କୋଷାଗୁମୁଡା: ପିଲା କଳିରୁ ମହାଭାରତ। ଅସବର୍ଣ୍ଣ ମହିଳା ସବର୍ଣ୍ଣ ଶିଶୁକୁ ଠେଲିବା ଘଟଣାକୁ ନେଇ ଗ୍ରାମରେ କଙ୍ଗାରୁ କୋର୍ଟ। କଙ୍ଗାରୁ କୋର୍ଟରେ ଉକ୍ତ ଅସବର୍ଣ୍ଣ ପରିବାରକୁ ବାସନ୍ଦ ସହ ମହିଳାଙ୍କୁ ଅସମ୍ମାନକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟ ରେ ଧସ୍ତାଧସ୍ତି । ଏହି ଗଣ୍ଡୋଗଳରୁ ପୁଲିସ ବି ବର୍ତ୍ତିପାରି ନାହିଁ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା କୋଡିଗାଁ ଥାନା ବଡଗୁମୁଡା ପଞ୍ଚାୟତ ଅନ୍ତର୍ଗତ ସାନଗୁମୁଡା ଗ୍ରାମରେ। ନିର୍ଯାତନାର ଶିକାର ହୋଇଥିବା ମହିଳା ଜଣକ ହେଲେ ସେହି ଗ୍ରାମର ସ୍ବାତୀ ପନକା(୩୫)।

Advertisment

କୋଡିଗାଁ ପୁଲିସ ଓ ପିଡୀତା ମହିଳାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସେହି ଗ୍ରାମର ଅସବର୍ଣ୍ଣ ମହିଳା ସ୍ବାତୀ ପନକା(୩୫)ଙ୍କ ୧୨ ବର୍ଷର ପୁଅ ସହିତ ସେହି ଗ୍ରାମର ସରପଞ୍ଚଙ୍କ ସମ୍ମର୍କୀୟ ୧୮ ବର୍ଷର ଯୁବକ ମଧ୍ୟରେ ପ୍ରଥମେ ଖେଳାଖେଳି ଓ ପରେ ଠେଲା ପେଲା ହୋଇଥିଲା। ସ୍ବାତୀ ତାଙ୍କ ପୁଅକୁ ମାଡ ମାରିବା ପ୍ରତିବାଦ ରେ ଉକ୍ତ ୧୮ ବର୍ଷର ଯୁବକକୁ ଯାଇ ଠେଲିଦେଇଥିଲେ। ଉକ୍ତ ଘଟଣାକୁ ନେଇ ଆଜି ସକାଳୁ ଗ୍ରାମରେ କଙ୍ଗାରୁ କୋର୍ଟ ବସିଥିଲା। କଙ୍ଗାରୁ କୋର୍ଟରେ ସବର୍ଣ୍ଣ ଉକ୍ତ ଅସବର୍ଣ୍ଣ ପରିବାରକୁ ବାସନ୍ଦ କରାଯାଇଥିଲା। ପୁଣି ସଂଧ୍ୟା ସମୟରେ ବୈଠକ ଡକାଯାଇ ଉକ୍ତ ମହିଳା ସବର୍ଣ୍ଣ ଯୁବକକୁ ମାଡ ମାରିଥିବାକୁ ପ୍ରତିବାଦ କରି ୨ ଲକ୍ଷ ଟଙ୍କା ଜରିମାନା ପକାଇବା ସହ ମହିଳାଙ୍କୁ ଟଣା ଉଟରା ପାଇଁ ଉଦ୍ୟମ କରାଯାଇଥିଲା ।

ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଖବର ପାଇଁ କୋଡିଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ପୁଲିସ ବି ଏଥିରୁ ବର୍ତ୍ତିପାରିନଥିଲା। ପୁଲିସକୁ ବି ଧସ୍ତାଧସ୍ତି କରିବା ସହ ପୁଲିସ ଗାଡିକୁ ବି ମାଡ ମରାଯାଇଥିଲା । ପୁଲିସ ଉକ୍ତ ମହିଳାକୁ ଉଦ୍ଧାର କରି କୋଡିଗାଁ ଥାନାକୁ ଆଣିଛି। ସ୍ବାତୀ ପନକା ସେହି ଗ୍ରାମର ୧୦ ଜଣଙ୍କ ନାମରେ ଥା୍ନାରେ ଏତଲା ଦେଇଛନ୍ତି। ଉକ୍ତ ଏତଲା ଅନୁଯାୟୀ କୋଡିଗାଁ ଥାନା ରେ କେସ ନଂ ୧୪୧/୨୧ ରେ ମାମଲା ରୁଜୁ ହୋଇଛି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ କେହି ଗିରଫ ହୋଇ ନଥିବା ଜଣାପଡିଛି। ତେବେ ବିପକ୍ଷ ଗୋଷ୍ଠୀଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ତେବେ ତୁରନ୍ତ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଥାନା ଅଧିକାରୀ ସରିତା ମହାପାତ୍ର ।