ଖୋର୍ଦ୍ଧା: ଖୋର୍ଦ୍ଧା ଜଟଣୀ ରାସ୍ତାର ବଡ଼ତୋଟା ନିକଟରେ ଥିବା କାମେଲ ସ୍କୁଲର ଜଣେ ୯ମ ଶ୍ରେଣଈ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। କିଛି ସ୍ୱେଛାସେବୀ ଓ ସ୍ଥାନୀୟ ଲୋକେ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ଖୋର୍ଦ୍ଧା- ଜଟଣୀ ମୁଖ୍ୟ ରାସ୍ତାକୁ ଅବରୋଧ କରି ରଖିଛନ୍ତି।
ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ମିଳି ନ ଥିଲେ ମଧ୍ୟ କାରମେଲ ଇଙ୍ଗ୍ଲିସ ମିଡିୟମ ସ୍କୁଲର ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସେହି ସ୍କୁଲରେ ୯ମ ଶ୍ରେଣୀରେ ପଢ଼ୁଥିବା ଝିଅ ମେରିଲୀନ ଦାସଙ୍କର ଗତକାଲି ବିଳମ୍ବିତ ରାତିରେ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଆଜି ସକାଳୁ ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ କ୍ୟାପିଟଲେ ହସ୍ପିଟାଲକୁ ପଠାଯାଇଛି। ଅପରପକ୍ଷେ ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ ମେରିଲୀନ ତାଙ୍କ ପରିବାର ସହିତ ସ୍କୁଲ କ୍ୟାମ୍ପସରେ ରହୁଥିବାରୁ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ସ୍କୁଲ କର୍ତ୍ତୃପକ୍ଷ ତାହା ସ୍ପଷ୍ଟ କରିବା ଉଚିତ। ଅପର ପକ୍ଷେ ମେରିଲୀନ କିମ୍ବା ତାଙ୍କ ପରିବାର ସ୍କୁଲ କ୍ୟାମ୍ପସ ପରିସରରେ ରହୁ ନ ଥିଲେ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି। ଉଭୟ ପକ୍ଷ ମଧ୍ୟରେ ଟଣାଓଟାର ଲାଗି ରହିଥିବାରୁ ସେଠାରେ ଉତ୍ତେଜନା ଦଖାଦେଇଛି।