ବଂଶଧାରାରୁ ଆନ୍ଧ୍ରକୁ ବାଲି ଚାଲାଣ ନେଇ ଉତ୍ତେଜନା, ଟ୍ରାକ୍ଟର ଅଟକ ରଖି ଧାରଣାରେ ବସିଲେ ମହିଳା

ରାୟଗଡ଼ା : ରାମନାଗୁଡ଼ା ତହସିଲର ଭାମିନି ଗାଁ ନିକଟ ବଂଶଧାରା ଅବବାହିକାରୁ ଆନ୍ଧ୍ରକୁ ବାଲି ଚାଲାଣ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି। ବାଲି ଚାଲାଣ ବନ୍ଦ ଦାବିରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଧାରଣାରେ ବସିଛନ୍ତି। ବାଲି ଚାଲାଣ ଦ୍ବାରା ନଦୀବନ୍ଧ ଦୁର୍ବଳ ହେବା ସହ ଗାଁ ଆଡ଼କୁ ନଦୀ ମାଡ଼ି ଆସୁଥିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ମହିଳାମାନେ ଦାବି କରିଛନ୍ତି। ତହସିଲ କର୍ତ୍ତୃପକ୍ଷ ଗାଁରେ ପହଞ୍ଚି ମହିଳାଙ୍କ ସହ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ରାମନାଗୁଡ଼ା ତହସିଲ ଅଧୀନରେ ଥିବା ଏହି ବାଲିଘାଟ ୨୦୧୬ ମସିହାରେ ୫ ବର୍ଷ ପାଇଁ ଟେଣ୍ଡର ଦିଆଯାଇଛି।

ଲିଜଧାରୀ ଘାଟରୁ ବାର୍ଷିକ ୯୦୦୦ କ୍ୟୁବିକ୍ ମିଟର ବାଲି ଉଠାଇବା ସହ ରାଜସ୍ବ ବାବଦକୁ ୧୨ ଲକ୍ଷ ଟଙ୍କା ଦେବା ପାଇଁ ଚୁକ୍ତି ହୋଇଛି। ଇତି ମଧ୍ୟରେ ଟେଣ୍ଡର ପ୍ରକ୍ରିୟାକୁ ୪ ବର୍ଷ ବିତିଥିବା ବେଳେ ୨୦୨୧ ଅଗଷ୍ଟ ମାସରେ ଏହାର ଅବଧି ଶେଷ ହେଉଛି। ଗତ ୪ ବର୍ଷ ମଧ୍ୟରେ ବାଲି ଉତ୍ତୋଳନକୁ ଗ୍ରାମବାସୀ ବିରୋଧ କରିନଥିଲେ। ଓକିଲଗୁଡ଼ା ପଥର ଖାଦାନରେ ବେଆଇନ ବିସ୍ଫୋରଣ ସମୟରେ ୩ ଶ୍ରମିକଙ୍କ ଜୀବନ ଯିବା ପରେ ପ୍ରଶାସନିକ ଖୋଳତାଡ଼ ଜୋରଦାର୍ ହେବା ପରେ ଗୁଣପୁର ବଂଶଧାରା ଅବବାହିକାରୁ ବାଲି ଉତ୍ତୋଳନ କମିଛି। ବହୁ ଟ୍ରାକ୍ଟର ଓ ଅନ୍ୟ ଯାନ ବାହନ ଗୁଣପୁର ବଦଳରେ ଭାମିନି ଘାଟରୁ ବାଲି ଉଠାଉଛନ୍ତି। ଯାହା ଫଳରେ ଗାଡ଼ି ଚଳାଚଳ ବଢ଼ିଛି। ଭାମିନି ଗାଁ ଭିତର ଦେଇ ବାଲିଘାଟକୁ ଯାତାୟାତ କରିବାକୁ ପଡୁଥିବାରୁ ଗାଡ଼ି ଚଳାଚଳ ବଢ଼ିବା ପରେ ଗ୍ରାମବାସୀ ଅଣନିଶ୍ବାସୀ ହୋଇ ପଡିଛନ୍ତି।

ବାଲି ଉତ୍ତୋଳନ ମଧ୍ୟ ବଢ଼ିବା ପରେ ନଦୀଗର୍ଭରେ ଗର୍ତ୍ତ ସୃଷ୍ଟି ହେବା ସହ ବର୍ଷା ଦିନରେ ନଦୀର ଗତିପଥ ବଦଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ନଦୀବନ୍ଧକୁ ଲାଗି ଗାଁ ଥିବାରୁ ଆଗକୁ ବିପଦ ଘନେଇ ଆସୁଥିବା ଅନୁମାନ କରି ଗ୍ରାମବାସୀ ବାଲି ଚାଲାଣକୁ ବିରୋଧ କରିଛନ୍ତି। ଅନ୍ୟପକ୍ଷରେ ରାୟଗଡ଼ା ଜିଲ୍ଲା ବଦଳରେ ଆନ୍ଧ୍ରକୁ ୭୦ ପ୍ରତିଶତ ବାଲି ଚାଲାଣ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଆନ୍ଧ୍ରରେ ବଂଶଧାରା ବାଲିର ଢ଼େର ଚାହିଦା ରହିଥିବାରୁ ପ୍ରତିଦିନ ଶହ ଶହ ଗାଡ଼ି ଗୁଣପୁର, ଭାମିନି, ଗୁଡାରି ବାଲିଘାଟରୁ ବାଲି ଉଠାଉଛନ୍ତି। ରାଜସ୍ବ ବିଭାଗ ବାଲିଘାଟ ଟେଣ୍ଡର ଦେଇ ରାଜସ୍ବ ହାତେଇ ଚୁପ୍ ବସିଥିବା ବେଳେ ବାଲି ଚାଲାଣ ପାଇଁ ଆସୁଥିବା ଯାନବାହନ ଦ୍ବାରା ଗାଁ ରାସ୍ତାଘାଟ ଖରାପ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଧୂଳି, ଧୂଆଁରେ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି। ଓକିଲଗୁଡ଼ା ଘଟଣାରେ ପ୍ରଶାସନ ଆକ୍ସନ୍ ମୁଡକୁ ଆସିବା ପରେ ଗୁଣପୁର ପରେ ଏବେ ଭାମିନି ବାଲିଘାଟର ଚାହିଦା ବଢ଼ିଛି।

ପୂର୍ବରୁ କେବଳ ଦିନରେ ବାଲି ଚାଲାଣ ହେଉଥିଲା। ଗତ ସପ୍ତାହେ ହେଲା ଦିନରାତି ବାଲି ଉତ୍ତୋଳନ ହେବା ସହ ଗାଡ଼ି ମାଧ୍ୟମରେ ଚାଲାଣ ହେଉଛି। ଏପରିକି ନଦୀକୁ ଗାଧୋଇବାକୁ ଯାଉଥିବା ଯୁବତୀ ଓ ମହିଳାଙ୍କୁ ଗାଡ଼ି ଡ୍ରାଇଭର ଅଶ୍ଲୀଳ ଇଙ୍ଗିତ ଓ ର୍ଦୁବ୍ୟବହାର କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ପ୍ରତିବାଦରେ ଆଜି ଭାମିନି ଗାଁର ମହିଳା ବାଲି ବୋଝେଇ କରିବାକୁ ଆସିଥିବା ଗାଡ଼ି ଗୁଡ଼ିକ ଅଟକ ରଖିବା ସହ ରାସ୍ତାରୋକ କରିଥିଲେ। ଖବର ପାଇ ଗୁଣପୁର ପୁଲିସ ଏସ୍ଆଇ ରବୀନ୍ଦ୍ରନାଥ ଗୌଡ, ଭାମିନି ରାଜସ୍ବ ନୀରିକ୍ଷକ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ ଓ ମହିଳାଙ୍କୁ ବୁଝାସୁଝା କରିବା ପରେ ମହିଳାମାନେ ଧାରଣାରୁ ଓହରିଛନ୍ତି। ଆସନ୍ତାକାଲି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଘଟଣାର ସମାଧାନ ପାଇଁ ଗ୍ରାମବାସୀ ସର୍ତ୍ତ ରଖିଛନ୍ତି। ସମାଧାନର ରାସ୍ତା ନ ବାହାରିବା ଯାଏ ବାଲିଘାଟକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ମହିଳାମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର