ବିସ୍ଥାପିତଙ୍କୁ ଥଇଥାନ ବେଳେ ଉତ୍ତେଜନା, ପୁଲିସ ଫୋର୍ସ ମୁତୟନ

ବାଲିଅନ୍ତା: ହଂସପାଳ ଓଭରବ୍ରିଜ ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିବା  ୧୯ଟି ପରିବାରକୁ ଥଇଥାନ ବେଳେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଡିହ ବାଲିଅନ୍ତା ଅଞ୍ଚଳରେ ସଂପୃକ୍ତ ପରିବାରଙ୍କୁ ପରିବାରକୁ ୪ ଡିସିମିଲ ପରିମିତ ଜମି ଯୋଗାଇ ଦିଆଯାଇଛି । ପ୍ରତି ପରିବାର ନାମରେ ୪ ଡିସିମିଲ ପରିମିତ  ଜମି ରେକର୍ଡ଼ଭୁକ୍ତ କରାଯାଇ ବାଲିଅନ୍ତା ତହସିଲ ପକ୍ଷରୁ ନିକଟରେ ଘରଡିହ ପଟ୍ଟା ପ୍ରଦାନ କରାଯାଇଛି । ଆଜି ବିସ୍ଥାପିତ ପରିବାର ସେଠାକୁ ରହିବା ପାଇଁ ଯାଇଥିଲେ । ହେଲେ ପୂର୍ବରୁ  ଉକ୍ତ ଜମିକୁ ଦଖଲରେ ରଖିଥିବା  କିଛି ଲୋକଙ୍କ  ସହ ସେମାନଙ୍କରୀ ଭୀଷଣ ପାଟିତୁଣ୍ଡ ହୋଇଥିଲା । କୌଣସି ପରିସ୍ଥିତିରେ ଉକ୍ତ ଜମି ଦଖଲ ଛାଡ଼ିବେ ନାହିଁ  କହି ଜବରଦଖଲକାରୀମାନେ ସେମାନଙ୍କ ସହ ପାଟିତୁଣ୍ଡ କରିଥିଲେ ।

ଏନେଇ  ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ଓ ଏସିପି ରଜତ କୁମାର ରାୟ ପ୍ରମୁଖ ଦୁଇପ୍ଲାଟୁନ ପୁଲିସ ଫୋର୍ସ ନେଇ  ପହଞ୍ଚିଥିଲେ । ପରେ ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ଓ ଭୁବନେଶ୍ବର ତହସିଲଦାର ପ୍ରଦୀପ କୁମାର ସାହୁ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ  ପରିସ୍ଥିତି ଶାନ୍ତପଡ଼ିଥିଲା । ଉଲ୍ଲେଖଯୋଗ୍ୟ ଦୀର୍ଘ ଅଢ଼େଇ ବର୍ଷ ତଳେ ହଂସପାଳ ଓଭରବ୍ରିଜ ସଂପ୍ରସାରଣ ବେଳେ ସେଠାରେ ବସବାସ କରୁଥିବା ଉପରୋକ୍ତ ପରିବାରଙ୍କୁ  ପ୍ରଶାସନ ପକ୍ଷରୁ ବିସ୍ଥାପିତ କରାଯାଇ ଜମି ଅଧିଗୃହୀତ ହୋଇଥିଲା ।

ସମ୍ବନ୍ଧିତ ଖବର