କରୋନା ଆକ୍ରାନ୍ତଙ୍କ ଶବ ସଂସ୍କାର ନେଇ ପୁଣି ଉତ୍ତେଜନା: ମଇଳା ଖାଦାନ ଶ୍ମଶାନରେ ମୃତ କୋଭିଡ ରୋଗୀଙ୍କ ଶବଦାହକୁ ବିରୋଧ

ସ୍ୱର୍ଗରଥକୁ ଭଙ୍ଗାରୁଜା, ରାସ୍ତା ଅବରୋଧ

ବାରିପଦା: କରୋନା ଆକ୍ରାନ୍ତଙ୍କ ଶବଦାହକୁ ନେଇ ପୁଣି ବାରିପଦାରେ ଉତ୍ତେଜନା ପ୍ରକାଶ ପାଇଛି। ବାରିପଦା ପୌରାଞ୍ଚଳର ୱାର୍ଡ ନଂ-୨୨ ରଘୁନାଥପୁର ଅଞ୍ଚଳର ମଇଳା ଖାଦାନ ପରିସରରେ ନିର୍ମିତ ସ୍ୱତନ୍ତ୍ର ଶ୍ମଶାନରେ କରୋନା ସଂକ୍ରମିତଙ୍କ ଶବଦାହକୁ ବିରୋଧ କରି ପୁଣିଥରେ ସ୍ଥାନୀୟ ଅଧିବାସୀ ଶବ ନେଇ ଯାଇଥିବା ସ୍ୱର୍ଗରଥକୁ ଭଙ୍ଗାରୁଜା କରିବା ସହିତ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଆଜି ଦିନବେଳେ ଜଣେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ନେଇ ରଘୁନାଥପୁର ମଇଳା ଖାଦାନ ଶ୍ମସାନକୁ ନିଆଯାଇଥିଲା । ଏହାକୁ ସ୍ଥାନୀୟ ଲୋକ‌େ ବିରୋଧ କରିଥିଲେ। ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁଯାୟୀ ଜିଲ୍ଲା ପ୍ରଶାସନ କରୋନାରେ ମୃତ୍ୟୁବରଣ କରୁଥିବା ଶବକୁ ଆଣି ଏଠାରେ ଦାହ କରୁଛନ୍ତି । ଯାହାଫଳରେ ସ୍ଥାନୀୟ ଲୋକମାନେ ସଂକ୍ରମଣ ଶିକାର ହେବାର ବହୁ ସମ୍ଭାବନା ରହିଛି । ଏନେଇ କିଛି ଦିନ ପୂର୍ବରୁ ମଧ୍ୟ ସ୍ଥାନୀୟ ଲୋକେ ବାରିପଦା- କୋଷ୍ଠା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ।

ବାରିପଦା ତହସିଲଦାର ଓ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଘଟଣା ସ୍ଥଳରେ ଲୋକମାନଙ୍କୁ ବୁଝା ସୁଝା କରିବା ପରେ ଏହି ରାସ୍ତା ଅବରୋଧ ହଟିଥିଲା । ଗତକାଲି ମଧ୍ୟ ପ୍ରସାଶନ ପକ୍ଷରୁ ଉକ୍ତ ରଘୁନାଥପୁର ମଶାଣିରେ ଦୁଇଟି କୋଭିଡ ଆକ୍ରାନ୍ତଙ୍କ ଶବଦାହ ପାଇଁ ନିଆଯାଇଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ ଶବଦାହ କାର୍ଯ୍ୟ ସମ୍ପାଦନ କରାଯାଇଥିଲା

। ଏନେଇ ସେମାନେ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ଆଜି ଗ୍ରାମବାସୀ ମାନେ ଦାହ ପାଇଁ ଆସିଥିବା କୋଭିଡ ଆକ୍ରାନ୍ତ ଶବଦାହକୁ ବିରୋଧ କରି ସ୍ୱର୍ଗରଥ ଗାଡିକୁ ଭଙ୍ଗାରୁଜା କରିବା ସହିତ ରାସ୍ତା ଅବରୋଧ କରି ବସିଥିଲେ । ସ୍ଥାନୀୟ ତହସିଲଦାର ଓ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ଜିଲ୍ଲାପାଳ ଉକ୍ତ ସ୍ଥାନକୁ ଆସି ଘଟଣାର ବାବଦରେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ନକରିବା ପର୍ଯ୍ୟନ୍ତ ଏମିତି ଅବରୋଧ ଜାରି ରହିବ ବୋଲି ସ୍ଥାନୀୟ ଲୋକମାନେ କହିଥିଲେ । ବହୁ ସମୟ ପରେ ଉକ୍ତ ରାସ୍ତା ଅବରୋଧ ହଟିଥିଲା । ପୁଲିସ ପକ୍ଷରୁ ଘଟଣା ସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।

ସମ୍ବନ୍ଧିତ ଖବର