ରାୟଗଡ଼ା: ଗୁଣପୁର ପୌରପରିଷଦ ସଫେଇ କାର୍ଯ୍ୟ ଟେଣ୍ଡରରେ ଫିକ୍ସିଂ ହୋଇଛି। ଟେକ୍ନିକାଲ୍ ବିଡିଂରେ କଟିଥିବା ଏକ ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ପୌର କର୍ତ୍ତୃପକ୍ଷ ଅହେତୁକ ଅନୁକମ୍ପା ଦେଖାଇ ଟେଣ୍ଡର ପ୍ରଦାନ କରିଛନ୍ତି। ସବୁଠୁ କମ୍ ଟଙ୍କାରେ ଟେଣ୍ଡର ଡାକିଥିବା ଆଧାରରେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିବା ପୌର କର୍ତ୍ତୃପକ୍ଷ କହୁଛନ୍ତି। କିନ୍ତୁ ଏହା ପଛରେ ଏକ ବଡ଼ ଦୁର୍ନୀତି ଚାଲିଛି ବୋଲି ଟେଣ୍ଡର ପ୍ରକ୍ରିୟାରୁ ବାଦ୍ ପଡିଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷର ସଫେଇ କାର୍ଯ୍ୟ ପାଇଁ ଗୁଣପୁର ପୌର ପରିଷଦ ପକ୍ଷରୁ ଅକ୍ଟୋବରରେ ଟେଣ୍ଡର ଆହ୍ବାନ କରାଯାଇଥିଲା।

Advertisment

ବିଜ୍ଞାପନ ସଂଖ୍ୟା: ୨୩୯୪ ଅନୁଯାୟୀ ୱାର୍ଡ ନମ୍ବର ୧ରୁ ୧୦, ୧୨, ୧୫ ଏବଂ ମରାଠୀଗୁଡା ଅଞ୍ଚଳରେ ଝାଡୁ, ସଫେଇ କାର୍ଯ୍ୟ ପାଇଁ ୮୮ ଝାଡୁଦାର ଓ ଦୁଇ ସୁପରଭାଇଜରଙ୍କୁ ମିଶାଇ ମୋଟ ୯୦ ଜଣଙ୍କୁ ନିଯୁକ୍ତି ଦେଇ ସଫେଇ କାର୍ଯ୍ୟ ସମ୍ପାଦନା ନିମନ୍ତେ ଟେଣ୍ଡରରେ ଉଲ୍ଲେଖ ଥିଲା। ୧୧ ଆବେଦନକାରୀ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ୱିନର୍ ସିକ୍ୟୁରିଟି ଲେବର ସର୍ଭିସ ରାୟଗଡ଼ାର ରବୀନ୍ଦ୍ର ପାଣିଗ୍ରାହୀ, ଢେଙ୍କାନାଳର ସବ୍ୟସାଚୀ ମହାକୁଡ, ଗୁଣପୁରର ସୁଧାକର ଶତପଥୀ ଓ ଭୁବେନଶ୍ୱରର ଆଶିଷ କୁମାର ପଟ୍ଟନାୟକ ୪ ଆବେଦନକାରୀଙ୍କ ପ୍ରସ୍ତାବ ବିଚାର ପାଇଁ ମନୋନିତ ହୋଇଥିଲା। ତେବେ ଟେକ୍ନିକାଲ ବିଡିଂରେ ଅଯୋଗ୍ୟ ଘୋଷଣା ହୋଇଥିବା ଆଶିଷ ପଟ୍ଟନାୟକଙ୍କୁ ଫାଇନାନ୍‌ସିଆଲ ବିଡିଂରେ ସର୍ବନିମ୍ନ ୯ ଲକ୍ଷ, ୬୧ ହଜାର ୬୮୧ଟଙ୍କା ଉପସ୍ଥାପନା କରିଥିବା ଦର୍ଶାଇ ଏଲ-୧ ପ୍ରାର୍ଥୀ ଭ‌ାବେ ଟେଣ୍ଡର ପ୍ରଦାନ କରାଯାଇଥିଲା। ଆଶିଷ ଉଲ୍ଲେଖ କରିଥିବା ଟେଣ୍ଡର ପ୍ରାଇସ୍ ଟିଡିଏସ ପରେ ପୌରପାଳିକା ଦ୍ୱାରା ନିର୍ଦ୍ଧିଷ୍ଟ ସର୍ବନିମ୍ନ ମଜୁରିଠାରୁ ମଧ୍ୟ କମ ଅଟେ। ଅନ୍ୟପକ୍ଷରେ ସର୍ବନିମ୍ନ ମଜୁରିଠାରୁ କମ୍ ମୂଲ୍ୟ, ବିନା ସେବା ଦେୟ, ଜୋତା, ଝାଡୁ, ‌ଗ୍ଲୋବସ୍ ଓ ଅନ୍ୟାନ୍ୟ ସୁବିଧା ପାଇଁ କିଛି ମୂଲ୍ୟ ରଖିନଥିଲେ ମଧ୍ୟ ଟେଣ୍ଡର ପ୍ରଦାନ କରାଯିବା ଦୁର୍ଭାଗ୍ୟଜନକ ବୋଲି ସାମ୍ବାଦିକ ସମ୍ମିଳନୀରେ ଠିକାଦାର ରବିନ୍ଦ୍ର ପାଣିଗ୍ରାହୀ ଅଭିଯୋଗ କରିଛନ୍ତି।

ଟେଣ୍ଡର ଫିକ୍ସିଂ ସଂପର୍କରେ ବାଦ୍ ପଡିଥିବା ଆବେଦନକାରୀ ରାୟଗଡ଼ା ଜିଲ୍ଲାପାଳଙ୍କ ଦୃଷ୍ଟି ଆର୍କଷଣ କରି ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗର ତଦନ୍ତ କରି ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ପୌରପାଳିକା କର୍ତ୍ତୃପକ୍ଷ ତରବରିଆ ଭାବେ ଗତ କିଛିଦିନ ତଳେ ଠିକାଦାର ଶ୍ରୀ ପଟ୍ଟନାୟକଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିବା ସଫେଇ ଟେଣ୍ଡରରେ ହୋଇଥିବା ଅନିୟମିତତାକୁ ପ୍ରମାଣିତ କରିଛି ବୋଲି ଅଭିଯୋଗ କରିଛନ୍ତି ଆବେଦନକାରୀ। ୨୦୨୦-୨୧ ଆର୍ଥିକ ବର୍ଷରେ ମଧ୍ୟ ଠିକାଦାର ଶ୍ରୀ ପଟ୍ଟନାୟକ ଗୁଣପୁର ପୌର ପରିଷଦର ସଫେଇ ଟେଣ୍ଡର ହାତେଇଥିଲେ। ୮୬ କର୍ମଚାରୀଙ୍କ ଦ୍ବାରା ସମ୍ପାଦିତ ହେବାକୁ ଥିବା ସଫେଇ କାର୍ଯ୍ୟ ମାତ୍ର ୪୦ରୁ ୪୫ କର୍ମଚାରୀଙ୍କୁ ନେଇ କରି ବାକି କର୍ମଚାରୀଙ୍କ ନାଁରେ ମିଥ୍ୟା ବିଲ୍ ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି। ଯେଉଁଥିରେ ଗୁଣପୁର ପୌରପାଳିକାର ଅଧିକାରୀ ଓ ବଡ଼ ବାବୁ ସାମିଲ୍ ଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଏ ଦିଗରେ ସଠିକ୍ ପଦକ୍ଷେପ ନ ନେଲେ ହାଇକୋର୍ଟର ଦ୍ବାରସ୍ଥ ହେବାକୁ ଆବେଦନକାରୀ ସୂଚନା ଦେଇଛନ୍ତି।