ନିଆଳି: ପ୍ରାଚୀ ନଦୀ କୂଳରେ ଥିବା ମଠମନ୍ଦିର କୋଣାର୍କ ଓ ପୁରୀ ଶ୍ରୀମନ୍ଦିରରୁ ମଧ୍ୟ ପ୍ରାଚୀନ ବୋଲି ଗବେଷକ ମତ ଦିଅନ୍ତି। ପୂଣ୍ୟତୋୟା ପ୍ରାଚୀ ନଦୀକୂଳରେ ଗଢ଼ି ଉଠିଥିବା ଏହି କୀର୍ତ୍ତିରାଜି ଏବେ ଅସୁରକ୍ଷିତ, ଅବହେଳିତ। ଦଶମ ଶତାବ୍ଦୀରୁ ଦ୍ବାଦଶ ଶତାବ୍ଦୀ ମଧ୍ୟରେ ତତ୍କାଳୀନ ରାଜାମାନେ ମଠ ଓ ମନ୍ଦିର ନିର୍ମାଣ କରିବା ସହ ସୁନ୍ଦର କଳାକୃତି ଓ ଦୁର୍ଲଭ ଶିଳାଲେଖ ସ୍ଥାପନ କରିଥିଲେ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମଠ-ମନ୍ଦିରରେ ଥିବା ଏହି କଳାକୃତି ନଷ୍ଟ ହୋଇଯାଉଛି। ଇତିମଧ୍ୟରେ ବହୁ କଳାକୃତି ଚୋରି ମଧ୍ୟ ହୋଇଯାଇଛି। ହେଲେ, ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଏହାକୁ କେବଳ ସଂରକ୍ଷିତ କୀର୍ତ୍ତିରାଜି ଭାବେ ଘୋଷଣା କରି ଦାୟିତ୍ବ ଶେଷ କରିଦେଇଥିବା ଅଭିଯୋଗ ହେଉଛି। ବର୍ତ୍ତମାନସୁଦ୍ଧା ପ୍ରାଚୀନ ଶିଳାଲିପି ଓ ମନ୍ଦିର ଗାତ୍ରରେ ଥିବା ଲେଖାର ପୁନରୁଦ୍ଧାର କରାଯାଇ ନାହିଁ। ପ୍ରାଚୀ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଥିବା ମଠ-ମନ୍ଦିରକୁ ନେଇ ସ୍ବତନ୍ତ୍ର ପର୍ଯ୍ୟଟନ ଜୋନ୍ ନିର୍ମାଣ କରାଯିବ ବୋଲି କିଛିବର୍ଷ ତଳେ ଯୋଜନା କରାଯାଇଥିଲା। ଏହି ଯୋଜନା ଆଜିପର୍ଯ୍ୟନ୍ତ କେବଳ ଯୋଜନାରେ ହିଁ ରହି ଯାଇଥିବା ଅଭିଯୋଗ ହେଉଛି।
ଅନ୍ୟପଟେ, ଗମନାଗମନ ସୁବିଧା ଓ ପ୍ରଚାର ଅଭାବରୁ ଏହି ମନ୍ଦିରଗୁଡ଼ିକ ଲୋକଲୋଚନକୁ ଆସିପାରୁ ନାହିଁ।
ରକ୍ଷଣାବେକ୍ଷଣ ଅଭାବରୁ ଅନେକ ପ୍ରାଚୀନ ମନ୍ଦିର ବିଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଛି। ଐତିହାସିକ ତଥ୍ୟ ସମ୍ବଳିତ ଶିଳାଲେଖ ଓ କଳାକୃତି ଧୀରେ ଧୀରେ ଲୁଚି ଯାଉଛି। ସେଥିମଧ୍ୟରୁ ନିଆଳିର ଚତୁର୍ଥ ଶମ୍ଭୁ ଶୋଭନେଶ୍ବର ମନ୍ଦିରର କଳାକୃତି ପତ୍ନତତ୍ତ୍ବ ବିଭାଗର ଖାମଖିଆଲି ନୀତି ଯୋଗୁଁ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ୮୦୦ ବର୍ଷର ପୁରାତନ ମାଧବର ମାଧବାନନ୍ଦଜିଉ ମନ୍ଦିର ଗାତ୍ରରେ ଥିବା ବହୁ ପ୍ରାଚୀନ କଳାକୃତି ରକ୍ଷଣାବେକ୍ଷଣ ଅଭାବରୁ ଖରାବର୍ଷାରେ ପଡ଼ି ରହିଛି। ଏହାର ସଂରକ୍ଷଣ ପାଇଁ ସଂଗ୍ରହାଳୟ ପ୍ରତିଷ୍ଠା କରିବାକୁ ବର୍ଷବର୍ଷ ଧରି ଦାବି ହୋଇଆସୁଛି। ଷଡାଂଶର ତ୍ରିଲୋଚନେଶ୍ବର ମନ୍ଦିର, ଜଲ୍ଲାରପୁରର ରାମେଶ୍ବର ମନ୍ଦିର, ଅମରେଶ୍ବର ମନ୍ଦିର, ବରାହୀ ମନ୍ଦିର, ଗୋମୁଖୀ ମନ୍ଦିର ଗାତ୍ରରେ ଥିବା ପ୍ରାଚୀନ କଳାକୃତି ଓ ଶିଳାଲିପି ମଧ୍ୟ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଏହାର ସୁରକ୍ଷା ପାଇଁ ରାସାୟନିକ ପ୍ରଲେପ ଦେବା ସହ ବୃକ୍ଷରୋପଣ, ପାନ୍ଥନିବାସ ନିର୍ମାଣ, ରାଜପଥ ସହ ସଂଯୋଗ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେହିପରି ପ୍ରାଚୀନ କୀର୍ତ୍ତିରାଜି ଲୋକଲୋଚନକୁ ଆଣିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେବା ସହ ସ୍ବତନ୍ତ୍ର ପର୍ଯ୍ୟଟନ ଜୋନ୍ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରାଚୀ ଉପତ୍ୟକା ବିକାଶ ମଞ୍ଚ ପକ୍ଷରୁ ଦାବି କରାଯାଇଛି।