୧୨ ବର୍ଷୀୟ ଝିଅ ନିଖୋଜ, ବଳି ଦିଆଯାଇଥିବା ସନ୍ଦେହରେ ସିନ୍ଧେକେଲା ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକେ, ଜଣେ ଅଟକ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନାରେ ଜଣେ ୧୨ ବର୍ଷୀୟ ଝିଅର ନିଖୋଜ ନେଇ ଏତଲା ହୋଇଛି। ନିଖୋଜ ଝିଅର ଘର ସାଲେବରର୍ଟ ଗାଁ ବୋଲି ଜଣାପଡ଼ିଛି। ତେବେ ଝିଅକୁ ଗତ ୨୬ ତାରିଖରେ ଅମାବାସ୍ୟା ତିଥିରେ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି। କାରଣ ସେ ଗତ ୨୪ ତାରିଖରୁ କୁଆଡ଼େ ଯାଇଛି, ତାହା ଜଣା ପଡ଼ି ନାହିଁ। ପ୍ରାୟ ତିନି ଦିନ ଯାଏଁ ଝିଅକୁ ନ ପାଇ ପରିବାର ଲୋକେ ଶୁକ୍ରବାର ରାତି ଥାନାରେ ଏତଲା ଦେବା ପରେ ଆଜି ଗାଁର ୭ରୁ ଅଧିକ ଲୋକ ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରାଉ କରିଛନ୍ତି। ପୁଲିସ ଝିଅର ନିଖୋଜ ପଛରେ ବଡ଼ ଭାଇର ହାତ ଥିବା ସନ୍ଦେହ କରି ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ତେବେ ୧୨ ବର୍ଷୀୟ ଝିଅ ନିଖୋଜ ଖବର ପଛରେ ଅନ୍ୟ କୌଣସି କାରଣ ଥିବ ବୋଲି ଗାଁ ଲୋକ ସନ୍ଦେହ କରୁଛନ୍ତି। କାହିଁକିନା ଗତ ବର୍ଷ ଦଶହରା ମାସରେ ସାଟେବରର୍ଟ ଗାଁର ଶୋଭାବନ ରଣା ସିନ୍ଧେକେଲାରେ ରହୁଥିବା ନିଜ ସମ୍ପର୍କୀୟ ମାମୁର ପୁଅକୁ ତନ୍ତ୍ର ସାଧାନ ପାଇଁ ବଳି ଦେଇଥିଲା। ସେହି ସମୟରେ ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଶୋଭାବନ ନର ବଳି ଦେଇଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲା। ସେ ଦୁଇ ମାସ ହେବ ଜେଲରୁ ଜାମିନରେ ଆସିଥିଲା।

ଶୋଭାବନ ଜାମିନରେ ଆସି ନିଜର ୧୨ ବର୍ଷୀୟ ଭଉଣୀ ସହ କୁଆଡ଼େ ଚାଲିଯାଇଛି। ସେ ପୁର୍ବରୁ ତନ୍ତ୍ର ବିଦ୍ୟା ସାଧନ ପାଇଁ ନିଜ ମାମୁର ପୁଅକୁ ବଳି ଦେଇଥିବା ବେଳେ ଏବେ ଆମାବାସ୍ୟାରେ ନିଜ ଭଉଣୀକୁ ବଳି ପାଇଁ ନେଇ ଯାଇଥିବା ଚାରିଆଡ଼େ ଚର୍ଚ୍ଚା ହେଉଛି। ତେଣୁ ଗାଁରେ ଏବେ ଏକ ପ୍ରକାର କୋକୁଆ ଭୟ ଖେଳିଯାଇଛି।

ସମ୍ବନ୍ଧିତ ଖବର