ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତିର ତୃତୀୟ ଦ୍ୱିମାସିକ ବୈଠକ ସୋମବାର ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ସଭାପତିତ୍ୱରେ ବ୍ଲକ୍ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଯୋଗଦେଇ ସୁଚିନ୍ତିତ ପରାମର୍ଶ ଦେଇଥିଲେ। ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବ୍ଲକ୍ ସମସ୍ତ ଉନ୍ନୟନ କାମରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ପତ୍ରାପାଲି (ଖ) ସମିତି ସଭ୍ୟା ତଥା ବ୍ଲକ୍ ଉପାଧ୍ୟକ୍ଷା ଯାଜ୍ଞସେନୀ ହାତୀ କକ୍ଷତ୍ୟାଗ କରିଥିଲେ।
ସେହିପରି ସଦର ମହକୁମା ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ସଭାଗୃହରେ ଗାନ୍ଧୀଜୀଙ୍କ ଫଟୋଚିତ୍ର ତଳେ ଧାରଣା ଦେଇଥିଲେ। ବହୁ ସମୟ ପରେ ବିଧାୟକ, ଅଧ୍ୟକ୍ଷ ଓ ବିଡିଓଙ୍କ ଅନୁରୋଧକ୍ରମେ ଧାରଣାରୁ ଉଠିଥିଲେ। ବ୍ଲକ୍ର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଣ ହେଉଥିବା ଅଣ୍ଡା ସହ ଛତୁଆ ନିମ୍ନମାନର ହୋଇଥିବାରୁ ହିତାଧିକାରୀ ତାକୁ ନଖାଇ ଗୋଖାଦ୍ୟ ଓ ଲୁଣ ବଦଳାଉଥିବା ଇଚ୍ଛାପଡ଼ା ସମିତି ସଭ୍ୟ ତୋଫାନ ନାଗ ଓ ଗୁଡ଼ିଘାଟ ସମିତି ସଭ୍ୟା ପୁଣ୍ୟ ହରପାଲ ଅଭିଯୋଗ କରିଥିଲେ। ସିଡିପିଓ ସୁପ୍ରଭା ମହାପାତ୍ର ଏହାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ। ବିଧାୟକଙ୍କ ସହ ସମସ୍ତ ଲୋକପ୍ରତିନିଧି ନିମ୍ନମାନର ଛତୁଆ ଯୋଗାଉଥିବା ଏସ୍ଏଚ୍ଜି ଓ ବ୍ଲକ୍ ବାହାର ଅଞ୍ଚଳର ଏସ୍ଏଚ୍ଜିଙ୍କୁ ତୁରନ୍ତ ବନ୍ଦ କରି ବ୍ଲକ୍ର କୌଣସି ଏକ ଏସ୍ଏଚ୍ଜିକୁ ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ଟୁର୍ଚାକାନୀ ସ୍କୁଲର ଜଣେ ଶିକ୍ଷକ ନିଶାସେବନ କରି ସ୍କୁଲକୁ ଆସୁଥିବା ଗୋଇମୁଣ୍ଡ ସରପଞ୍ଚ କାଳିଆ ସରାଫ ଅଭିଯୋଗ କରିଥିଲେ। ଖାଦ୍ୟ ସୁରକ୍ଷା ଯୋଜନାରେ ସରପଞ୍ଚମାନଙ୍କୁ ଅଣଦେଖା କରାଯାଉଥିବା ଡଙ୍ଗରପଡା ସରପଞ୍ଚ ରାମଦାସ ମହାକୁର ଓ ଗୋଇମୁଣ୍ଡ ସରପଞ୍ଚ ଅଭିଯୋଗ କରିଥିଲେ। ଅଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ କାର୍ଡ ପ୍ରଦାନ, ହିତାଧିକାରୀଙ୍କୁ କମ୍ ଓଜନର ଚାଉଳ ଯୋଗାଣ ହେଉଥିବା ଇଚ୍ଛାପଡା ଓ ମାଳିଶିରା ସମିତି ସଭ୍ୟ ଅଭିଯୋଗ କରିଥିଲେ। ବରାଜୁରା, ଡୁମେରପଡ଼ା ସୌର ଜଳଯୋଗାଣ ପ୍ରକଳ୍ପ ୧୪ମାସ ଧରି ଅଚଳ ଥିବା ନେଇ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀ, ଗୋଇମୁଣ୍ଡର ଅଚଳ ନେଇ ସମ୍ପୃକ୍ତ ସରପଞ୍ଚ, ଭଣ୍ଡାରବାଞ୍ଜିର ଅଚଳ ନେଇ ଇଚ୍ଛାପଡ଼ା ସମିତି ସଭ୍ୟ ଓ କଚାରଭାଡ଼ିରେ ପାନୀୟ ଜଳଯୋଗାଣ ଅବ୍ୟବସ୍ଥା ନେଇ ରାଜ୍ୟସଭା ସାଂସଦ ପ୍ରତିନିଧି ସିଦ୍ଧେଶ୍ବର ଦାସ ଅଭିଯୋଗ କରିଥିଲେ।
ମିସନ ଶକ୍ତି କାଫେ ଖୋଲିବାକୁ ଜିଲ୍ଲା ପରିଷଦ ଉପସଭାପତି ମିଥିଳା ମାଝୀ ଦାବି କରିଥିଲେ। ଜେଇଙ୍କ ବଦଳରେ ଜିଆର୍ଏସ୍ ଓ ଗାଁସାଥୀମାନେ ମନ୍ରେଗା କାମର ମାଟି ମାପକରୁଥିବା ଲୋକ ପ୍ରତିନିଧିମାନେ ଅଭିଯୋଗ କରିଥିଲେ। ତାଲିମପ୍ରାପ୍ତ ଅଧିକାରୀମାନେ ହିଁ ମାଟି ଓ ଅନ୍ୟ ମାପ କରିପାରିବେ ବୋଲି ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଗଂରେଇ ସରପଞ୍ଚ ସବିତା ବିଭାର ଓ ହଳଦୀ ସରପଞ୍ଚ ସୌମିନା ସେଠ ପଞ୍ଚାୟତରୁ ଫାଇଲ ଖୋଲି ହେଉଥିବା ମନ୍ରେଗା କାମକୁ କାହା ନିର୍ଦ୍ଦେଶରେ ପୁଣି ଥରେ ବ୍ଲକ୍ ଫାଇଲ ଖୋଲି କାମ କରିବାକୁ ଧମକ ଓ ମସୁଧା କରାଯାଉଛି ବୋଲି ତୀବ୍ର ପ୍ରତିବାଦ କରିଥିଲେ। ଏହା ପଞ୍ଚାୟତରୁ ହିଁ କରାଯିବ ବୋଲି ଅଧ୍ୟକ୍ଷ ଓ ବିଡିଓ ପୂର୍ଣ୍ଣାନନ୍ଦ ପଟେଲ ପ୍ରକାଶ କରିଥିଲେ। ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ପାଣିଗ୍ରାହୀ, ବାଙ୍କେଲ ସମିତି ସଭ୍ୟ ହଂସରାଜ ଜୈନ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରାଙ୍କ ସହ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତଥିଲେ।