ଜୟପୁର: ଜୟପୁର ଉପଖଣ୍ଡ କ୍ରୀଡା ସଂଘ ପକ୍ଷରୁ ଆଥଲେଟିକ୍ ଫେଡରେସନ୍ ଅଫ ଇଣ୍ଡିଆର ଉପସଭାପତି ତଥା ଓଡିଶା ଆଥଲେଟିକ ଆସୋସିଏସନର ସଭାପତି ଜି.ଶ୍ରୀନିବାସ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟର ସମସ୍ତ ଜିଲ୍ଲାର ୨୦୦ପିଲାଙ୍କୁ କଟକରେ ରଖି ପାଠ ପଢ଼ା ସହ ଉତ୍ତମ ପ୍ରଶିକ୍ଷଣ ଦେଇ ଦୈଡ଼କୁଦ ପ୍ରତିଯୋଗିତାରେ ଉନ୍ନତ ମାନର କ୍ରୀଡାବିତ୍ ବାହାର କରିବା ସଂପୁର୍ଣ୍ଣ ଦାୟିତ୍ବ ଶ୍ରୀ ପଟ୍ଟନାୟକ ସେ ନିଜେ ନେବେ ବୋଲି ଏହି ଅବସରରେ ଘୋଷଣା କରିଥିଲେ।
ନିଜେ ଏଠାରେ ସ୍କୁଲ ଓକଲେଜ ପାଠ ପଢ଼ିଥିବା ନିଜ ସ୍ଥାନରେ ସମ୍ବର୍ଦ୍ଧିତ ହେବା ତାଙ୍କ ପାଇଁ ମାଇଲଖୁଣ୍ଟ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ଭାବବିହ୍ବଳ ହୋଇଯାଇଥିଲେ। ଉପଖଣ୍ଡ କ୍ରୀଡା ସଂଘର ସଂପାଦକ ରବି ନାୟକ ଏଥିରେ ସଭାପତିତ୍ବ କରିଥିଲେ। ଏଥିରେ ଅତିଥି ଭାବେ ସଭାପତି ତଥା ଉପଜିଲ୍ଲାପାଳ ବେଦବର ପ୍ରଧାନ, ସରକାରୀ ଓକିଲ ବିଷ୍ଣୁ ପ୍ରସାଦ ପାତ୍ର, କ୍ରୀଡାସଂଘର ପି.ରମେଶ ପାତ୍ର, ବାଲା ରାୟ, ମୋହନ ଗୌଡ଼, ପଂଚାନନ ପାଳ ପ୍ରମୁଖ ଯୋଗ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କ ସହ କ୍ରୀଡାବିତ୍ ସଂଜୁ ହନ୍ତାଳ, ମେହେକ କୁମାରୀ, କବିତା ତାଡିଙ୍ଗୀ, ପ୍ରସାଦ ଜାନୀ, ଅଂଜନା ଗରଡ଼ା, ପ୍ରିତିକା ସରକାର, ସୁନିତା ସାନ୍ତା, ରିହାନ୍ ଖାନ୍ନ, ନରସିଂହ ମାଝୀ, ମୁକୁନ୍ଦ କୋପେ, ଦୁଲା ମାଝୀ, ଡମ୍ବୁରୁ ପାଙ୍ଗୀ, ସମାରୀ ହାଂଜରିଆ, ଏ.କିରଣ, ନିରଂଜନ ଗୌଡ଼, ଏସକେ ମୁନ୍ନିର ଓସିଦ୍ଧାର୍ଥ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ମଂଚକୁ ନିରଂଜନ ପାଣିଗ୍ରାହୀ ସଂଯୋଜନା କରିଥିଲେ। ଏହି ଅବସର ସ୍ବର ଘୁଙ୍ଗୁର ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ ସଂଧ୍ୟା ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଗାୟକ ମନୋଜ ଦାଶଙ୍କ ଦ୍ବାରା ଶାବରଶୀକ୍ଷେତ୍ର ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଲେଖାଯାଇଥିବା ଭଜନକୁ ପ୍ରଥମ କରି ଶ୍ରୀ ପଟ୍ଟନାୟକ ଏହି ମଂଚରେ ଗାଇଥିଲେ।