ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା ଦ୍ୱିତୀୟ ଲହର; ୧୦ହଜାର ଟପିଲା ସଂକ୍ରମଣ ସଂଖ୍ୟା

ଦୈନିକ ସଂକ୍ରମଣ ସଂଖ୍ୟା ୪୪୬; ସଂକ୍ରମିତଙ୍କ ସଂଖ୍ୟା ପରୀକ୍ଷଣର ୧୨.୨୧ ପ୍ରତିଶତ

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ ବିଶେଷତଃ ଖୋର୍ଦ୍ଧା ସହର ଓ ଗ୍ରାମାଂଚଳରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ମଇ ମାସରେ ଯେଉଁ ବ୍ୟାପକତା ଥିଲା, ଲକ୍ଡାଉନ୍ ଅବଧି ବଢ଼ିବା ପରେ ଜୁନ୍ ମାସରେ କିଛି ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା। କିନ୍ତୁ ଜୁନ୍ ମାସ ମଧ୍ୟ ଲୋକଙ୍କୁ ନିରାଶ କରିଛି। ଆଜି ପୁଣିଥରେ ଖୋର୍ଦ୍ଧା ଗ୍ରାମାଂଚଳରେ ଦୈନିକ ସଂକ୍ରମଣ ୫୦୦ ପାଖାପାଖି ପହଂଚିଯାଇଛି। ମଇ ମାସରେ ଖୋର୍ଦ୍ଧା ଗ୍ରାମାଂଚଳରେ କରୋନାର ପ୍ରକୋପ ଅପ୍ରିଲ୍ ମାସ ଠାରୁ ଅଧିକ ଥିଲା। ତଥାପି ତୃତୀୟ ସପ୍ତାହ ଯାଏଁ ସଂକ୍ରମଣ ସଂଖ୍ୟା ୨୦୦ ମଧ୍ୟରେ ରହିଥିଲା। ୧୯ ତାରିଖ ଠାରୁ ହଠାତ୍ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ୩୦୦ ଓ ୩୦୦ରୁ ଉଦ୍ଧ୍ୱର୍ ରହିଥିଲା। ଗତ ୪୦ ଦିନର ଦୈନିକ ସଂକ୍ରମଣକୁ ଅନୁଶୀଳନ କଲେ, ମଇ ୭ ତାରିଖରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ସଂଖ୍ୟା ୩୧୧ ହୋଇଥିଲା। ୯ ତାରିଖରେ ୩୪୩, ୧୯ ତାରିଖରେ ପୂର୍ବର ସମସ୍ତ ସଂଖ୍ୟାକୁ ପଛରେ ପକାଇଦେଇ ଦୈନିକ ସଂକ୍ରମିତ ସଂଖ୍ୟା ୪୦୭ ହୋଇଥିଲା। ଏହା ପରେ ପୁଣି ୨୬ ତାରିଖରେ ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗି ୪୯୫ ଛୁଇଁଥିଲା। ଜୁନ୍ ୫ ତାରିଖରେ ଦୈନି ସଂକ୍ରମଣ ସଂଖ୍ୟା ୩୫୨ ହୋଇଥିଲା। ୬ ତାରିଖ ଠାରୁ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ଦୁଇ ଅଙ୍କ ବିଶିଷ୍ଟ ହୋଇଥିବା ବେଳେ ଏହା କ୍ରମାଗତ ଭାବେ ନିୟନ୍ତ୍ରଣକୁ ଆସିବ ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ଆଜି ପୁଣି ଏହା ୪୪୬କୁ ଛୁଇଁଛି।

ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆଜି ୧୧୦୯ ରାପିଡ୍ ଆଂଟିଜେନ୍ ଓ ୬୩୬ଟି ଆର୍ଟି-ପିସିଆର୍ ଏଭଳି ମୋଟ ୧୭୪୫ଟି ସ୍ୱାବ୍ ପରୀକ୍ଷଣ କରାଯାଇଥିଲା। ଏହା ମଧ୍ୟରୁ ୩୦ ପ୍ରତିଶତ ଲୋକଙ୍କ ଠାରେ କୋଭିଡ୍ ପଜିଟିଭ୍ ଚିହ୍ନଟ କରାଯାଇଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲିଅନ୍ତାରୁ ୭୦, ବାଲିପାଟଣାରୁ ୩୬, ଭୁବନେଶ୍ୱର ବ୍ଲକରୁ ୩୮, ଜଟଣୀରୁ ୨୯, ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳରୁ ୭୦, ବେଗୁନିଆରୁ ୬୩, ବୋଲଗଡ଼ରୁ ୪୩, ଟାଙ୍ଗୀରୁ ୫୭, ଚିଲିକା-ବାଲୁଗାଁରୁ ୨୩, ବାଣପୁରରୁ ୧୭ ଜଣ ଅଛନ୍ତି। ଅପରପକ୍ଷରେ ୨୯୨ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୩୭୮କୁ ବୃଦ୍ଧି ପାଇଛି।

ଦ୍ୱିତୀୟ ଲହର ଘାତକ
ଖୋର୍ଦ୍ଧା ଗ୍ରାମାଂଚଳରେ କରୋନାର ଦ୍ୱିତୀୟ ଲହର ପ୍ରଥମ ଲହର ଠାରୁ ଅଧିକ ଘାତକ ହୋଇଛି। ଦ୍ୱିତୀୟ ଲହର ଚଳିତ ବର୍ଷ ଅପ୍ରିଲ୍ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଥିଲା। ସେହି ଦିନ ଠାରୁ ଆଜିର ସଂକ୍ରମଣ ସଂଖ୍ୟା ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ଅତିକ୍ରମ କରିଛି। ଏହି ଲହରରେ ଆଜି ସୁଦ୍ଧା ୧୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ବର୍ତମାନ ୧୩୭୮ଜଣ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ଏହା ମଧ୍ୟରୁ ୨୦ଜଣ କୋଭିଡ୍ ଯୋଦ୍ଧା ଅଛନ୍ତି।

ଦ୍ୱିତୀୟ ଲହରରେ ଆଜି ସୁଦ୍ଧା ୭୯,୦୮୫ଟି ଆର୍ଟି-ପିସିଆର୍ ଓ ରାପିଡ୍ ଆଂଟିଜେନ୍ ପରୀକ୍ଷଣ କରାଯାଇଛି। ଏହା ମଧ୍ୟରୁ ୧୨.୨ ପ୍ରତିଶତ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୮୬.୯ ପ୍ରତିଶତ ରହିଛି। ପ୍ରଥମ ଲହରରେ ୧ ବର୍ଷ ( ୨୦୨୦ ମାର୍ଚ୍ଚ ମାସ ଠାରୁ ୨୦୨୧ ମାର୍ଚ୍ଚ ମାସ ଶେଷ) ମଧ୍ୟରେ ମୋଟ ୨ଲକ୍ଷ ୮୪ହଜାର ୮୭୩ଟି ସ୍ୱାବ୍ ପରୀକ୍ଷଣ କରାଯାଇଥିଲା। ଏହା ମଧ୍ୟରୁ ୨୨ହଜାର ୯୫୬ଜଣ ସଂକ୍ରମିତ ହୋଇଥିବା ବେଳେ ସଂକ୍ରମଣ ହାର ୬.୩ ପ୍ରତିଶତ ଥିଲା ଓ ସୁସ୍ଥ ହାର ୯୪.୪ ପ୍ରତିଶତ। ଏଥିରେ ୫୭ଜଣଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର