ମାଓବାଦୀଙ୍କ ଶୋକ ରାଲିର ଭିଡିଓ ଭାଇରାଲ; ମାଓବାଦୀଙ୍କ ଅନ୍ତେଷ୍ଟକ୍ରିୟାରେ ଯୋଗଦେଲେ ଜଂଗଲରେ ହଜାର ହଜାର ନକ୍ସଲ

ମାଲକାନଗିରି: ମାଓବାଦୀ ଜାରି କଲେ ଏନକାଉଣ୍ଟର ବେଳର ଭିଡିଓ। ମାଓବାଦୀ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ନିଜର ସାଥୀମାନଙ୍କର କିପରି ଅନ୍ତେଷ୍ଟକ୍ରିୟା କରୁଛନ୍ତି ଏବଂ ସେମାନଙ୍କର ଶବକୁ ନେଇ ଜଂଗଲରେ ରାଲି କରୁଛନ୍ତି ଏହାର ଏକ ଭିଡିଓ ଗଣମାଧ୍ୟମଙ୍କୁ ପ୍ରେରଣ କରିଛନ୍ତି। ଜଂଗଲରେ ହଜାର ହଜାର ମାଓବାଦୀ ଏକତ୍ରିତ ହୋଇ ମାଓ କମାଣ୍ଡର ମାନଙ୍କର ଶବକୁ କାନ୍ଧରେ ବୋହି କମ୍ରେଡ ଅମର ରହେ ବୋଲି ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଛି। ମାଓବାଦୀ ମାନଙ୍କ ହାତରେ ରଙ୍ଗ ବ୍ୟାନର, କାନ୍ଧରେ ଏକେ-୪୭ ବନ୍ଧୁକ, ଇନସାସ ଭଳି ବନ୍ଧୁକ ରହିଛି।

ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ନିପ୍ପା ଜଂଗଲରେ ମାଓବାଦୀମାନଙ୍କ ସହ ପୁଲିସର ଗୁଳି ବିନିମୟ ଘଟିଥିଲା। ଏହି ଗୁଳି ବିନିମୟରେ ୧୨ ଜଣ ଡିଆରଜି ଯବାନ ଏବଂ ୫ ଜଣେ ଏସ୍ଟି‌ଏଫ ଯବାନଙ୍କର ମୃତ୍ୟୁ ହୋଇଥିଲା। ତେବେ ମାଓବାଦୀ ପାର୍ଟି ତରଫରୁ ମଧ୍ୟ ତିନି ଜଣ ମାଓ କ୍ୟାଡରଙ୍କର ମୃତ୍ୟୁ ହୋଇଥିଲା, ଯାହାର ଶୋକ ସଭା ସହ ଏକ ଶୋକ ରାଲିର ଆୟୋଜନ କରାଯାଇଥିଲା। ମୃତ କମ୍ରେଡଙ୍କ ଶବକୁ ଧରି ଅମର ରହେ ବୋଲି ସ୍ଲୋଗାନରେ ଜଂଗଲ ଫାଟି ପଡୁଥିଲା। ଜଂଗଲରେ ମାଓବାଦୀ ଏତେ ବଡ ଆୟୋଜନ କରୁଥିବା ଖବର କିପରି ପୁଲିସ ଜାଣିପାରିଲା ନାହିଁ। ଗୁଇନ୍ଦା ବିଭାଗ ମଧ୍ୟ ଟେର ପାଇପାରିଲା ନାହିଁ। ଏଠାରେ କେଉଁଠି ନା କେଉଁଠି ଗୁଇନ୍ଦା ଫେଲ ମାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ସେଥିପାଇଁ ହିଁ ପୁଲିସ ମାଓବାଦୀଙ୍କର ଶିକାର ପାଲଟିଥିଲେ। ୧୭ ଜଣ ଯବାନଙ୍କର ଏହି ଗୁଳି ବିନିମୟରେ ମୃତ୍ୟୁ ହୋଇଥିଲା। ତେବେ ଏତେ ସଂଖକ ନକ୍ସଲ ଏକାଠୀ ହେବା ଛୋଟ କଥା ନୁହେଁ ଭିଡିଓରେ ହଜାର ହଜାର ନକ୍ସଲ ଏକ ଲମ୍ବା ଧାଡିରେ ଜଂଗଲରେ ରାଲି କରୁଥିବା ଦୃଶ୍ୟ ଯେ କେହି ବି ଦେଖିଲେ ପୁଲିସକୁ ଏମାନେ ଖୁଲମଖୁଲା ଚ୍ୟାଲେଞ୍ଜ କରୁଥିବା ମନେ ହେବ। ଏତେ ଦିନ ପରେ ମାଓବାଦୀ ନିଜର ଭିଡିଓକୁ ଏବେ ଭାଇରାଲ କରିଛନ୍ତି। ଏଥିରେ କିଛି ନା କିଛି ମାଓବାଦୀଙ୍କର ପ୍ଲାନ ରହିଥିବା ଅନୁମାନ କରାଯାଏ। ଲୋକଙ୍କୁ ଏବଂ ପୁଲିସକୁ ଭୟଭିତ କରାଇବା ପାଇଁ ଏହି ଭିଡିଓ ଭାଇରାଲ କରାଯାଇ ଥାଇପାରେ ବୋଲି କୁହାଯାଇଛି।

ଅନ୍ୟଦିଗରେ ବସ୍ତର ଆଇଜି କହିଛନ୍ତି, ଏହି ଭିଡିଓ ମାଓବାଦୀ ଦମନରେ ବହୁ ସହଯୋଗ କରିବ। ଅନେକ ଟପ୍ କ୍ୟାଡର ମାଓବାଦୀ ଏହି ଭିଡିଓରେ ଦେଖାଯାଉଛନ୍ତି। ସେମାନଙ୍କ ଫଟୋ ପୁଲିସ ଫାଇଲରେ ରହିଛି। ତେଣୁ ଏହି ଭିଡିଓ ଆଗକୁ ପୁଲିସକୁ ବଡ ସଫଳତା ଆଣିଦେବ ବୋଲି ପୁଲିସ କହିଛି। ମାଓବାଦୀଙ୍କ ଦ୍ବାରା ପୂର୍ବରୁ ମଧ୍ୟ ବହୁ ଭିଡିଓ ଭାଇରାଲ କରାଯାଇ ପୁଲିସକୁ ଚ୍ୟାଲେଞ୍ଜ କରାଯାଇଛି। ତେବେ ଏହି ଭିଡିଓ କିନ୍ତୁ ଅନ୍ୟ ଭିଡିଓ ଠାରୁ ଭିନ୍ନ ରହିଛି। ନିଜର ଦମ୍ କେତେ ଅଛି ସେମାନେ ଏହି ଭିଡିଓରେ ଦର୍ଶାଇଛନ୍ତି। ଏତେ ସଂଖ୍ୟକ ନକ୍ସଲ ଗୋଟିଏ ସ୍ଥାନରେ ରୁଣ୍ଡ ହେବା ମଧ୍ୟ ନକ୍ସଲ ପାଇଁ ବିପଦ ଆଣିପାରେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର