ବାଲିଅନ୍ତା: ଗୋଷ୍ଠୀ ଗଣ୍ଡଗୋଳ ଯୋଗୁ ଗତ ବର୍ଷ ଭଳି ଏବର୍ଷ ଚଉଷଠୀ ଯୋଗିନୀ ମହୋତ୍ସବ ହୀରାପୁର ସ୍ଥିତି ଚଉଷଠୀ ଯୋଗିନୀ ପୀଠରେ ବନ୍ଦ ହୋଇଯିବା ଏବେ ନିଶ୍ଚିତ ହୋଇଯାଇଛି। ଆୟୋଜକ ନୃତ୍ୟ ପ୍ରତିଭା ଅନୁଷ୍ଠାନର ସଂପାଦକ ପ୍ରତିଭା ପଣ୍ଡା ଏସଂପର୍କରେ ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି। ବିଗତ ବର୍ଷ ଚତୁର୍ଦ୍ଦଶ ମହୋତ୍ସବ ଭୁବନେଶ୍ର ଉତ୍କଳ ରଙ୍ଗମଞ୍ଚରେ ପରିବେଷଣ କରାଯାଇଥିଲା। ଏବର୍ଷର ପଞ୍ଚଦଶ ଚଉଷଠୀ ଯୋଗିନୀ ମହୋତ୍ସବ ଭୁବନେଶ୍ବର ରବିନ୍ଦ୍ର ମଣ୍ଡପରେ ପରିବେଷଣ କରାଯିବ। ଆସନ୍ତା ୨୫ ଏବଂ ୨୬ ତାରିଖ ଦୁଇଦିନ ଧରି ସଂଧ୍ୟା ସାଢ଼େ ୬ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ବିଭିନ୍ନ ଶାସ୍ତ୍ରୀୟ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯିବ ବୋଲି ସୂଚନା ମିଳିଛି। ମିଳିଥିବା କାର୍ୟ୍ୟସୂଚୀ ଅନୁଯାୟୀ ପ୍ରତିଦିନ ସଂଧ୍ୟାରେ ୫ଟି ପର୍ୟ୍ୟାୟରେ ରାଜ୍ୟ ତଥା ରାଜ୍ୟ ବାହାରର ସୁନାମ ଧନ୍ୟ କଳାକାରମାନେ ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ , ସଂଙ୍ଗୀତ ଏବଂ ବାଦ୍ୟଯନ୍ତ୍ର ପରିବେଷଣ କରିବେ।
ସଂପାଦିକା ଶ୍ରୀମତି ପଣ୍ଡାଙ୍କ ସୂଚନା ଅନୁସାରେ ୨୫ ତାରିଖ ସଂଧ୍ୟାରେ ଗୁରୁ ପ୍ରତିଭା ପଣ୍ଡା ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଦ୍ବିତୀୟ ସୋପାନରେ ପ୍ରଜ୍ଞା ନୃତ୍ୟାୟନ ଅନୁଷ୍ଠାନ ଦଳଗତ ସଡ଼ିଶୀ ନୃତ୍ୟ, ତୃତୀୟ ପର୍ୟ୍ୟାୟରେ କଲିକତାର ଗୁରୁ ମଧୁସ୍ମିତା ରାୟଙ୍କ ନୃତ୍ୟ ଅନୁଷ୍ଠାନ ଦଳଗତ କଥକ ନୃତ୍ୟ ଏବଂ ଆଠମଲ୍ଲିକର ଦଣ୍ଡନୃତ୍ୟ ପରିବେଷଣ କରାଯିବ। ୨୬ ତାରିଖ ସଂଧ୍ୟାରେ ଗୁରୁ ଗଜେନ୍ଦ୍ର ପଣ୍ଡା ଦଳଗତ ଓଡ଼ିଶୀ, ଜଟଣୀ ଅଞ୍ଚଳର ଚିତ୍ରସେନ ସ୍ବାଇଁଙ୍କ ଗୋଟିପୁଅ ନୃତ୍ୟ ପରିବେଷଣ ହେବ। ଅନ୍ତିମ ପର୍ୟ୍ୟାୟରେ ମୁମ୍ବାଇର ବିଶିଷ୍ଟ କଣ୍ଠଶିଳ୍ପୀ ପତ୍ମଶ୍ରୀ ଅନୂପ ଜଲୋଟା ସଙ୍ଗୀତ ପରିବେଷଣ କରିବେ। ୨୫ ଓ ୨୬ ତାରିଖରେ ଯଥାକ୍ରମେ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କୁ ଚଉଷଠୀ ଯୋଗିନୀ ନୃତ୍ୟ ପ୍ରତିଭା ସମ୍ମାନ , ଭଜନ ସମ୍ରାଟ ଅନୂପ ଜଲୋଟାଙ୍କୁ ଚଉଷଠୀ ଯୋଗିନୀ ସଙ୍ଗୀତ ସମ୍ମାନ , ନାଟ୍ୟ ଚେତନାର ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକଙ୍କୁ ଚଉଷଠୀ ଯୋଗିନୀ ନାଟ୍ୟ ସମ୍ମାନ, ବିକେ ଆର୍ଟ କଲେଜର ଚିତ୍ରକଳା ବିଭାଗର ମୁଖ୍ୟ ସୁବ୍ରତ ମଲ୍ଲିକଙ୍କୁ ଚଉଷଠୀ ଯୋଗିନୀ ଚିତ୍ରକଳା ସମ୍ମାନ , ଡ. ପଦ୍ମଜ ପାଳଙ୍କୁ ଚଉଷଠୀ ଯୋଗିନୀ ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ।