ହାଡ଼ଭଙ୍ଗା ଜାଡ଼ରେ ଥରିଲା କନ୍ଧମାଳ, ଆଭ୍ୟନ୍ତରୀଣ ଇଲାକାରେ ତୁଷାରପାତ

ଫୁଲବାଣୀରେ ପାରଦ ୫.୫ ଡିଗ୍ରିକୁ ଖସିଲା

ଫୁଲବାଣୀ/ ଦାରିଙ୍ଗବାଡ଼ି/ଘୁ.ଉଦୟଗିରି: ହାଡ଼ଭଙ୍ଗା ଜାଡ଼ରେ ଥରୁଛି କନ୍ଧମାଳ। ୩ ବର୍ଷରେ ରେକର୍ଡ଼ ଭାଙ୍ଗିଛି। ଆଉ ସଦରମହକୁମା ଫୁଲବାଣୀର ତାପମାତ୍ରା ୫.୫ ଡିଗ୍ରିକୁ ଖସିଛି। ୨୦୧୭ ମସିହାରେ ଏହା ୫.୭ ଡିଗ୍ରି ଥିଲା। ଯାହାକି ରାଜ୍ୟରେ ସର୍ବନିମ୍ନ। ଶୀତର ପ୍ରକୋପ ଆହୁରି ୩ରୁ ୪ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। କନ୍ଧମାଳକୁ ୟେଲୋ ୱାଣ୍ଣିଂ ଜାରି ହୋଇଛି। ଏହାସହ ଆଭ୍ୟନ୍ତରୀଣ ଇଲାକାରେ ଆଜି ତୁଷାରପାତ ହୋଇଥିବା ଜଣାପଡ଼ିଛି। ତେବ‌େ ଶୀତର ବଢ଼ିଲେ କରୋନା ପ୍ରାଦୁର୍ଭାବ ବଢ଼ିବା ଆଶଙ୍କାରେ ଜିଲ୍ଲାବାସୀ ରହିଛନ୍ତି।

ଆଜି ଶୀତର ପ୍ରକୋପରେ କେହିବି ପଦାକୁ ବାହାରିବାକୁ ସାହସ କରିପାରି ନଥିଲେ। ଯେଉଁ ମାନେ ବି ବାହାରିଥିଲେ ସମସ୍ତେ ଶୀତବସ୍ତ୍ର ପିନ୍ଧିଥିବା ସହ କିଛି ସ୍ଥାନରେ ଲୋକେ ନିଆଁ ପୁଉଁଥିବା ଦେଖିବାକୁ ମିଳିଥିଲା। ଶୀତ ସାଙ୍ଗକୁ କୁହୁଡ଼ି ବି ଲାଗି ରହିଥିଲା। ଅପରାହ୍‌ଣ ଗୋଟାଏରୁ ୩ଟା ପର୍ଯ୍ୟନ୍ତ ଶୀତର ମାତ୍ରା ଟିକେ କମିଥିବା ବେଳେ ୪ଟାରୁ ପୁଣି ବଢ଼ିଥିଲା। ଫଳରେ ଆଜି ସମଗ୍ର କନ୍ଧମାଳ ଜିଲ୍ଲାରେ ଆଜି ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ସେହିପରି ଭୋରରୁ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ତଲାରୀମାହା ପଞ୍ଚାୟତର ବିଭିନ୍ନ ଆଭ୍ୟନ୍ତରୀଣ ଇଲାକାରେ ତୁଷାରପାତ ହୋଇଥିଲା।

ଅନ୍ୟପକ୍ଷରେ ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଆଜି ତାପମାତ୍ରା ୯ଡିଗ୍ରି ରେକର୍ଡ଼ କରାଯାଇଛି। ସକାଳ ୮ଟା ପର୍ଯ୍ୟନ୍ତ ଘନକୁହୁଡ଼ି ଯୋଗୁୁଁ ଗମନାଗମନରେ ସମସ୍ୟା ଉପୁଜୁଛି। ହେଲେ ଶୀତର ମଜାନେବା ପାଇଁ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ମିଡ଼ିଉବାନ୍ଧା ଜଳପ୍ରପାତ, ଲଭର୍ସ ପଏଣ୍ଟ, ସାଇଲେଣ୍ଟ ଭ୍ୟାଲି, କଫି ବଗିଚା , ଝାଉଁବଣ, ହିଲଭିଉ, ପ୍ରାକୃତିକ ଉଦ୍ୟାନ ଓ ଏମୁପକ୍ଷୀ ପାର୍କରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ଶୀତ ବଢ଼ୁଥିବାରୁ ଗରିବ ଏବଂ ଅସହାୟ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବେ। ଏଦିଗରେ ପ୍ରଶାସନ ଉଦ୍ୟମ କରିବା ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର