ନାହିଁ ନାହିଁର ଗାଁ ତେନ୍ତୁଳିଗୁଡା, କାଠପୋଲରେ ୭୪ ବର୍ଷ ହେଲା ଚଳୁଛନ୍ତି ୬୦ ପରିବାର

କୋରାପୁଟ: ଗାଁକୁ ଘେରିଛି ପାହାଡିଆ ନାଳ ଓ ନଦୀ। ଅନ୍ୟଦିନେ ଯେମିତି ସେମିତି ଚଳିଯାଉଥିଲେ ବି ବର୍ଷାଦିନ ଆସିଲେ ଆଦିମ ମଣିଷ ପରି ଜୀବନ ବିତାନ୍ତି। ଘର କହିଲେ ଧାଡି ହୋଇ ରହିଥିବା କେତେଟି ନଡା ଛପର। ବର୍ଷା ଝଡି ଲାଗି ରହିଲେ ବାହ୍ୟ ଜଗତରୁ ବଞ୍ଚିତ ହୁଅନ୍ତି। କାହିଁକିନା ପାହାଡିଆ ନଦୀ ଓ ନାଳରେ ପାଣି ଆସି ଗାଁକୁ ଚାରି ପଟୁ ଘେରିଯାଏ। ଆଉ କିଛି ବାଟ ନ ପାଇ ଜୀବନକୁ ଆଦୋରୀ ରହିଥାନ୍ତି। ଆମେ କହୁଛୁ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଗୁଡା ଗାଁର କଥା।

ଏହି ଗାଁରେ କେଉଁ କାଳରୁ ୬୦ଟି ପରିବାର ରହିଆସୁଛନ୍ତି। ଗାଁକୁ ବିଦ୍ୟୁତ ସଂଯୋଗ ହୋଇଛି ହେଲେ ଓଳିଏ ବିଦ୍ୟୁତ ରହିଲେ ଆର ଓଳିକୁ ବିଦ୍ୟୁତ ରୁହେନି। ଅନ୍ଧାର ହେଲେ ଡିବିରି ଆଲୁଅ ଭରଷା ହୁଏ। ସ୍ବାଧୀନତାର ୭୪ ବର୍ଷ ବିତିଲାଣି ହେଲେ ଏହି ଗାଁରେ ରହୁଥିବା ଗୌଡ ପରିବାରଙ୍କୁ ମୌଳିକ ସୁବିଧା ଟିକକ ମିଳୁପାରୁନି। ତେବେ ସବୁଠୁ ବଡ କଥା ଏହି ଗାଁକୁ ଚାରି ପଟୁ ଘେରି ରହିଛି ୭ରୁ ଅଧିକ ନାଳ। ଏହି ଗାଁକୁ ଯିବାକୁ ହେଲେ ହରଡାପୁଟ, ଡମମୁଦୁଲିପୁଟ ଓ ନନ୍ଦିଗାଁ ପଟୁ ତିନିଟି ପାଦ ଚଲାରାସ୍ତା ରହିଛି। ଏହି ରାସ୍ତା ଖରାଦିନେ ଯିବା ଆସିବା କରି ହେଉଥିବାବେଳେ ଡମମୁଦୁଲିପୁଟ ଓ ନନ୍ଦିଗାଁ ପଟୁ ବର୍ଷା ୬ ମାସ ଏହି ରାସ୍ତା ଦେଇ ଯିବା ଆସିବା ସମ୍ଭବ ହୁଏ ନାହିଁ। ହରଡାପୁଟ ଦେଇ ତିନିଟ ନାଳ ଡେଇଁଲେ କୋରାପୁଟ ଓ ଦଶମନ୍ତପୁରକୁ ଯୋଡୁଥିବା ରାସ୍ତା ମିଳେ। ତେବେ ଏହିନାଳ ଅତି ଗହରିଆ ହୋଇଥିବାରୁ ଏହା ଉପରେ କାଠ ପକାଇ କେଉଁ କାଳରୁ ଚଳିଆସୁଛନ୍ତି ଗାଁ ଲୋକେ। ଗତବର୍ଷ ପ୍ରବଳରେ ବର୍ଷାରେ ଗାଁର ଉରି ବାଙ୍ଗଡା ଗୌଡ ଓ ଟିଣା ଗୌଡ ପଡିଥିଲେ। ପୂର୍ବରୁ ସଲିଲ ଗୌଡ ପଡି ପ୍ରାଣ ହରାଇଥିଲେ। ପ୍ରତିଦିନ ଜୀବନକୁ ପାଣି ଛଡାଇ ଯିବା ଆସିବା କରୁଥିଲେ ମଧ୍ୟ ଗାଁକୁ ରାସ୍ତା ଖଣ୍ଡିଏ ହୋଇପାରିଲାନି।

ଗାଁକୁ ତିନିବର୍ଷ ତଳେ ୧୦ ଲକ୍ଷ ଟଙ୍କା ବିନିୟମରେ ଏକ ରାସ୍ଥା ଆସିଥିଲା। କିନ୍ତୁ ଗାଁରଏହି ରାସ୍ତା ମଧ୍ୟରେ କିଛି ଲୋକଙ୍କ ଜମି ପଡିବାରୁ ରାସ୍ତା କାମ ନ ହୋଇ ପଡି ରହିଛି। ବ୍ଲକରେ ଟଙ୍କା ପଡି ରହିଥିବାବେଳେ ରାସ୍ତା କାମ ହୋଇ ପାରୁ ନ ଥିବା ଦେଖିବାକୁ ମିଳିଛି। ଅନ୍ୟ ବିଷୟ ହେଲା ଗାଁରେ ୩୦ରୁ ଅଧିକ ୫ବର୍ଷରୁ କମ୍‌ ଶିଶୁ ଓ ୧୨ରୁ ଅଧିକ କିଶୋର ରହିଛନ୍ତି। ହେଲେ ଗାଁକୁ ଅଙ୍ଗନବାଡି କେନ୍ଦ୍ରଟିଏ ନ ଥିବାରୁ ଶିଶୁଟିଏ ଆ..ଆ…ଶିକ୍ଷା କରିବାରୁ ବଞ୍ଚିତ ହୋଇଛନ୍ତି। ସ୍କୁଲ ନିକଟସ୍ଥ ଗାଁ କେମିଲି ପଦରରେ ରହିଥବାବେଳେ ବାଟରେ ଦୁଇଟି ବଡ ନାଳ ପଡୁଥିବାରୁ ସେଠାକୁ ଯିବାକୁ ଅମଙ୍ଗ ହେଉଛନ୍ତି ଛାତ୍ରଛାତ୍ରୀ। ପାହାଡିଆ ଅଞ୍ଚଳ ହୋଇଥିବାରୁ ଅଙ୍ଗନବାଡି କର୍ମୀ ଆସୁ ନ ଥିବା ଜଣାପଡିଛି।

ଖାଲି ସେତିକି ନୁହେଁ ଗାଁରେ ତିନିଟି ସାହିରେ ୬୦ଟି ପରିବାରରେ ପ୍ରାୟ ୨୫୦ରୁ ଅଧିକ ଲୋକ ରହୁଛନ୍ତି। କାହାରି ଘରେ ରେଡିଓ ଟିଏ କି ଟିଭି ଟିଏ ନାହିଁ। କହିବାକୁ ଗଲେ ପୁରା ଗାଁର ସାରା ଲୋକେ ବଣମଣିଷ ପରି ଜୀବନଯାପନ କରୁଛନ୍ତି।

ଗାଁରେ ମାଳି ଗୌଡ କହିଛନ୍ତି ଯେ କେଉଁ କାଳରୁ ଏହି ଗାଁରେ ରହି ଆସୁଛୁ। କିନ୍ତୁ ଗାଁକୁ କୌଣସି ସୁବିଧାନାହିଁ। ୨୫୦ରୁ ଅଧିକ ଲୋକ ରହୁଥିବାବେଳେ ଗାଁରେ ଦୁଇଟି ନଳକୁପରୁ ଗୋଟିଏ ମାତ୍ର ନଳକୂପ ସଚଳ ରହିଥିବାବେଳେ ଅନ୍ୟ ଅଚଳ ରହିଛି। ଏନେଇ ବହୁପାର ଲେଖି କରି ବିଡିଓଙ୍କୁ ଦେଇଛୁ ହେଲେ ଗାଁକୁ ରାସ୍ତା ନ ଥିବାରୁ କର୍ମଚାରୀ ଆସୁ ନ ଥିବା ସେ କହିଛନ୍ତି।

 

ଏନେଇ ପୂର୍ବତନ ୱାର୍ଡ ମେମ୍ବର ସଦନ ଗୌଡ କହିଛନ୍ତି ଯେ ଗାଁରେ ସମସ୍ୟା ବହୁତ ରହିଛି। ବହୁବାର ଜିଲ୍ଲାପାଳ ଓ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଆମ ସମସ୍ୟା କେହି ବୁଝିବାକୁ ନାହିଁ। ଯେବେଠୁ ନିର୍ବାଚନ ହେଲାଣି ସେବେଠୁ ଆମେ ଏହି ଗାଁରୁ ନେତାଙ୍କୁ ଭୋଟ ଦେଉଛୁ। ହେଲେ ଭୋଟ ଶେଷ ପରେ ନେତାଏ ଦେଇଥିବା ପ୍ରତିଶ୍ରୁତି ସବୁ ପାଣିର ଗାର ହୋଇଯାଏ । ଖାଲି ସେତିକି ନୁହେଁରେ ୧୦ରୁ ଅଧିକ ବୃଦ୍ଧବୃଦ୍ଧା ରହିଛନ୍ତି ହେଲେ ସେମାନଙ୍କୁ ଭତ୍ତା ମଧ୍ୟ ପ୍ରଦାନ କରାଯାଉ ନ ଥିବା ସେ କହିଛନ୍ତି।

ଏନେଇ ଜିଲ୍ଲାପାଳ ଅବଦ୍ଦଲ.ଏମ. ଅଖତାର କହିଛନ୍ତି ଯେ କିପରି ଗାଁକୁ ସବୁ ମୌଳିକ ସୁବିଧା ମିଳିବ ସେନେଇ ବୃବସ୍ଥା ଗ୍ରହଣ କରାଯିବ। ସବୁ ସରକାର ସୁବିଧା ଏହି ଗାଁକୁ ଯେପରି ସବୁ ମି,ିବ ସେନେଇ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର