ବିଷମକଟକ: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଦୁର୍ଗୀ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣା ପଡିଛି। ହାଇସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏତଲା କ୍ରମେ ପୁଲିସ୍ ସାହାଡ଼ା ଗ୍ରାମର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନାନୁଯାୟୀ, ଗୁଡାରି ଅଞ୍ଚଳର ଜଣେ ଛାତ୍ରୀ ଦୁର୍ଗୀ ପଞ୍ଚାୟତ ସମିତି ହାଇସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଛାତ୍ରୀ ନିବାସରେ ରହୁଥିଲେ।
କରୋନା କଟକଣା କୋହଳ ହେବା ପରେ ଦୀର୍ଘ ଦିନ ଧରି ବନ୍ଦ ଥିବା ବିଦ୍ୟାଳୟ ଜାନୁଆରୀ ୮ ତାରିଖରେ ଖୋଲିଥିଲା। ସ୍କୁଲ୍ ଖୋଲିବା ପରେ ସଂପୃକ୍ତ ଛାତ୍ରୀ ଜାନୁୟାରୀ ୧୦ ତାରିଖରେ ଛାତ୍ରୀ ନିବାସକୁ ଆସିଥିଲେ। ନିୟମିତ ଭାବେ ଛାତ୍ରୀ ଜଣକ କ୍ଲାସ କରିବା ସହ ହଷ୍ଟେଲରେ ରହି ଆସୁଥିଲେ। କିଛି ଦିନ ତଳେ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖାଦେବା ପରେ ହଷ୍ଟେଲ ଦାୟିତ୍ୱରେ ଥିବା ୱାର୍ଡନ୍ ସଂପୃକ୍ତ ଛାତ୍ରୀକୁ ଚିକିତ୍ସା ପାଇଁ ଦୁର୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ଔଷଧ ଖାଇବା ପରେ ମଧ୍ୟ ସ୍ବାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନ ଆସିବାରୁ ପରର୍ବତୀ ସମୟରେ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପରେ ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା ଜଣା ପଡିଥିଲା। ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷୟତ୍ରୀ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିବା ପରେ ବ୍ଲକ ମଙ୍ଗଳ ଅଧିକାରୀ ସ୍କୁଲକୁ ଯାଇ ଛାତ୍ରୀ ଜଣଙ୍କୁ ପଚରା ଉଚପରା କରିଥିଲେ। ସାହାଡ଼ ଗ୍ରାମର ଜଣେ ଯୁବକଙ୍କ ସହ ଛାତ୍ରୀ ଜଣଙ୍କ ସଂପର୍କରେ ଥିବା ଜଣା ପଡିବା ପରେ ପ୍ରଧାନ ଶିକ୍ଷୟିତ୍ରୀ ବିଷମକଟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ଆଜି ଯୁବକକୁ ଗିରଫ କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରିଛି।