ମାଲକାନଗିରି: ମାଲକାନଗିରି ଜିଲ୍ଲା ମା’ଘର ସୁରକ୍ଷା ସେନା ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ପ୍ରତି ମା’ଘର ଟ୍ରଷ୍ଟ ପକ୍ଷରୁ କରାଯାଉଥିବା ବଦନାମକୁ ନିନ୍ଦା କରିବା ସହ ଏନେଇ ମା’ଘର ଟ୍ରଷ୍ଟକୁ ୧୦ଟି ପ୍ରଶ୍ନ କରାଯାଇଥିଲା। ମା’ଘରର ସୁରକ୍ଷା ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ରାଜ୍ୟ ସଭାନେତ୍ରୀ ମମତା ମଲ୍ଲିକ, ଉପସଭାପତି ବିଷ୍ଣୁପ୍ରିୟା ସାହୁ, ସହ ସଂପାଦିକା ସୂର୍ଯ୍ୟମିତା ସ୍ବାଇଁ, ସଭାନେତ୍ରୀ ରୀନା ନାୟକ, ବାସନ୍ତୀ ମହାରଣା, ମାଲକାନଗିରି ସଭାନେତ୍ରୀ ପ୍ରଶାନ୍ତିଲତା ବିଷୋୟୀ, ସଂପାଦିକା ଦୁଲାଲି ଥଣ୍ଡର, ରାଜ୍ୟ ସହସଂପାଦିକା ଗୀତାଞ୍ଜଳି ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରକାଶ କରିଥିଲେ ଯେ ଗତ କିଛିଦିନ ତଳେ କରିଅର ଯୋଗେ ମା’ଘର ଟ୍ରଷ୍ଟ ପକ୍ଷରୁ ଏକ ଚିଠି ତାଙ୍କ ନିକଟକୁ ଆସିଛି। ସେଥିରେ ସଭାନେତ୍ରୀ ଋତୁପୁର୍ଣ୍ଣା ମହାନ୍ତିଙ୍କ ଦସ୍ତଖତ ବଦଳରେ ଅନ୍ୟ କିଛି ମହିଳା ସଭାନେତ୍ରୀଙ୍କର ଦସ୍ତଖତ ରହିଛି। ସେହି ଚିଠିରେ ମା’ଘର ସୁରକ୍ଷା ସେନାର ନେତ୍ରୀ ମାନଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଅଣାଯିବା ସହ ମିଥ୍ୟା ଅଭିଯୋଗ କରାଯାଇଛି।
ତେବେ ସେହି ଚିଠିର ଉତ୍ତରରେ ମା’ ଘର ସୁରକ୍ଷା ସେନା ପକ୍ଷରୁ ସେମାନଙ୍କୁ ୧୦ଟି ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ସେମାନେ ଗଣମାଧ୍ୟମ ଜରିଆରେ ରଖିପାରିବେ କି ବୋଲି ପାଲଟା ପ୍ରଶ୍ନ କରାଯାଇଛି। ପ୍ରକାଶ ଥାଉକି ଗତ କିଛିଦିନ ତଳେ ମା’ ଘର ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ମାଲକାନଗିରି ସଂଗଠନକୁ ଭାଙ୍ଗିବା ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏହାର ଉତ୍ତରରେ ମା’ଘରର ଯେଉଁ କର୍ମକର୍ତ୍ତା ରହିଥିଲେ ସେମାନେ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ସେମାନେ ପୂର୍ବରୁ ଇସ୍ତଫା ଦେବା ସହ ମା’ ଘର ଟ୍ରଷ୍ଟର ରାଜ୍ୟ ସଭାପତି ଋତୁପୂର୍ଣ୍ଣା ମହାନ୍ତିଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଥିଲେ। ତେବେ ଏହାକୁ ନେଇ ଦୁଇ ସଂଗଠନ ମଧ୍ୟରେ ଟଣାଓଟରା ଚାଲିଛି।