ଶୁଖିଲା ପଡ଼ିଛି ଅଣଜଳସେଚିତ ବାଲିଶଙ୍କରା ଅଞ୍ଚଳ, ସର୍ଭେରେ ଅଟକିଛି ତେଲିଯୋର ବନ୍ଧ 

ସୁନ୍ଦରଗଡ଼ : ଇବ ନଦୀର ଉପରମୁଣ୍ଡରେ ବନ୍ଧ ପରେ ବନ୍ଧ ବାନ୍ଧି ଚାଲିଛି ଛତିଶଗଡ଼। କିନ୍ତୁ ତଳମୁଣ୍ଡରେ ଥିବା ଆଦିବାସୀ ଅଧ୍ୟୁସିତ ସୁନ୍ଦରଗଡ଼ ଜିଲ୍ଲା ସେମିତି ଶୁଖିଲା ପଡ଼ିଛି। ସୁନ୍ଦରଗଡ଼ ଇବ୍ ବ୍ୟାରେଜ ପରି ତେଲିଯୋର କ୍ଷୁଦ୍ରଜଳସେଚନ ପ୍ରକଳ୍ପ ଏବେ ନାଲିଫିତା ତଳେ। ତଳସରା ନିର୍ବାଚନ ମଣ୍ଡଳୀର ବାଲିଶଙ୍କରା ବ୍ଲକ ତେଲିଯୋର ଠାରେ ଓଡ଼ିଶା ସରକାରଙ୍କ ପ୍ରସ୍ତାବିତ ଏହି ପ୍ରକଳ୍ପ ୮ ବର୍ଷ ଧରି କେବଳ ସର୍ଭେରେ ଅଟକିଛି। ମହାନଦୀ ଜଳବିବାଦ ମାମଲା ନ୍ୟାୟାଳୟରେ ବିଚାରାଧୀନ ଥିବା ବେଳେ ପ୍ରକଳ୍ପ ନିର୍ମାଣ ନେଇ ଦେଖାଦେଇଛି ଅନିଶ୍ଚିତତା। ତେଲିଯୋର ଅଞ୍ଚଳର ଚାଷୀଙ୍କୁ ଜଳସେଚନ ସୁବିଧା ଦେବାକୁ ରାଜ୍ୟ ସରକାର ଏକ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି ନେବା ସହ ସର୍ଭେ କରିବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଗତ ୨୦୧୩ରୁ ଆରମ୍ଭ ହୋଇଥିଲା ସର୍ଭେ। ପ୍ରକଳ୍ପ ଦ୍ବାରା ବାଲିଶଙ୍କରା ବ୍ଲକର ତେଲିଯୋର, ବାଙ୍କି଼ଡିହି, ଘୋଗର, କିଙ୍କିବନ୍ଧ, ଭଣ୍ଡାରିଶଙ୍କରା, ଥାନା ଶଙ୍କରା, ବାଲିଶଙ୍କରା ସମେତ ସବଡେଗା ବ୍ଲକର ମାୟାବାହାଲ, ଯମୁନା ଓ ସବଡେଗା ଗ୍ରାମର ୮୨ ହଜାର ହେକ୍ଟର ଜମିକୁ ଜଳସେଚିତ ହୋଇଥାନ୍ତା। ତେବେ ଏଥିରେ ତେଲିଯୋର ଓ ବାଙ୍କିଡିହି ଗ୍ରାମ ସମ୍ପୂର୍ଣ୍ଣ ଭାବେ ବିସ୍ଥାପିତ ହେବାକୁ ଥିବା ବେଳେ ପ୍ରକଳ୍ପ ପାଇଁ ଗ୍ରାମବାସୀ ନିଜ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୃତ ଥିଲେ। ତେବେ ସର୍ଭେକୁ ୮ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହୋଇପାରୁନାହିଁ। ଯାହାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖା ଦେଲାଣି ଅସନ୍ତୋଷ। ପ୍ରସ୍ତାବିତ ଏହି ପ୍ରକଳ୍ପର ଲମ୍ବ ୧୬୭୦ ମିଟର ହେବାକୁ ଥିବା ବେଳେ ଏହାର ଜଳଧାରଣ କ୍ଷମତା ୧୭୪୪୪.୪୭ ହେକ୍ଟର ମିଟର। ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ ଖରିଫ ଋତୁରେ ୭୩୮୦୦ ହେକ୍ଟର ଓ ରବିରେ ୧୬୪୦୦ ହେକ୍ଟର ଜମି ଜଳସେଚିତ ହୋଇଥାନ୍ତା। ଜଳସେଚନର କୌଣସି ସୁବିଧା ନଥିବା ଏହି ଅଞ୍ଚଳରେ ଏହି ପ୍ରକଳ୍ପ ହୋଇଥିଲେ ଚାଷୀଙ୍କ ଜମିରେ ଦୁଇ ଋତୁରେ ଫସଲ ଉପୁଜିଥାନ୍ତା। ଛତିଶଗଡ଼ ପାଣି ଅଟକାଇ ଦେଇଥିବାରୁ ଖରାଦିନେ ଇବ୍ ଏଠାରେ ଶୁଖିଲା ପଡ଼ିଯାଏ। ଲୋକେ ପାଣି ପାଇଁ ଡହଳବିକଳ ହୁଅନ୍ତି। ସ୍ଵଳ୍ପ ବୃଷ୍ଟିପାତ ସହ ପାଣିପାଗରେ ପରିବର୍ତ୍ତନ ପାଇଁ ପ୍ରାୟ ସମୟରେ ମରୁଡ଼ି ପରିସ୍ଥିତି ମଧ୍ୟ ଦେଖାଦେଉଛି। ତେଣୁ ତେଲିଯୋର ପ୍ରକଳ୍ପ ଅଞ୍ଚଳ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର