ନବରଙ୍ଗପୁର : ମୌସୁମୀ ଆରମ୍ଭରୁ ଧୋକା ଦେବାରୁ ଜୁନ୍ରେ ବର୍ଷା ପରିମାଣ କମିଲା। ଜୁଲାଇ ବେଳକୁ ସ୍ଥିତିରେ ପରିବର୍ତ୍ତନ ହେବ ବୋଲି ଆଶା ରହିଥିଲା। କିନ୍ତୁ ମାସର ପ୍ରଥମ ୧୦ଦିନ ବି ବର୍ଷା ଉଭାନ ହୋଇଯାଇଛି। ପାଣିପାଗ ପରିବର୍ତ୍ତନର ସାଂଘାତିକ ପ୍ରଭାବ ଏମିତି ଯେ, ଶ୍ରାବଣରେ ଅନୁଭୂତ ହେଉଛି ଗ୍ରୀଷ୍ମ ଲହର।
ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାରେ ଚାଷ ହିଁ ଏକମାତ୍ର ଜୀବିକା। କିନ୍ତୁ ନଦୀ ନଳ ପରିଚାଳନାରେ ସରକାରଙ୍କ ବିଫଳତା ଏବଂ ସେଚ ପ୍ରକଳ୍ପ ନିର୍ମାଣ କରିବାରେ ପ୍ରଶାସନର ଉଦାସୀନତା ଚାଷୀଙ୍କୁ ହୀନସ୍ତା କରୁଛି। ତଥାପି ପ୍ରକୃତିର ଆଶୀର୍ବାଦ ଯୋଗୁ ଧାନ ସହ ମକା ଏବଂ ଆଖୁ ଫସଲ ପ୍ରଚୁର ପରିମାଣରେ ହେଉଛି। ତେବେ ଚଳିତ ବର୍ଷ ପ୍ରକୃତି କୋପ କରିବାରୁ ସ୍ଥିତି ଅଧିକ ଜଟିଳ ହୋଇଛି। ଚଳିତ ବର୍ଷ ଜିଲ୍ଲାରେ ୧ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଥିଲା। ତେବେ ଜୁନ୍ ମାସରେ ହାରାହାରି ୧୨୪ମିମି ବର୍ଷା ହେବାପରେ ଜୁଲାଇ ମାସରେ ଆଦୌ ବର୍ଷା ନାହିଁ କହିଲେ ଚଳିବ। ଜୁଲାଇ ୫ରୁ ୮ତାରିଖ ମଧ୍ୟରେ ସ୍ବଳ୍ପ ବୃଷ୍ଟିପାତ (ହାରହାରି ୪୪ମିମି) ହୋଇଛି। ଗତବର୍ଷ ଜୁନ୍ରେ ବର୍ଷା କମିଥିଲେ ସୁଦ୍ଧା ଜୁଲାଇ ମାସର ହାରାହାରି ୧୬୦ମିମି ବର୍ଷା ନିଅଣ୍ଟକୁ ଭରଣା କରିଥିଲା। ଚଳିତ ବର୍ଷ ଜମି ପୂରା ଶୁଖିଲା ରହିଥିବାରୁ ୩ରୁ ୪ଦିନ ମଧ୍ୟରେ ପ୍ରବଳ ବର୍ଷା ନହେଲେ ତଳି ପୋଡ଼ିଯିବ ବୋଲି ଚାଷୀ କହିଛନ୍ତି। ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବା ଜିଲ୍ଲାର ୮୫ପ୍ରତିଶତ ଜମି ପଡ଼ିଆ ପଡ଼ିଛି। ବଳକା ୧୫ପ୍ରତିଶତ ଜମିରେ ଉଠା ଜଳସେଚନ ପ୍ରକଳ୍ପ କିମ୍ବା ଜଳାଶୟ ଯୋଗୁ ଚାଷ କାର୍ଯ୍ୟ ସାମାନ୍ୟ ଆଗେଇଛି। ବର୍ଷା ଅଭାବ କେବଳ ପରିବେଶକୁ ପ୍ରଭାବିତ କରିନାହିଁ, ଆଗକୁ ଉତ୍ପାଦନକୁ ମଧ୍ୟ ପ୍ରଭାବିତ କରିବ ବୋଲି କୃଷି ବିଶେଷଜ୍ଞ କହିଛନ୍ତି।
ନବରଙ୍ଗପୁର ଜିଲ୍ଲାରେ ଢେପ ଜମିର ପରିମାଣ ଅଧିକ। ମୋଟ ୧ଲକ୍ଷ ୬ହଜାର ହେକ୍ଟର ଧାନ ଚାଷ ଜମିରୁ ୩୮୮୭୩ହେକ୍ଟରକୁ ଢେପ ଜମି ଭାବେ ଚିହ୍ନଟ କରାଯାଇଛି। ଏହାପରେ ୩୮୩୪୨ହେକ୍ଟର ମଧ୍ୟମ ଧରଣର ଏବଂ ୨୯୧୦୦ ହେକ୍ଟର ଖାଲୁଆ ଜମି ରହିଛି। ମୋଟ ଜମିର ପ୍ରାୟ ୭୦ପ୍ରତିଶତ ଜମି ଢ଼ିପ ଓ ମଧ୍ୟମ ଧରଣର ଜମି ହୋଇଥିବାରୁ ବର୍ଷା ପାଣି ବ୍ୟତୀତ ଚାଷୀଙ୍କ ନିକଟରେ ଅନ୍ୟ ବିକଳ୍ପ ନାହିଁ।