ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ, ୨୫ହଜାର ଜରିମାନା

ଜୟପୁର: ଜୟପୁର ଫାଷ୍ଟଟ୍ରାକ୍ ସ୍ବତନ୍ତ୍ର (ପୋକ୍ସୋ) କୋର୍ଟର ଆଡହକ୍ ଅତିରିକ୍ତ ଦୌରାଜଜ୍ ପ୍ରଦୀପ କୁମାର ସାସମଲ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ମାମଲାର ବିଚାରକରି ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶର ରାୟ ଶୁଣାଇଛନ୍ତି। ସେହି ପରି ଜରିମାନା ବାବଦକୁ ୨୫ହଜାର ଟଙ୍କା ଦେବାକୁ ନିର୍ଦେଶ ଦେବା ସହ ଜରିମାନା ଅନାଦେୟ ଆହୁରି ଅଧିକା ୧୫ମାସ ସଶ୍ରମକାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ୨୦୧୬ମସିହା ଜାନୁଆରି ୨ତାରିଖ ଦିନ ପାଡୁଆ ଥାନା ଅଂଚଳର ଜୈନେକା ନାବାଳିକାଙ୍କୁ ସୁନାବେଡ଼ା ଥାନା ଅଂଚଳର ସାନବଡ଼େଙ୍ଗା ଗାଁର ଜିତୁ ନାୟକଙ୍କ ପୁଅ ତଥା ଅଭିଯୁକ୍ତ କେଶବ ନାୟକ ଅପହରଣ କରି ନେଇଥିଲେ। ନାବାଳିକାଙ୍କୁ ଉପହାର ଦେବା ବାହାନାରେ ଘରୁ ବାହାରକୁ ଡାକିଥିଲେ ଅଭିଯୁକ୍ତ। ପୂର୍ବ ପ୍ରସ୍ତୁତି ମୁତାବକ, ଅଭିଯୁକ୍ତ କେଶବ ନାବାଳିକା ଜଣକ ଘରୁ ବାହାରକୁ ଆସିବା ମାତ୍ରକେ ସେ ଧରିକି ଯାଇଥିବା ବଲୋର ଜିପରେ ଅପହରଣ କରି ତାଙ୍କ ଘରକୁ ନେଇକି ଆସିଥିଲେ। ଘରେ ନାବାଳିକାଙ୍କ ଇଛା ବିରୋଧରେ ଡରାଇ, ଧମକାଇ ଦୁଷ୍କର୍ମ କରି ଆସୁଥିଲେ। ନାବାଳିକାଙ୍କ ପରିବାରବର୍ଗ ବହୁ ଖୋଜାଖୋଜି କରିଥିଲେ ହେଁ ନାବାଳିକାଙ୍କୁ ପାଇ ପାରିନଥିଲେ। ନାବାଳିକା ଜଣକ ଫୋନ କରି ତାଙ୍କୁ ସାନବଡ଼େଙ୍ଗା ଗାଁର କେଶବ ନାୟକ ଅପହରଣ କରି ନେଇଥିବା ଜଣାଇଥିଲେ। ନାବାଳିକାଙ୍କ ମା ଅଭିଯୁକ୍ତଙ୍କ ଘରକୁ ଯିବାରେ ନାବାଳିକା ଜଣକ ସେଠାରେ ଥିବା ଏବଂ ତାଙ୍କ ପ୍ରତି ହୋଇଥିବା ଦୁଷ୍କର୍ମ ସଂପର୍କରେ କହିଥିଲେ।

ଏ ନେଇ ପାଡୁଆ ଥାନାରେ ଜାନୁଆରି ୧୬ତାରିଖ ଦିନ ପୀଡ଼ିତା ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା। ପାଡ଼ୁଆ ଥାନା ପକ୍ଷରୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ସବଇନିସପେକ୍ଟର ସରକାରୀ ଭକ୍ତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ସିଟ୍ ଦାଖଲ କରିଥିଲେ। ଏହି ମାମଲାରେ ୯ଜଣ ସାକ୍ଷ୍ୟ ଦେଇଥିଲେ। ଏହି ସାକ୍ଷ୍ୟକୁ ଭିତ୍ତି କରି ଅଭିଯୁକ୍ତ କେଶବଙ୍କ ବିରୋଧ ଅପହରଣ, ଇଛାବିରୋଧରେ ଦୁଷ୍କର୍ମ ସହ ପକ୍ସୋ ଆକ୍ଟ ଆଦି ୪ଟି ଦଫାରେ ମୋଟ ୧୦ବର୍ଷ ସଶ୍ରମକାରାଦଣ୍ଡାଦେଶ ସହ ଜରିମାନା ବାବଦକୁ ୨୫ହଜାର ଦେବାକୁ ରାୟ ଦେଇଛି ମାନ୍ୟବର କୋର୍ଟ। ଜରିମାନା ଅନାଦେୟ ଆଉ ୧୫ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେବାକୁ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଜିଲ୍ଲା ଆଇନସେବା ପ୍ରାଧିକରଣ ମାଧ୍ୟମରେ ପୀଡ଼ିତା ନାବାଳିକାଙ୍କୁ ଦୁଇ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି ମାନ୍ୟବର ବିଚାରପତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପୋକ୍ସୋ କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଡଃ. ବି.ଗାୟତ୍ରୀ ଦେବୀ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର