ମୃତ ଶିଶୁ କନ୍ୟାର ଆଖି ତାଡିନେଲେ!, ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା, କର୍ମଚାରୀଙ୍କୁ ମାଡ଼

ଅନୁଗୁଳ: ଶବ ଗୃହରେ ପଡ଼ିଥିବା ମୃତ ଶିଶୁ କନ୍ୟାର ଆଖି ତାଡିନେବା ଅଭିଯୋଗରେ ଶୁକ୍ରବାର ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଯାଇଛି। ଚାରି ବର୍ଷର ଶିଶୁ କନ୍ୟାକୁ ହରାଇଥିବା ପରିବାର ଲୋକେ ହସ୍‌ପିଟାଲର ଟେକ୍‌ନିସିଆନ୍‌ଙ୍କୁ ମାଡ଼ ମାରିଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଉତ୍ତେଜନା ଜାରି ରହିଛି। ଏହି ଘଟଣାରେ ଉତ୍ତେଜିତ ପରିବାର ଲୋକେ ହସ୍‌ପିଟାଲରେ ତୁମୁଳକାଣ୍ଡ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ସିଡିଏମ୍‌ଓ ଉପସ୍ଥିତ ଅଛନ୍ତି।

ରିପୋର୍ଟ ଅନୁସାରେ ଜିଲ୍ଲାର ବଅଁରପାଳ ବ୍ଲକର ନୂଆଁହତା ଗ୍ରାମର ଅଞ୍ଜନ ଗୋଚ୍ଛାୟତଙ୍କ ଝିଅ ପ୍ରୀତି ଗୋଚ୍ଛାୟତକୁ ଜ୍ୱର ହେବାରୁ ତାଙ୍କୁ ଗୁରୁବାର ସ୍ଥାନୀୟ ଏକ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା। ନର୍ସିଂହୋମ୍‌ରେ ଡାକ୍ତର ଶିଶୁ ମୃତ ବୋଲି କହିବା ପରେ ପରିବାର ଲୋକେ ପ୍ରୀତିକୁ ଘରକୁ ନେଇଯାଇଥିଲେ। ମାତ୍ର ଗାଁରେ କେହି ଜଣେ ଲୋକ ଶିଶୁଟି ବଂଚିଛି କହିବାରୁ ପରିବାର ଲୋକେ ପୁଣି ଥରେ ଅନୁଗୁଳ ସଦର ଚିକିତ୍ସାଳୟ ଆଣିଥିଲେ। ଏଠାରେ ଡାକ୍ତର ପ୍ରୀତିକୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ମୃତ ଶିଶୁକୁ ଘରକୁ ନେବାକୁ ଚାହୁଁଥିବା ବେଳେ ଡାକ୍ତର ଏହାକୁ ବାରଣ କରିଥିଲେ। ଡାକ୍ତର କହିଥିଲେ, ପୋଷ୍ଟମର୍ଟମ ପରେ ଶିଶୁର ମୃତଦେହ ପରିବାର ଲୋକଙ୍କୁ ମିଳିବ। ଶେଷରେ ପରିବାର ଲୋକେ ମୃତ ଶିଶୁକୁ ଶବ ଗୃହରେ ଛାଡ଼ି ଘରକୁ ଯାଇଥିଲେ।

ପୋଷ୍ଟମର୍ଟମ ପାଇଁ ପରିବାର ଲୋକେ ଆଜି ପୂର୍ବାହ୍ଣରେ ଆସି ଦେଖିଲେ ଯେ, ପ୍ରୀତିର ଆଖି ନାହିଁ। ଏହାକୁ ନେଇ ସେମାନେ ସଡିଏମଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଏହି ଘଟଣା ନେଇ ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର