ସୁନ୍ଦରଗଡ଼: କୋଭିଡ୍ ସମୟରେ ରୋଗୀମାନେ ଦୂର ଦୂରାନ୍ତକୁ ନଯାଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ରହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶେଷଜ୍ଞ ଡାକ୍ତରମାନଙ୍କଠାରୁ ଚିକିତ୍ସା ପରାମର୍ଶ ପାଇ ପାରିବେ। ସୁନ୍ଦରଗଡ଼ ଜିଲ୍ଲାରେ ଏହି ‘ଇ-ସଂଜୀବନୀ’ ସେବା ମାଧ୍ୟମରେ ରୋଗୀମାନେ ବିଶେଷ ଉପକୃତ ହେଉଛନ୍ତି। କୋଭିଡ୍ ପରିସ୍ଥିତିକୁ ନଜରରେ ରଖି ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
ବିଭିନ୍ନ ରୋଗର ଚିକିତ୍ସା ବେଳେ ରୋଗୀମାନଙ୍କୁ ଅନେକ ସମୟରେ ବଡ଼ ଡାକ୍ତରଖାନା ଯାଇ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିଥାଏ । ତେବେ ଲୋକଙ୍କୁ କୋଭିଡ୍ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ଏବେ ‘ଇ-ସଂଜୀବନୀ’ ସେବା ଆରମ୍ଭ କରାଯାଇଛି। ଏହା ଫଳରେ ଜଣେ ରୋଗୀ ନିଜ ଘର ପାଖରେ ଥିବା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଯାଇ ସେଠାରେ ଟେଲି କନସଲଟେନସନ ସେବା ମାଧ୍ୟମରେ ଜିଲ୍ଲାର ପ୍ରମୁଖ ଡାକ୍ତରଖାନାରେ ଥିବା ବିଶେଷଜ୍ଞଙ୍କ ସହ ପରାମର୍ଶ କରିପାରୁଛନ୍ତି।
ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ), ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ), ରାଉରକେଲା ଅତିରିକ୍ତ ଜିଲ୍ଲା ସହରାଚଂଳ ସ୍ବାସ୍ଥ୍ୟକେନ୍ଦ୍ର (ଏଡିୟୁପିଏଚସି) ସହିତ କୁଆଁରମୁଣ୍ଡା, ବଡ଼ଗାଁ, ସର୍ଗିପାଲି, ମାଝାପଡ଼ା, ବିରକେରା, ମଙ୍ଗସପୁର ଏବଂ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ ଇ-ସଂଜୀବନୀ ସେବାର ସବ୍-ହବ୍ କରାଯାଇଛି। ଏହି ସବୁ ସ୍ଥାନ ସହ ନିକଟବର୍ତ୍ତୀ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଗୁଡ଼ିକୁ ଇଂଟରନେଟ ମାଧ୍ୟମରେ ଯୋଡ଼ା ଯାଇଛି। ଫଳରେ ରୋଗୀମାନେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ରହି ଉପରସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ବିଶେଷଜ୍ଞ ଡାକ୍ତରଙ୍କ ସହ ସିଧାସଳଖ ପରାମର୍ଶ କରିପାରୁଛନ୍ତି।
ସେହିପରି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜକୁ ଟେଲି କନସଲଟେନସନ ସେବା ଲାଗି ମୁଖ୍ୟ ହବ୍ ଭାବେ ନିଆଯାଇଛି। ତେଣୁ ଆବଶ୍ୟକ ସ୍ଥଳେ ସୁନ୍ଦରଗଡ଼ ଜିଲ୍ଲାର ରୋଗୀମାନଙ୍କୁ ବୁର୍ଲାରେ ଥିବା ବିଶେଷଜ୍ଞଙ୍କ ସହ ‘ଇ-ସଂଜୀବନୀ’ ସେବାରେ ଯୋଡ଼ି ଚିକିତ୍ସା ପରାମର୍ଶ ଦିଆଯାଉଛି।
‘‘ଇ-ସଂଜୀବନୀ ବ୍ୟବସ୍ଥା ଫଳରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଡ଼ ନିୟନ୍ତ୍ରଣ ହୋଇପାରିଛି ରୋଗୀମାନେ ମଧ୍ୟ ସୁବିଧାରେ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ ଚିକିତ୍ସା ପାଇ ପାରୁଛନ୍ତି। ରୋଗୀମାନେ ନିରାମୟ କେନ୍ଦ୍ରରୁ ମାଗଣାରେ ଔଷଧ ମଧ୍ୟ ପାଉଛନ୍ତି’’, କହିଛନ୍ତି ଡିଏମଓ ତଥା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ।
/sambad/media/post_attachments/wp-content/uploads/2021/04/WhatsApp-Image-2021-04-21-at-16.41.22-1-1024x473.jpeg)
ବର୍ତ୍ତମାନ ଇ-ସଂଜୀବନୀ ଜରିଆରେ ରୋଗୀଙ୍କୁ ମେଡିସିନ, ଶିଶୁରୋଗ ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ସମ୍ବନ୍ଧୀୟ ପରାମର୍ଶ ଦିଆଯାଉଛି। ସପ୍ତାହରେ ତିନି ଦିନ ଏହି ସେବା ମିଳୁଛି। ସୋମବାର ଦିନ ମେଡିସିନ ସ୍ପେସିଆଲିଷ୍ଟ, ବୁଧବାର ଦିନ ଶିଶୁ ରୋଗ ବିଶେଷଜ୍ଞ ଓ ଶୁକ୍ରବାର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଉପସ୍ଥିତ ରହି ରୋଗୀମାନଙ୍କୁ ପରାମର୍ଶ ଦେଉଛନ୍ତି।
‘ଇ-ସୀବନୀ’ ସେବା ଫଳରେ ବିଶେଷଜ୍ଞମାନେ ଦୂରରେ ରହି ମଧ୍ୟ ରୋଗୀଙ୍କ ସମସ୍ୟା ବୁଝି ଆବଶ୍ୟକ ଚିକିତ୍ସା ପରାମର୍ଶ ଦେଉଛନ୍ତି। ଏହି ସେବା କରୋନା କାଳରେ ରୋଗୀମାନଙ୍କ ପାଇଁ ସୁବିଧାଜନକ ହୋଇଛି। ଏହି ସେବା ପାଇଁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ କମ୍ପ୍ୟୁଟର, ୱେବ କ୍ୟାମେରା, ମାଇକ୍ରୋଫୋନ ସହ ସ୍ପିକର ଏବଂ ପ୍ରିଣ୍ଟର ଆଦି ଯୋଗାଇ ଦିଆଯାଇଛି। ସ୍ଥାନୀୟ ଡାକ୍ତରଙ୍କୁ ଏହି ଟେଲି ପରାମର୍ଶ ସେବାର ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/WhatsApp-Image-2021-04-21-at-16.41.00-1.jpeg)