୪ରେ ଖୋଲିବ ମା’ ମଝିଘରିଆଣୀ ମନ୍ଦିର, କୋଭିଡ଼୍ ନିୟମ ଭିତରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିର୍ଦେଶ

ଗର୍ଭଗୃହରେ ରହି ଥରକେ ୧୦ ଭକ୍ତ କରିପାରିବେ ପୂଜାର୍ଚ୍ଚନା, ଦୀର୍ଘ ୯ ମାସ ପରେ ହେବ ଭକ୍ତ-ଭଗବାନଙ୍କ ମଧ୍ୟରେ ଭେଟ

ରାୟଗଡ଼ା: ଆସନ୍ତା ଜାନୁଆରି ୪ ତାରିଖରୁ ଖୋଲିବ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର। ଦୀର୍ଘ ୯ ମାସ ପରେ ହେବ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭେଟ। କୋଭିଡ଼୍ ନିୟମ ଭିତରେ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଆଜି ଜିଲ୍ଲା ପ୍ରଶାସନ ଘୋଷଣା କରିବା ପରେ ଭକ୍ତ ମହଲରେ ଖୁସିର ଲହରି ଖେଳି ଯାଇଛି। ତେବେ ମକର ସଂକ୍ରାନ୍ତି, ‌ପୋଙ୍ଗଲରେ ଭକ୍ତଙ୍କ ଭିଡ଼ ଦୃଷ୍ଟିରୁ ଜାନୁଆରୀ ୧୨ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମଝିଘରିଆଣୀ ମନ୍ଦିର ବନ୍ଦ ରଖିବାକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିର୍ଦେଶ ଦେଇଛନ୍ତି।

କୋଭିଡ଼୍ କଟକଣା ପାଇଁ  ମାର୍ଚ୍ଚ ୨୫ ରୁ ବନ୍ଦ ରହିଥିଲା ମା’ ମଝିଘରିଆଣୀ ମନ୍ଦିର। ରାଜ୍ୟର ପ୍ରମୁଖ ମନ୍ଦିର ଗୁଡ଼ିକ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରିଥିଲେ। ରାୟଗଡ଼ାରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବାରୁ ମା’ ମଝିଘରିଆଣୀଙ୍କ ମନ୍ଦିର ଖୋଲିବା ନେଇ ଭକ୍ତ ମହଲରେ ଦାବି ହୋଇଥିଲା। କିନ୍ତୁ ନୂଆ ବର୍ଷ ପୂର୍ବରୁ ମନ୍ଦିର ଖୋଲିବା ନେଇ ଟ୍ରଷ୍ଟ ବୋର୍ଡ-ପ୍ରଶାସନ ମଧ୍ୟରେ ସହମତି ହୋଇପାରିନଥିଲା।

ଆଗକୁ ମକର ସଂକ୍ରାନ୍ତି ଓ ପ‌ୋଙ୍ଗଲ ଥିବାରୁ ଜାନୁଆରି ୧୪ ତାରିଖ ପରେ ହିଁ ମନ୍ଦିର ଖୋଲିବା ନେଇ ଟ୍ରଷ୍ଟ ବୋର୍ଡ-ପ୍ରଶାସନ ମଧ୍ୟରେ ବିଚାର ବିର୍ମଶ ଚାଲିଥିଲା। ଏପରିକି ଯଦି ପୂର୍ବରୁ ମନ୍ଦିର ଖୋଲାଯିବ ତାହାହେଲେ କ’ଣ  ପଦ‌କ୍ଷେପ ନିଆଯିବ ସେ ସଂପର୍କରେ ରିପୋର୍ଟ ଦେବାକୁ ରାୟଗଡ଼ା, ଗୁଣପୁର ଉପଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ ଜିଲ୍ଲାପାଳ ଶ୍ରୀ ବେହେରା କହିଥିଲେ।

ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗତକାଲି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ତହସିଲଦାର ଉମା ଶଙ୍କର ବେହେରା ମଝିଘରିଆଣୀ ମନ୍ଦିର ପରିଦର୍ଶନ କରି ଟ୍ରଷ୍ଟ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଫଳସ୍ବରୂପ ଆଜି ପ୍ରଶାସନ ମନ୍ଦିର ଖୋଲିବା ନେଇ ସବୁଜ ସଙ୍କେତ ଦେଇଛି। ଦର୍ଶନ ସମୟରେ ସାମାଜିକ ଦୂରତା ବଜାୟ ରଖିବା ସହ ସମସ୍ତ ଭକ୍ତ ମାସ୍କ ପରିଧାନ, ମନ୍ଦିରକୁ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କରିବା ଉପରେ ପ୍ରଶାସନ ଗୁରୁତ୍ବ ଦେଇଛି। ଗର୍ଭଗୃହରେ ଏକା ଥରକେ ୧୦ ଭକ୍ତଙ୍କ ମା’ଙ୍କ ପୂଜାର୍ଚନା କରିବା ନେଇ ନିର୍ଦେଶ ହୋଇଛି।

ସେହିପରି ମନ୍ଦିର ଭିତରକୁ ନଡ଼ିଆ, କଦଳୀ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଭକ୍ତମାନେ ବାହାରେ ନଡ଼ିଆ ଭାଙ୍ଗି କେବଳ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯିବେ। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ମନ୍ଦିର ବାହାରେ ଆବଶ୍ୟକ ସଂଖ୍ୟକ ପୁଲିସ୍ ଫୋର୍ସ ମୁତୟନ କରିବାକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଜିଲ୍ଲା ପ୍ରଶାସନ ଆଲୋଚନା କରିଛି। ମଝିଘରିଆଣୀ ମନ୍ଦିର ପରି ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ପାଇକପଡ଼ାର ମା’ ଦକ୍ଷିଣକାଳୀ, ପାତାଳେଶ୍ବର ଶିବ ମନ୍ଦିର, ରାୟଗଡ଼ା ଜଗନ୍ନାଥ ମନ୍ଦିର, କାଶୀପୁରର ମା’ ମାଣିକେଶ୍ବରୀ, ବିଷମକଟକର ମା ମାର୍କମା ମନ୍ଦିର ମଧ୍ୟ ଖୋଲିବ। ମନ୍ଦିର ଖୋଲିବା ପାଇଁ ଆଜି ସକାଳେ ଜିଲ୍ଲାର ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ଜରିଆରେ ସ୍ମାରକପତ୍ର ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିବା ପରେ ପ୍ରଶାସନିକ ସ୍ତରରେ ଆଲୋଚନା କରି ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଚିଠି ନଂ-୧, ତା: ୨.୧.୨୦୨୧ ରେ ନିର୍ଦେଶନାମା ଜାରି କରିଥିଲେ। ଜିଲ୍ଲାପାଳଙ୍କ ମନ୍ଦିର ଖୋଲିବା ନିଷ୍ପତ୍ତିକୁ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ପାର୍ଥ ବର୍ଧନ, ଶିବାଜୀ ଦାଶ, ବିଦ୍ୟା ଭୂଷଣ ପଣ୍ଡାଙ୍କ ସମେତ ଜିଲ୍ଲାର ବିଭିନ୍ନ ବର୍ଗର ଲୋକ ପ୍ରଶଂସା କରିଛନ୍ତି।

 

ସମ୍ବନ୍ଧିତ ଖବର