ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଅର୍ଦ୍ଧଭଗ୍ନ ପୁରାତନ ମନ୍ଦିର

ଲକ୍ଷ୍ମୀପ୍ରସାଦ:  ବୌଦ୍ଧ ଜିଲ୍ଲାର ବଘିଆପଡା ପଂଚାୟତ ଦୁର୍ଗାପ୍ରସାଦ ଗ୍ରାମ ନିକଟରେ ଥିବା ଏକ ପାହାଡ଼ ଉପରେ ଅଷ୍ଟାଦଶ ଶତାବ୍ଦୀରେ ବୌଦ୍ଧ ରାଜା ଯୋଗୀନ୍ଦ୍ରଦେବ ନିର୍ମାଣ କରିଥିବା ମନ୍ଦିର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଜିଲ୍ଲା ପ୍ରଶାସନ ଓ ରାଜନୈତିକ ଇଛାଶକ୍ତି ଅଭାବରୁ ତାହା ଏବେ ତାର ଅସ୍ତିତ୍ବ ହରାଇବାକୁ ବସିଛି। ଯେଉଁଠି ଦେଖିଲେ ଚାରି ଆଡ଼େ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଛି। ନା ଅଛି ଜନବସତି, ନା ଅଛନ୍ତି ଠାକୁର, କେବଳ ଅର୍ଦ୍ଧଭଗ୍ନ ଅବସ୍ଥାରେ ମୁଣ୍ଡ ଟେକି ରହିଛି ଏକ ବିରାଟ ମନ୍ଦିର। ଏ ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲାର ବଘିଆପଡା ପଂଚାୟତ ଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମ ନିକଟରେ ଥିବା ଏକ ପାହାଡ଼ ଉପରେ ରହିଛି ଏହି ବିରାଟ ଅର୍ଦ୍ଧଭଗ୍ନ ମନ୍ଦିର। ଯାହା କି ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ ଏହି ମନ୍ଦିର ବୌଦ୍ଧ ରାଜା ଯୋଗୀନ୍ଦ୍ରଦେବ ନିର୍ମାଣ କରିଥିଲେ ବୋଲି ସ୍ଥାନୀୟ ଲୋକେ କହନ୍ତି।

ଏହି ମନ୍ଦିର ଅତ୍ୟନ୍ତ କଠିନ। ପୋଡାଇଟା ସହିତ ବାଲିରେ ଚୂନ ଓ ଗୂଡ଼ରେ ମିଶ୍ରଣ କରି ଏହି ମନ୍ଦିର ନିର୍ମାଣ କାରୁକାର୍ଯ୍ୟ କରାଯାଇଥିଲା। ଯାହା କି ହାତରେ ମଧ୍ୟ ସ୍ପର୍ଶ କଲେ ବି ଅଧିକ ଟାଣ ଲାଗିଥାଏ। ତେବେ ଏହା ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ତଥା ପ୍ରଶାସନ ଦୃଷ୍ଟି ପଡୁନଥିବାରୁ ଏବେ ଏହା ଭାଙ୍ଗିରୁଜି ଯାଇ ତାର ଅସ୍ତିତ୍ବ ହରାଇବାକୁ ବସିଛି। କେଉଁଠି ଏହି ପୁରାତନ ଶିଳାଖଣ୍ଡ ଗୁଡିକ ବାହାରେ ପଡିରହିଛି ତ ଆଉ କେଉଁଠି ଅନେକ ସାମଗ୍ରୀ ପୋତି ହୋଇ ଗଲାଣି। ଲୋକଙ୍କ କହିବା ଅନୁଯାୟୀ ଏହି ମନ୍ଦିରରେ ଲିଙ୍ଗ ସ୍ଥାପନ କରିବା ପାଇଁ ନିକଟରେ ଥିବା ଖଲିଆପାଲି ଗୁପ୍ତେଶ୍ଵର ମନ୍ଦିରରୁ ହାତୀ ସାହାଯ୍ୟରେ ଲିଙ୍ଗ ଆଣିବା ପାଇଁ ରାଜା ଚେଷ୍ଟା କରିଥିଲେ। ହେଲେ ତାହା ସଫଳ ହୋଇ ପାରି ନଥିଲା। ତେଣୁ କୌଣସି କାରଣ ବଶତଃ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହୋଇ ନ ଥିଲା ଏବଂ ରାଜା ମଧ୍ୟ ଏହି ମନ୍ଦିର ସମ୍ପୂର୍ଣ୍ଣ କରି ନ ଥିଲେ ତାହା ଏବେ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି।

ଏଭଳି ସ୍ଥିତିରେ ଜିଲ୍ଲାରେ ଅନେକ ପୁରାତନ ଐତିହାସିକ କୀର୍ତ୍ତିରାଜିକୁ ଉଦ୍ଧାର କରାଯାଉଥିବା ଏବେ ଏହାକୁ ମଧ୍ୟ ଅବହେଳା ନ କରି ଏହି ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିରକୁ ପୁନରୁଦ୍ଧାର କରିବା ସହିତ ସୁରକ୍ଷା କରି ପର୍ଯ୍ୟଟନ ମାନଚିତ୍ରରେ ସାମିଲ କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଦଶବର୍ଷ ପୂର୍ବରୁ ସ୍ଥାନୀୟ ଲୋକମାନେ ଶିଵ ମନ୍ଦିର ଭାବି ଏହି ସ୍ଥାନରେ ଗର୍ଭଣା ସଂକ୍ରାନ୍ତି ଠାରୁ ନାମ ସଂକୀର୍ତ୍ତନ ସହିତ ହୋମ ଯଜ୍ଞ କରୁଥିବା ବେଳେ ଆଖପାଖ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ଏହି ସୁନ୍ଦର ସ୍ଥାନକୁ ଦେଖିବା ପାଇଁ ଆସୁଥିଲେ। ତେବେ ତାହା ଆର୍ଥିକ ଅନାଟନ ଯୋଗୁଁ ବନ୍ଦ ରହିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ତେଣୁ ଏହି ସ୍ଥାନକୁ ଯିବା ଆସିବା ପାଇଁ ରାସ୍ତା ନିର୍ମାଣ କରିବା ସହିତ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ମାନେ ଦାବି କରିଥିବା ଜଣା ପଡିଛି। ତେବେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ମନ୍ଦିରକୁ ସୁରକ୍ଷା ସହିତ ଏହି ସ୍ଥାନକୁ ଓଡିଶା ପର୍ଯ୍ୟଟନ ମାନଚିତ୍ର ସାମିଲ କରାଗଲେ ଅଂଚଳର ବିକାଶ ସହିତ ଏକ ଅବହେଳିତ ସ୍ଥାନ ପୁଣିଥରେ ପୂର୍ଣ୍ଣରୁଦ୍ଧାର କରାଗଲା ଏଠାକୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟନଙ୍କ ସୁଅ ଛୁଟିବ।

ସମ୍ବନ୍ଧିତ ଖବର