କୋରାପୁଟ: ଆସନ୍ତା ୩୦ ତାରିଖରେ କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ତେବେ ଡିସେମ୍ବର ୩୧, ଜାନୁଆରୀ ୧ ଓ ୨ ତାରିଖରେ ଧର୍ମାନୁଷ୍ଠାନଗୁଡିକ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। ପୁଣି ୩ ତାରିଖରୁ ଏହା ନିୟମିତ କୋଭିଡ କଟକଣା ଅନୁସାରେ ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଦୀର୍ଘ ୮ ମାସ ପରେ ଧର୍ମାନୁଷ୍ଠାନଗୁଡିକ ଖୋଲା ହେବା ନିଷ୍ପତ୍ତି ପରେ ଶ୍ରଦ୍ଧାଳୁଙ୍କ ମହଲରେ ଉତ୍ସାହ ପ୍ରକାଶ ପାଇଛି। କରୋନା କାରଣରୁ କୋରାପୁଟ ଜିଲ୍ଲାରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ମାର୍ଚ୍ଚ ମାସରୁ ବନ୍ଦ ରହିଛି। ଧର୍ମାନୁଷ୍ଠାନ ଖୋଲିବା ନେଇ ସରକାର ଜିଲ୍ଳା ପ୍ରଶାସନକୁ କ୍ଷମତା ଦେବା ପରେ ପ୍ରଶାସନ ବୈଠକ କରି ଏ ସଂପର୍କରେ ଆଲୋଚନା କରିଥିଲା। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡିସେମ୍ବର ପର୍ୟ୍ୟନ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଜିଲ୍ଳାରେ କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣକୁ ଆସିବା ପରେ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି।
ଏଥିନେଇ ଆଜି ଏକ ବୈଠକ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଳାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋରାପୁଟ ବିଧାୟକ ରଘୁରାମ ପଡାଲ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ବିହନ ନିଗମ ଅଧ୍ୟକ୍ଷ ଇଶ୍ବର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭାପତି ତୁଳସୀ କିର୍ସାନୀଙ୍କ ସମେତ ପ୍ରଶାସନିକ ଅଧିକାରୀ, ଆସନ୍ତା ୩୦ ତାରିଖରେ ଗୋଟିଏ ଦିନ ପାଇଁ ଧର୍ମାନୁଷ୍ଠାନ ଖୋଲିବ। ବର୍ଷ ଶେଷ ଓ ନୂଆବର୍ଷର ଭିଡକୁ ଦୃଷ୍ଟିରେ ରଖି ଆସନ୍ତା ୩୧ ତାରିଖରୁ ୨ ତାରିଖ ପର୍ୟ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। ଏହି ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ପୁଣିଥରେ ୩ ତାରିଖରୁ ନିୟମିତ ଖୋଲା ରହିବ। ଧର୍ମାନୁଷ୍ଠାନ ଖୋଲିଲେ ମଧ୍ୟ କୋଭିଡ କଟକଣା ମାନିବାକୁ ପଡିବ। ଧର୍ମାନୁଷ୍ଠାନଗୁଡିକରେ ଯେମିତି ଅଧିକ ଭିଡ ନ ହେବ ସେ ଦିଗରେ କର୍ତ୍ତୃପକ୍ଷ ଧ୍ୟାନ ଦେବେ। ଧର୍ମାନୁଷ୍ଠାନକୁ ପ୍ରବେଶ କରିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସାମାଜିକ ଦୂରତା ଓ ସାନିଟାଇଜକୁ ମଧ୍ୟ ଗୁରୁତ୍ବ ଦିଆଯିବ।
ଖୁବଶୀଘ୍ର ଏଥିନେଇ ଏସଓପି ଜାରି ହେବ ବୋଲି ଜଣାପଡିଛି। ଆଜିର ବୈଠକରେ ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ, ଅତିରିକ୍ତ ଏସପି ଉତ୍କଳ ରଂଜନ ଦାସ, ମନୋଜ ଆଚାର୍ୟ୍ୟ, ବାବୁଲା ବେନିଆ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ଜଣାପଡିବା ପରେ ସାଧାରଣ ଲୋକଙ୍କ ଭିତରେ ସନ୍ତୋଷ ପ୍ରକାଶ ପାଇଛି। ୮ ମାସ ପରେ ମନ୍ଦିରରେ ଠାକୁରଙ୍କୁ ଦେଖିବାର ସୁଯୋଗ ଲୋକଙ୍କୁ ମିଳିବ। କୋରାପୁଟରେ ଥିବା ଶାବରଶ୍ରୀକ୍ଷେତ୍ର ଓ ଗୁପ୍ତେଶ୍ବର ମନ୍ଦିରକୁ ଏହି ସମୟରେ ବହୁ ପର୍ୟ୍ୟଟକ ଆସୁଥିବାରୁ ଏହା ମଧ୍ୟ ସେମାନଙ୍କୁ ଆଶ୍ବସ୍ତ କରିଛି।