ଝାରସୁଗୁଡ଼ା: ଘୋଷଣା କରି ଫାଙ୍କିଦେଲେ ଝାରସୁଗୁଡ଼ା ବିମାନ ବନ୍ଦର କର୍ତ୍ତୃପକ୍ଷ। ଗତ ୩୦ ତାରିଖରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଟ୍ବିଟ୍‌ କରି ଜୁଲାଇ ୧୦ ତାରିଖରୁ ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନ ବନ୍ଦରରୁ କୋଲକାତା ଓ ବିଶାଖାପାଟଣାକୁ ସ୍ପାଇସ୍‌ଜେଟ୍‌ର ନୂଆ ବିମାନ ଉଡ଼ିବ ବୋଲି ଉଲ୍ଲେଖ କରିଥିଲେ। ଏହାସହିତ ଗତବର୍ଷରୁ ବନ୍ଦ ହୋଇଥିବା ଚେନ୍ନାଇ ଓ ବେଙ୍ଗାଲୁରୁ ବିମାନ ସେବା ମଧ୍ୟ ଆରମ୍ଭ ହେବ। ଯାହା ସପ୍ତାହରେ ଚେନ୍ନାଇକୁ ୩ ଦିନ ଓ ବେଙ୍ଗାଲୁରୁକୁ ୪ ଦିନ ଉଡ଼ାଣ କରିବ ବୋଲି ଲେଖିଥିଲେ। କିନ୍ତୁ ଅଦ୍ୟାବଧି ଉକ୍ତ ବିମାନ ସେବା ପାଇଁ ସ୍ଲଟ୍‌ ବୁକିଂ ବି ଆରମ୍ଭ ହୋଇନଥିବା ବେଳେ ସୋମବାରଠାରୁ ଏହି ନୂଆ ବିମାନ ଉଡ଼ାଣ କରିବନି।

Advertisment

ଘଟଣା ସମ୍ପର୍କରେ ବିମାନ ବନ୍ଦର ନିର୍ଦ୍ଦେଶକ ସନ୍ଦୀପ ତିୱାରୀଙ୍କୁ ଯୋଗାଯୋଗ କରିବାରେ, ଜୁଲାଇ ୧୦ ତାରିଖରୁ ଏହି ବିମାନ ପାଇଁ ସ୍ଲଟ୍‌ ବୁକିଂ ହେବ ବୋଲି କୁହାଯାଇଥିଲା ଓ ବିମାନ ଉଡ଼ିବ ବୋଲି କୁହାଯାଇ ନଥିଲା ବୋଲି ଉତ୍ତର ଦେଇଛନ୍ତି। ତେବେ ବୁକିଂକୁ ଦେଖି କେବେଠୁ ବିମାନ ଉଡ଼ିବ ସେନେଇ ଏୟାରଲାଇନ୍ସ ପକ୍ଷରୁ ସୂଚନା ଜାରି ହେବ ବୋଲି ଶ୍ରୀ ତିୱାରୀ କହିଛନ୍ତି। ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ବର, କୋଲକାତା, ହାଇଦ୍ରାବାଦ ଓ ଦିଲ୍ଲୀକୁ ନିୟମିତ ବିମାନ ଚଳାଚଳ ହେଉଛି। ଝାରସୁଗୁଡ଼ାରୁ ହାଇଦ୍ରାବାଦ ଓ ଦିଲ୍ଲୀକୁ ସ୍ପାଇସଜେଟ୍‌ ଏବଂ ଝାରସୁଗୁଡ଼ାରୁ କୋଲକାତା ଓ ଭୁବନେଶ୍ବରକୁ ଏୟାରଇଣ୍ଡିଆ ବିମାନ ଉଡ଼ାଣ କରୁଛି। ଚେନ୍ନାଇ ଓ ବେଙ୍ଗାଲୁରୁକୁ ବିମାନ ଉଡ଼ାଣ ପ୍ରାୟ ୧ ବର୍ଷ ହେବ ବନ୍ଦ ହୋଇଯାଇଥିବାରୁ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିରେ ଲୋକେ ବେଶ୍‌ ଉତ୍ସାହିତ ହୋଇଥିଲେ। ମାତ୍ର ଆଜିର ସ୍ଥିତି ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।