ରାଉରକେଲା: କୌଣସି ଉପାନ୍ତ ବ୍ଲକ୍‌ ନୁହେଁ। ସ୍ମାର୍ଟସିଟି ଉପକଣ୍ଠ ବସ୍ତିରେ ଏଭଳି ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ରାସ୍ତା ନଥିବାରୁ ବସ୍ତିକୁ ଗଲାନି ଆମ୍ବୁଲାନ୍ସ। ସାପ କାମୁଡ଼ାରେ ଗୁରୁତର ବୃଦ୍ଧାଙ୍କୁ ଷ୍ଟ୍ରେଚରରେ ପ୍ରାୟ ୧ କି.ମି. ବୋହିନେଲେ ଆମ୍ବୁଲାନ୍ସ କର୍ମଚାରୀ। ପରେ ଆମ୍ବୁଲାନ୍ସ ଯୋଗେ ବୃଦ୍ଧାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଏମିତି ଅଭାବନୀୟ ଘଟଣା ଘଟିଛି ଲାଠିକଟା ବ୍ଲକ୍‌ ଅନ୍ତର୍ଗତ ବାଲିଯୋଡ଼ି ନିକଟସ୍ଥ ବସ୍ତିରେ। ଗୁରୁତର ବୃଦ୍ଧା ଜଣକ ହେଲେ ଚାରି ତିର୍କୀ (୬୫)।

Advertisment

ମିଳିଥିବା ସୂଚନା ମୁତାବକ ଗତକାଲି ଚାରି ପରିବାର ସହ ଖାଇପିଇ ଶୋଇଥିଲେ। ବିଳମ୍ବିତ ରାତିରେ ତାଙ୍କୁ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ସକାଳେ ପରିବାର ଲୋକ ଚାରିଙ୍କ ଏପରି ଅବସ୍ଥା ଦେଖି ୧୦୮ ଆମ୍ବୁଲାନ୍ସକୁ କଲ୍‌ କରିଥିଲେ। ଖବର ପାଇ ୧୦୮ ଆମ୍ବୁଲାନ୍ସର କର୍ମଚାରୀ ଚାରିକୁ ଆଣିବାକୁ ବସ୍ତିକୁ ବାହାରିଥିଲା। ହେଲେ ବସ୍ତିଠାରୁ ପ୍ରାୟ ୧ କି.ମି. ଦୂରରୁ ଆମ୍ବୁଲାନ୍ସର ବାଟ ଓଗାଳିଥିଲା ବିପର୍ଯ୍ୟସ୍ତ ରାସ୍ତା। ଚକା ଆଗକୁ ନ ଗଡ଼ିବାରୁ କର୍ମଚାରୀ ୧ କି.ମି. ଦୂରରୁ ଆମ୍ବୁଲାନ୍ସକୁ ରଖିଦେଇଥିଲେ। ଆମ୍ବୁଲାନ୍ସରୁ ଷ୍ଟ୍ରେଚର ନେଇ ବୃଦ୍ଧାକୁ ଆଣିବାକୁ ଚାଲି ବସ୍ତିରେ ପହଞ୍ଚିଥିଲେ। ବୃଦ୍ଧାକୁ ଷ୍ଟ୍ରେଚରରେ ‌ଶୁଆଇ ଗୋଟିଏ କି.ମି. ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ସହରର ଉପକଣ୍ଠ ବସ୍ତିକୁ ଯାଇଥିବା ରାସ୍ତାର ଏଭଳି ଦୟନୀୟସ୍ଥିତି ସରକାରଙ୍କ ଯୋଜନା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି। ବସ୍ତିବାସିନ୍ଦା ରାସ୍ତା ଏଭଳି ଅବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଦାୟୀ କରିଛନ୍ତି।