ଚନ୍ଦାହାଣ୍ଡି: କରୋନା କଟକଣାରେ ଦୀର୍ଘ ୨ବର୍ଷ ହେବ ଅନୁଷ୍ଠିତ ହୋଇ ନଥିବା ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ତଥା ପାନାବେଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଖମ୍ବେଶ୍ଵରୀଙ୍କ ମଣ୍ଡେଇ ଯାତ୍ରା ଚଳିତବର୍ଷ ଅନୁଷ୍ଠିତ ହୋଇଛି। ମଣ୍ଡେଇ ଯାତ୍ରାର ପ୍ରଥମଦିନ ଦେବୀଙ୍କ ଆସ୍ଥାନ ନିକଟରେ ଶହଶହ ମନଷ୍କାମନା ଧାରି ଛାଗ-କୁକୁଡ଼ା ଆଦି ବଳି ଦେଇଥିବାରୁ ମାଁଙ୍କ ପୀଠ ରକ୍ତ ରଞ୍ଜିତ ହୋଇଛି।
ମଣ୍ଡେଇ ଯାତ୍ରା ଦୀର୍ଘ ୨ବର୍ଷ ପରେ ପାଳିତ ହେବାକୁ ଥିବାରୁ ଅଞ୍ଚଳ ତଥା ପଡୋଶୀ ଜିଲ୍ଲା ଓ ରାଜ୍ୟ କଳାହାଣ୍ଡି, ନୂଆପଡ଼ା, ଛତିଶଗଡ଼ରୁ ଶ୍ରଦ୍ଧାଳୁଙ୍କ ଆଗମନ ଲାଗି ରହିଛି। ଚନ୍ଦାହାଣ୍ଡି ବ୍ଲକ୍ ବା ପାନାବେଡ଼ା ଅଞ୍ଚଳ ଅବିଭକ୍ତ କୋରାପୁଟ ଜିଲ୍ଲାର ଶେଷ ମୁଣ୍ଡରେ ତଥା ଛତିଶଗଡ଼ ରାଜ୍ୟ ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ଅବସ୍ଥିତ। ପୂର୍ବରେ ବାରେହି ନଦୀ ଛତିଶଗଡ଼ ଓ ଉତ୍ତରରେ ତେଲ ନଦୀ ଓଡ଼ିଶା ଓ ଛତିଶଗଡ଼ର ବ୍ୟବଧାନ ସୃଷ୍ଠି କରୁଥିବା ବେଳେ ଦକ୍ଷିଣରେ ଓ ପଶ୍ଚିମରେ ଝରିଗାଁ ବନାଞ୍ଚଳର ଘଞ୍ଚ ବନାନୀ ଲାଗି ରହିଛି। ଅବସ୍ଥିତି ଦୃଷ୍ଟିରୁ ଏ ଅଞ୍ଚଳ ବିଚିତ୍ରତା ବହନ କରୁଥିବାବେଳେ ଏହି ଅଞ୍ଚଳର ଦେବାଦେବୀ ଲୋକ ସଂସ୍କୃତି ପରମ୍ପରା ମଧ୍ୟ ଅନ୍ୟ ଅଞ୍ଚଳ ଠାରୁ ଭିନ୍ନ ଅଟେ। କଥିତ ଅଛି ପାନାବେଡା ଅଞ୍ଚଳ ପୂର୍ବରୁ ଖଡ଼ିଆଳ ରାଜାଙ୍କ ଶାସନାଧୀନ ରହିଥିଲା ଏବଂ କାଳକ୍ରମେ ଜୟପୁର ରାଜାଙ୍କ ଖଡ଼ିଆଳ ରାଜା ବନ୍ଧୁତା ହେବାରୁ ଏହି ଅଞ୍ଚଳକୁ ଅର୍ଥାତ୍ ଚନ୍ଦାହାଣ୍ଡି ବ୍ଲକ୍କୁ ଜୟପୁରର ରାଜାଙ୍କୁ ପାନ ବିଡ଼ି ଖର୍ଚ୍ଚ ନିମନ୍ତେ ଭେଟି ଦିଆ ହୋଇଥିଲା ଓ ଭାଷାର ଅପଭ୍ରଂଶ ହୋଇ ଏହା ସମୟକ୍ରମେ ପାନାବେଡ଼ା ବୋଲି ଅଭିହିତ କରାଗଲା। କିମ୍ବଦନ୍ତୀ ଅଛି ଖଡ଼ିଆଳର ସାମନ୍ତ ରାଜା ଆର୍ତ୍ତତ୍ରାଣ ସିଂହଦେଓଙ୍କ ବଂଶ ଧର୍ ମାନେ ଏହି ଅଞ୍ଚଳକୁ ଗସ୍ତ କରି ମାସ ମାସ ଧରି ରହିଥିଲେ ଯାହାର ପ୍ରମାଣ ପଲସାପଡ଼ାର ରାଜାପଡ଼ା ବୋଲି କୁହାଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/WhatsApp-Image-2022-05-14-at-7.08.46-PM.jpeg)