ମାଲକାନଗିରି: ଆଜି ମାଓବାଦୀ ପାର୍ଟି ତରଫରୁ ଭାରତବନ୍ଦର ଡାକରା ଦିଆଯାଇଥିଲା। ସରକାର ତରଫରୁ ଆରମ୍ଭ ହୋଇଥିବା ପ୍ରହାର-୩କୁ ତୁରନ୍ତ ବନ୍ଦ କରିବା ଏବଂ ଆକାଶ ମାର୍ଗରୁ ବୋମା ବର୍ଷଣ ବନ୍ଦ କରିବା ନେଇ ଆଜି ମାଓବାଦୀ ପାର୍ଟି ତରଫରୁ ଭାରତ ବନ୍ଦର ଡାକରା ଦିଆଯାଇଥିଲା। ବନ୍ଦ ପୂର୍ବରୁ ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଗତକାଲି ରାତିରେ ୧୦ଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଥିଲେ।ଭାରତ ବନ୍ଦକୁ ନେଇ କାଂକେର ଜିଲ୍ଲାରେ ଗଛ କାଟି ରାସ୍ତାକୁ ଅବରୋଧ କରାଯାଇଥିବା ବେଳେ ନାରାୟଣପୁର ଜିଲ୍ଲାରେ ପୁଲିସକୁ ମିଳିଛି ବଡ ସଫଳତା। ବିଭିନ୍ନ ହିଂସାରେ ଜଡିତ ଥିବା ୫ ଜଣ ନକ୍ସଲକୁ ଗିରଫ କରିବାରେ ସଫଳତା ପାଇଛି। ଏହି ନକ୍ସଲମାନେ ବୋମା ବିସ୍ଫୋରଣ କରିବା, ପୁଲିସ ଉପରେ ଆକ୍ରମଣ କରିବା ଏବଂ ଲୋକଙ୍କୁ ମାରପିଟ କରିବା ଘଟଣାରେ ସାମିଲ ଥିଲେ। ସେହିପରି ଦନ୍ତେଵାଡା ଜିଲ୍ଲାରେ ପୁଲିସ ନିକଟରେ ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।
/sambad/media/post_attachments/wp-content/uploads/2021/04/Mkg-Bharat-Band-re-safalata-3-300x225.jpg)
ସେମାନେ ହେଲେ ଭୀମା ମାଡକମ, ଆୟତୁ କୁଞ୍ଜାମ, ରମେଶ କୁଞ୍ଜାମୀ ଏବଂ ଦେବା ଭାସ୍କର। ଏମାନଙ୍କ ମଧ୍ୟରୁ ଭୀମା ମାଡକମ ସିଏନ୍ଏମ୍ କମାଣ୍ଡର ଥିବା ବେଳେ ତା ନାମରେ ସରକାର ୧ ଲକ୍ଷ ଟଂକା ପୁରସ୍କାର ରାଶି ଘୋଷଣା କରିଥିଲେ। ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଭାରତ ବନ୍ଦର ପ୍ରଭାବ ପଡିନଥିବା ବେଳେ ସରକାରୀ ବସ ଚଳାଚଳ କିନ୍ତୁ ସଂପୂର୍ଣ୍ଣ ବନ୍ଦ ରହିଥିଲା। ଲୋକେ ନିଜ ନିଜ ଅଂଚଳକୁ ଯିବାକୁ ବସ ପାଇନଥିବାରୁ ବସଷ୍ଟାଣ୍ଡରେ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା। ଛତିଶଗଡର ବିଭିନ୍ନ ଅଂଚଳରେ ନକ୍ସଲ ପୋଷ୍ଟର ବ୍ୟାନର ଲଗାଇ ଭାରତ ବନ୍ଦକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିବା ଦେଖିବାକୁ ମିଳିଥିଲା। ତେବେ ଭାରତ ବନ୍ଦକୁ ନେଇ ମାଲକାନଗିରି ପୁଲିସ ସମେତ ଛତିଶଗଡର ସୁରକ୍ଷାକର୍ମୀ ସଜାଗ ରହିବା ସହ କୁମ୍ବିଂକୁ ଜୋରଦାର କରୁଥିବା ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Mkg-Bharat-Band-re-safalata-2.jpg)