ଜାଗର ପାଇଁ ଚଳଚଞ୍ଚଳ ଶୈବପୀଠ; ଭୋଳାନାଥଙ୍କ ଦର୍ଶନ ଲାଗି ହଜାର ହଜାର ଭକ୍ତଙ୍କ ସମାଗମ

ଜୟପୁର: ଆଜି ମହାଶିବରାତ୍ରୀ। କୋଭିଡ୍ ସଂକ୍ରମଣ ଆଶଙ୍କା ଭିତରେ ହିଁ ଜାଗର ପାଇଁ ଚଳଚଂଚଳ ସାରା ସହର ଏବଂ ଆଖପାଖ ଗାଁର ସମସ୍ତ ଶୈବପୀଠ। ପାହାନ୍ତିଆରୁ ହିଁ ଶ୍ରଦ୍ଦାଳୁ ଭକ୍ତଙ୍କ ଗହଳି ଜମିଥିଲା ବିଭିନ୍ନ ପୀଠରେ। ଦେବ ଦେବ ମହାଦେବଙ୍କ ଦର୍ଶନ ସମେତ ମାଁ ପାର୍ବତୀ, ଗଣେଶ, କାର୍ତ୍ତିକଶ୍ବେର, ହନୁମାନ ଆଦିଙ୍କର ବି ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା।

ଭୋରରୁ ଠାକୁରଙ୍କ ମଙ୍ଗଳ ଆଳତି ଓ ଅବକାଶ ହେବା ପରେ ଚାଲିଥିଲା ସାହାଣମେଳା। ଦର୍ଶନ ପାଇଁ ଭକ୍ତଙ୍କୁ ମନ୍ଦିରକୁ ଛଡାଯାଇଥିଲା। ଦିନ ବଢ଼ିବା ସହ ଧିରେଧିରେ ଗହଳି ବି ବଢିବାରେ ଲାଗିଥିଲା। ପ୍ରଶାସନର ନିର୍ଦେଶ ମୁତାବକ ବିଭିନ୍ନ ମନ୍ଦିରର ପରିଚାଳନା କମିଟି, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦର୍ଶନ ସମୟରେ ସାନିଟାଇଜର ଓ ମାସ୍କ ବିତରଣ କରିବା ସହ ସାମାଜିକ ଦୂରତା ରକ୍ଷା କରି ବାବାଙ୍କ ଦର୍ଶନ କରାଇଥିଲେ। ବିଭିନ୍ନ ମନ୍ଦିରରେ ଏଥରକ ମନ୍ଦିର ବେଢ଼ାର ଦୁରରେ ଦୀପ ଓ ଅଗରବତୀ ଜାଳିବାକୁ କୁହାଯିବାରୁ ଭକ୍ତମାନଙ୍କ ଭିତରେ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା। ସେଭଳି ମନ୍ଦିର ଗୁଡ଼ିକରେ ବି ୩ରୁ ୫ଜଣ ପର୍ଯ୍ୟନ୍ତ ପୂଜକ ରହି ପୂଜା କରୁଥିବା ଦେଖିବାକୁ ମିଳିଥିଲା। ଭଜନ ସମାରୋହ ଓ ନାମ ସଂକୀର୍ତ୍ତନ ଏଥରକ ବାତିଲ ଥିବା ବେଳେ କେବଳ ମାଇକରେ ଶିବ ପଂଚାକ୍ଷର ସବୁ ଶୈବପୀଠରେ ବାଜୁଥିବା ଦେଖିବାକୁ ମିଳିଥିଲା।

Sambad

ବୈଦନାଥ, ପଂଚାନନ, ଗାଗନାପୁରର ବା‌ଲୁଙ୍କେଶ୍ବର, କନକପରମେଶ୍ବରୀ, ନୀଳକଣ୍ଠେଶ୍ବର, ବାରିଣୀପୁଟର ସିଦ୍ଧେଶ୍ବର, ଝାଙ୍କରଦେଇ ମନ୍ଦିର, ପୁରୁଣାଗଡର ନୀଳକଣ୍ଠେଶ୍ବର, ରାଜୁସାହିର ପଂଚାନନ ମନ୍ଦିର, ବଦଳିମାଳିଗୁଡାର ସିଦ୍ଧେଶ୍ବର ମନ୍ଦିର ପରିସର ଭଳି ପୀଠରେ ପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଥିଲା। ଖାସ୍ କରି ଅଷ୍ଟଶମ୍ଭୁ ଦର୍ଶନ ପାଇଁ ତଥା ଗତ ୧୧ମାସ ପରେ ମହାପ୍ରଭୁଙ୍କ ଦର୍ଶନ ମିଳୁଥିବାରୁ ଅଧିକାଂଶ ମନ୍ଦିରରେ ଭୀଡ଼ ଦେଖିବାକୁ ମିଳିଥିଲା। ପ୍ରାୟ ସବୁ ମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ସକାଳୁ ସକାଳୁ ମହାଦେବଙ୍କ ନୀତିକାନ୍ତି ଚାଲିଥିଲା। ପ୍ରାୟ ସମସ୍ତ ମନ୍ଦିରରେ ରାତି ୧୦ଟା ପରେ ପ୍ରଭୁ ଶିବଙ୍କ ପାଖରେ ଉଠିବ ଜାଗର ମହାଦୀପ। ରାଜରାଜୁଡା ଅମଳର ପୁରୁଣା ମନ୍ଦିର ହୋଇଥିବାରୁ ଆଜି ବି ପୁରୁଣାଗଡ଼ର ଏହି ନିଳକଣ୍ଠେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼ ବେଶ ଜମିଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ପୀଠରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଓ କଟକଣାକୁ ବଜାୟ ରଖିବା ପାଇଁ ବ୍ୟାପକ ଭାବେ ଟାଉନ ଓ ସଦରଥାନା ପକ୍ଷରୁ ପୁଲିସ ମୁତୟନ କରାଯାଇଛି। ଏହାସହ କୌଣସି ପ୍ରକାର ଅଘଟଣ ଏଡ଼ାଇବା ପାଇଁ କଡ଼ା ନଜର ରଖାଯାଇଛି ।

ସମ୍ବନ୍ଧିତ ଖବର