ଭଞ୍ଜନଗର : ନକ୍ସଲ ବିରୋଧରେ ଏକ ବଡ଼ ଅପରେସନର ମୂକସାକ୍ଷୀ ହେଉଛି ‘ଗସ୍ମାହା’। ଓଡ଼ିଶାରେ ନକ୍ସଲ୍ ଇତିହାସରେ ସବୁଠୁ ବଡ଼ଆକ୍ରମଣ। ‘ଅପରେସନ୍ ରୋପ୍ୱେ’ ପରେ ଆରମ୍ଭ କରାଯାଇଥିବା ଏହି ଅପରେସନକୁ ଆଜି ୧୫ବର୍ଷ ପୂରିଛି। ତେବେ, ଏହି ଅପରେସନ ପରେ ଆଉ ଏକ ବଡ଼ ହିଂସାକାଣ୍ଡ ଦେଖିବାକୁ ମିଳିନଥିବା ବେଳେ ସେଦିନ ଚର୍ଚ୍ଚାରେ ଥିବା ଏହି ଅଞ୍ଚଳରେ ଏବେ ବି ବିକାଶମୂଳକ ଯୋଜନା ପହଞ୍ଚି ପାରିନି।
୨୦୦୮ ଫେବ୍ରୁଆରି ୧୫ ତାରିଖ ରାତିରେ ମାଓବାଦୀମାନେ ନୟାଗଡ଼ ଥାନା, ପୁଲିସ ରିଜର୍ଭ ଅସ୍ତ୍ରାଗାର, ପିଟିଏସ୍ ଅସ୍ତ୍ରାଗାର, ନୂଆଁଗା ଓ ଦଶପଲ୍ଲା ଥାନା ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସେମାନଙ୍କ ଗୁଳିରେ ୧୫ ପୁଲିସ ଓ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ଏହାପରେ ସେମାନେ ଅସ୍ତ୍ରାଗାରରୁ ଲକ୍ଷାଧିକ ଗୁଳି ଓ ବନ୍ଧୁକ ଲୁଟି ନେଇଥିଲେ। ଏହି ଅପରେସନ୍କୁ ମାଓବାଦୀମାନେ ‘ଅପରେସନ୍ ରୋପ୍ୱେ’ ବୋଲି ପରେ ଏକ ଇସ୍ତାହାରରେ ସ୍ପଷ୍ଟ କରିଥିଲେ। ଯାହାର ରଣକ୍ଷେତ୍ର ପାଲଟିଥିଲା ଗସ୍ମାହା। ଏହାପରେ ଲାଲ୍ବାହିନୀ ଗଞ୍ଜାମର ବରବରା ଜଙ୍ଗଲକୁ ନିଜର କରିଡର କରିଥିଲେ।
ଭଞ୍ଜନଗର ବ୍ଲକ୍ ଓ ତାରସିଂ ଥାନା ଅଧୀନ ଗାଲେରୀ ଫାଣ୍ଡିରେ ପଶି ହିଂସାକାଣ୍ଡ ଭିଆଇବା ପରେ ଏହାକୁ ଉଡ଼ାଇ ଦେଇଥିଲେ। ସେହି ଧ୍ବସ୍ତବିଧ୍ବସ୍ତ ଫାଣ୍ଡି ଆଜି ବି ଏହି ଘଟଣାର ମୂକସାକ୍ଷୀ ଭାବେ ଛିଡ଼ା ହୋଇଛି। ନକ୍ସଲଙ୍କ ସିରିଜ୍ ଥାନା ଆକ୍ରମଣ, ୧୫ ପୁଲିସଙ୍କୁ ହତ୍ୟା, ପିଟିଏସ୍ ଅସ୍ତ୍ରଗାର ଓ ପୁଲିସ ରିଜର୍ଭରୁ ଅସ୍ତ୍ରଶସ୍ତ୍ର ଲୁଟ୍ ଏବଂ ଏହାର ପରେପରେ ଗଞ୍ଜାମ-କନ୍ଧମାଳ ସୀମା ଗସ୍ମାହାରେ ପୁଲିସ ସହ ଗୁଳିବିନିମୟ ଭଳି ଲୋମହର୍ଷଣକାରୀ ଘଟଣାକୁ ଆଜି ୧୫ ବର୍ଷ ପୂରିଛି। ଫେବ୍ରୁଆରି ୧୬ ତାରିଖରେ ଗସ୍ମାହା ଜଙ୍ଗଲରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଗୁଳି ବିନିମୟରେ ଏସ୍ଓଜି ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ୍ ପ୍ରମୋଦ ଶତପଥୀଙ୍କ ସମେତ ୩ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। ଏଥିରେ କିଛି ମାଓବାଦୀ ନିହତ ହୋଇଥିବା ସରକାର ଦାବି କରିଥିଲେ। ଏହାପରେ ୧୭ ତାରିଖରେ ଆରମ୍ଭ ହୋଇଥିଲା ପୁଲିସ ବାହିନୀର ବିଶାଳ ଅପରେସନ୍। ଦିଲ୍ଲୀରୁ ବାୟୁସେନାର ହେଲିକପ୍ଟର୍ ଯୋଗେ ସିଆରପିଏଫ୍ ବାହିନୀ ଓ ଆନ୍ଧ୍ରପ୍ରଦେଶର ଗ୍ରେ ହାଉଣ୍ଡ୍ ଯବାନ ଅପରେସନ୍ରେ ସାମିଲ ହୋଇଥିଲେ। ୧୮ ତାରିଖରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଗସ୍ମାହା ଜଙ୍ଗଲ ଭିତରୁ ବିପୁଳ ପରିମାଣରେ ଲୁଟ୍ ଅସ୍ତ୍ରଶସ୍ତ୍ର ଉଦ୍ଧାର କରା ଯାଇଥିଲା।
ତେବେ, ସେଦିନ ଚର୍ଚ୍ଚାରେ ଥିବା ଗମ୍ସାହାରେ ଆଜି ବି ସରକାରଙ୍କ ବିକାଶମୂଳକ ଯୋଜନା ଅପହଞ୍ଚ। ଯେଉଁଠିକୁ ଦିନେ ରାଜ୍ୟର ପୁଲିସ ମୁଖିଆଙ୍କ ଠାରୁ ଆରମ୍ଭ କରି ଶତାଧିକ ଯବାନଙ୍କ ସୁଅ ଛୁଟିଥିଲା ସେହି ଇଲାକା ଆଜି ଏକ ଅଜଣା ଭୂଖଣ୍ଡ ପାଲଟିଛି। ଦୁର୍ଗମ ଇଲାକାବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇପାରି ନାହାନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଶିକ୍ଷା ଠାରୁ ଆରମ୍ଭ କରି ଗମନାଗମନ, ବିଦ୍ୟୁତ୍, ପାନୀୟଜଳ ଓ ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଯୋଗାଇବାରେ ସରକାର ସଫଳ ହୋଇପାରି ନାହାନ୍ତି। ଗ୍ରାମର କୋଠଘରେ ଚାଲିଥିବା ପ୍ରାଥମିକ ଶିକ୍ଷା ମଧ୍ୟ କିଛିବର୍ଷ ହେଲା ବନ୍ଦ ହୋଇଯାଇଛି। ସେହିପରି, କାହାର ସ୍ବାସ୍ଥ୍ୟ ଖରାପ ହେଲେ, ୧୦ କିଲୋମିଟର ଦୂର ଗଞ୍ଜାମ ଜିଲ୍ଲାର ଗାଲେରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏକମାତ୍ର ଭରସା। କିନ୍ତୁ ଗୁରୁତର ରୋଗୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାଉଳ ଓ ଭତ୍ତା ଆଣିବାକୁ ହିତାଧିକାରୀଙ୍କୁ ୧୦ରୁ ୧୨ କିଲୋମିଟର ଦୂର ଚାହାଳି ଗ୍ରାମକୁ ଜଙ୍ଗଲ ଏବଂ ପାହାଡ଼ିଆ ରାସ୍ତା ଦେଇ ଯିବାକୁ ପଡ଼ୁଛି। ସେହିପରି ବ୍ଲକ୍ କାର୍ଯ୍ୟାଳୟ ସହ ସିଧାସଳଖ ଯୋଗାଯୋଗର ସୁବିଧା ନାହିଁ। ଜଙ୍ଗଲ ଓ ଜଙ୍ଗଲ ଜମି ଉପରେ ନିର୍ଭର କରୁଥିବା ଗସ୍ମାହା ଗ୍ରାମବାସୀଙ୍କ ପାଇଁ ବିକାଶ ଯେମିତି ସାତସପନ ପାଲଟିଛି। ଆଜି ଗମ୍ସାହାର ସେହି ଘଟଣାର ସ୍ମୃତିଚାରଣ କଲାବେଳେ ଏହିଭଳି କଥା ବାହାରି ପଡ଼ିଛି ସ୍ଥାନୀୟ ଲୋକଙ୍କ ମୁହଁରୁ।