ସ୍ବାଭିମାନ ଅଞ୍ଚଳର ଦୁର୍ଦ୍ଦାନ୍ତ ନକ୍ସଲର ଆତ୍ମସମର୍ପଣ

ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳର ଦୁର୍ଦ୍ଦାନ୍ତ ନକ୍ସଲ ସୀତାରାମ ରେଡ୍ଡୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ସୀମାନ୍ତ ତେଲଙ୍ଗାନା ରାଜ୍ୟର ଖମାମ୍‌ ପୁଲିସ ନିକଟରେ ସୀତାରାମ ଆତ୍ମସମର୍ପଣ କରିଥିବା ଜଣାପଡିଛି। ସେ ଗତ ୨୦୦୮ ମସିହାରୁ ଆନ୍ଧ୍ର ଓଡିଶା ଜୋନାଲ କମିଟିର ଡିସିଏମ୍‌ ଭାବେ କାର୍ଯ୍ୟ କରୁଥିଲା। ଆନ୍ଧ୍ର ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ହିଂସା ଘଟାଇଥିବା ପୁଲିସ କହିଛି। ସୀତାରାମଙ୍କ ଘର ଆନ୍ଧ୍ରପ୍ରଦେଶର କତ୍ତାଗୁଡ଼ମ ଜିଲ୍ଲାରେ ଅଟେ। ଗତ ୩୦ ବର୍ଷ ଧରି ନକ୍ସଲ ସଂଗଠନରେ ସେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲା। ତେବେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ସମୟରେ ତାଂକର ଗୋଟିଏ ହାତ କଟି ଯାଇଥିଲା। ପରେ ବିଶାଖାପାଟଣମ୍ ପୁଲିସ ସୀତାରାମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଜେଲରେ କିଛି ସମୟ ରହିବା ପରେ ସେ ମୁକୁଳିଥିଲା।

ଜେଲରୁ ମୁକୁଳିବା ପରେ ପୁଣି ନକ୍ସଲ ସଂଗଠନରେ ଯୋଗ ଦେଇଥିଲା। ତେବେ ସଂଗଠନ ତରଫରୁ ତାକୁ ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳରେ କାମ କରିବାକୁ ସୁଯୋଗ ଦିଆଯାଇଥିଲା। ତେବେ ସ୍ବାଭିମାନ ଅଂଚଳରେ ପୁଲିସ ଏବଂ ବିଏସ୍‌ଏଫର ଘନଘନ ଚଢଉରେ ସୀତାରାମ ଏବଂ ସଂଗଠନ ଏକ ପ୍ରକାର ଚିନ୍ତାଗ୍ରସ୍ତ ହୋଇ ପଡ଼ିଥିଲା। ତେବେ ନିଜକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସୀତାରାମ ଶେଷରେ ଖମାମ ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି। ପୁଲିସ ତରଫରୁ ସମସ୍ତ ସହଯୋଗ କରାଯିବ ବୋଲି କୁହାଯାଇଛି। ଆତ୍ମନିର୍ଭରଶୀଳ ପାଇଁ ମଧ୍ୟ ସୀତାରାମକୁ ସୁଯୋଗ ଦିଆଯିବ। ସୀତାରାମଙ୍କ ନାମରେ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଦୀର୍ଘଦିନ ଧରି କାମ କରିବା ପରେ ପୁଲିସ ହାତରୁ ଆଉ ବର୍ତ୍ତିବା ସମ୍ଭବପର ନୁହେଁ ବୋଲି ଚିନ୍ତାକରି ଶେଷରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର