ପ୍ରେମ ନିବେଦନ ପରେ ନାବାଳିକାଙ୍କୁ ଦୁଷ୍କର୍ମ: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ରାୟଗଡ଼ା: ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ପକସୋ) ସୋନାଲି ପଟ୍ଟନାୟକ ଆଜି ରାୟରେ ଅଭିଯୁକ୍ତ ରମନଦୋରା ସନ୍ତୋଷ କୁମାରଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ଅଛି।

୨୦୧୯ ଫେବ୍ରୁଆରିି ୧୪ ତାରିଖରେ କଲ୍ୟାଣସିଂହପୁର ଥାନା ଦାନ୍ତଲିଙ୍ଗି ଗ୍ରାମର ସନ୍ତୋଷ କୁମାର ସେହି ଗ୍ରାମର ଜଣେ ନାବାଳିକାକୁ ପ୍ରେମ ନିବେଦନ କରିଥିଲେ। ନାବାଳିକା କପା ବାଡକୁ ଯାଉଥିବା ସମୟରେ ସନ୍ତୋଷ ପ୍ରେମ ନିବେଦନ କରି ବିଫଳ ହେବା ପରେ ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ନାବାଳିକା ଘଟଣା ସଂପର୍କରେ ପରିବାର ଲୋକଙ୍କୁ ଅବଗତ କରିବା ପରେ ଫେବ୍ରୁଆରି ୧୭ ତାରିଖରେ କଲ୍ୟାଣସିଂହପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଫେବ୍ରୁଆରି ୨୨ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏପ୍ରିଲ୍ ୨୬ରେ ପୁଲିସ୍ ଚାର୍ଜସିଟ୍ କୋର୍ଟରେ ଦାଖଲ କରିବା ପରେ ମାମଲାର ବିଚାର ଆରମ୍ଭ ହୋଇଥିଲା।

ମାମଲା ବିଚରାଧୀନ ଥିବା ବେଳେ ସେପ୍ଟେମ୍ବର ୭ ତାରିଖରେ ଅଭିଯୁକ୍ତ ସନ୍ତୋଷ ଜାମିନରେ ଜେଲରୁ ମୁକୁଳିଥିଲେ। ୨୦୨୨ ଏପ୍ରିଲ୍ ୧୮ ତାରିଖରେ ପକସୋ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସୋନାଲି ପଟ୍ଟନାୟକ ମାମଲାର ଚୂଡ଼ାନ୍ତ ଶୁଣାଣି କରି ରାୟ ସଂରକ୍ଷିତ କରିଥିଲେ। ଆଜି ମାମଲାର ରାୟ ପ୍ରକାଶ କରି ଅଭିଯୁକ୍ତ ସନ୍ତୋଷକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିରଜା ପ୍ରସାଦ ପାତ୍ର ଓ ଅଭିଯୁକ୍ତଙ୍କ ପକ୍ଷରୁ ‌ଆଇନଜୀବୀ କେ. ପି. ପାଢ଼ୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର