୍ଥାପିତ ହୋଇଛନ୍ତି। ବ୍ୟୟ ପରିମାଣ ୧୦୬ କୋଟିରୁ ୧୦୦୦ କୋଟିକୁ ବୃଦ୍ଧି ହୋଇସାରିଥିବାବେଳେ ଡ୍ୟାମକୁ ବିବାଦ ପିଛା ଛାଡୁନି। ଉପଜିଲ୍ଲାପାଳ ହେମକାନ୍ତ ସୟ ଘଟଣା ସମ୍ପର୍କରେ ଅବଗତ ରହିଥିବା ସହ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍କର୍ଷ ବାହାର କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର