ମୃତ୍ୟୁର ୧୪ଦିନ ପରେ ଦିଲ୍ଲୀ ପଠାଯିବ ନାଇଜେରିଆ ବନ୍ଦୀଙ୍କ ମୃତଦେହ

କଟକ: ମୃତ୍ୟୁର ୧୪ଦିନ ପରେ ଦିଲ୍ଲୀ ପଠାଯିବ ନାଇଜେରିଆ ବନ୍ଦୀଙ୍କ ମୃତଦେହ। ନାଇଜେରିଆର ଜଣେ ବିଚାରାଧୀନ କଏଦୀଙ୍କ ମୃତଦେହ ୧୪ ଦିନ ହେଲା କଟକ ବଡ଼ ମେଡିକାଲ୍‌(ଏସସିବି) ଶବଗୃହରେ ଶଢ଼ୁଥିଲା। ନା ମୃତଦେହ ଫେରାଇବାର ବ୍ୟବସ୍ଥା କରାଯାଉଥିଲା, ନା ମୃତକଙ୍କ ପରିବାର ଲୋକଙ୍କୁ ସହାୟତାର ହାତ ବଢ଼ାଯାଉଥିଲା। ଏନେଇ ପୁରୀ କାରାଗାରା ଓ ପୁରୀ ଜିଲ୍ଲା ପ୍ରଶାସନ ବିରୋଧରେ ଅଭିଯୋଗ ହେବା ପରେ ଏବେ ଶବକୁ ଦିଲ୍ଲୀ ପଠାଇବା ପାଇଁ ବ୍ୟବସ୍ଥା‌ କରାଯାଇଛି।

ଏସସିବି ଆଡମିନିଷ୍ଟ୍ରେଟିଭ ଅଧିକାରୀଙ୍କ ସୂଚନା ମୁତାବକ, ୧୪ଦିନ ପରେ ଏବେ ନାଇଜେରିଆ ବନ୍ଦୀଙ୍କ ମୃତଦେହକୁ ଦିଲ୍ଲୀ ପଠାଯିବ। କଟକ ରେଳ ଷ୍ଟେସନରୁ ଏକ ସ୍ବତନ୍ତ୍ର ବଗିରେ ମୃତଦେହକୁ ଦିଲ୍ଲୀ ପଠାଯିବ। ମେଡିସିନ ବିଭାଗରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ମୃତଦେହ ହସ୍ତାନ୍ତର ପାଇଁ ପୁରୀ ଜେଲ ଅଧୀକ୍ଷକଙ୍କ ସହ ଆଲୋଚନା କରିଥିଲୁ। ହେଲେ ସେମାନେ ମୃତଦେହ ନେବାକୁ ବିଳମ୍ବ କରିବାରୁ ଆମେ ମୃତଦେହବକୁ ଆନାଟୋମି ବିଭାଗରେ ରଖିଥିଲୁ। ଆଜି ରେଳ ଯୋଗେ ମୃତଦେହକୁ ଦିଲ୍ଲୀ ପଠାଯିବ।

ମିଳିଥିବା ସୂଚନା ମୁତାବକ, ମୃତ କଏଦୀ ହେଲେ ନାଇଜେରିଆର ଅଗଷ୍ଟିନ୍‌ ଓଡିକ୍ପୋ। ୨୦୧୯ ଫେବ୍ରୁଆରି ୧୧ତାରିଖରେ ଏକ ସାଇବର ଅପରାଧ ମାମଲାରେ ପୁରୀ ପୁଲିସ ଅଗଷ୍ଟିନ୍‌ଙ୍କୁ ବିହାରର ପାଟନା ସହରରୁ ଗିରଫ କରିଥିଲା। ସେବେଠୁ ଅଗଷ୍ଟିନ୍‌ ବିଚାରାଧୀନ କଏଦୀ ଭାବେ ପୁରୀ ଜେଲ୍‌ରେ ଥିଲେ। ଗତ ମେ ମାସ ୯ ତାରିଖରେ ଚର୍ମରୋଗରେ ଆକ୍ରାନ୍ତ ହେବାପରେ ଅଗଷ୍ଟିନ୍‌ଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ୧୫ ଦିନ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ହେବା ପରେ ତାଙ୍କୁ କଟକ ବଡ଼ ମେଡିକାଲ(ଏସ୍‌ସିବି)କୁ ପଠାଇ ଦିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୬ ତାରିଖରେ ଅଗଷ୍ଟିନ୍‌ଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ପାଇ ନୂଆଦିଲ୍ଲୀର ଏକ ଜରାଶ୍ରମରେ ରହୁଥିବା ଅଗଷ୍ଟିନ୍‌ଙ୍କ ଭାଇ କଟକରେ ପହଞ୍ଚିବା ସହ ଜେଲ କର୍ତ୍ତୃପକ୍ଷକୁ ଏକ ନିବେଦନପୂର୍ବକ ଚିଠି ଲେଖିଥିଲେ। ପାଖରେ ଟଙ୍କା ଅଭାବ ଓ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଜେଲ କର୍ତ୍ତୃପକ୍ଷଙ୍କୁ ମୃତଦେହ ଫେରାଇ ନେବାରେ ସହଯୋଗ କରିବାକୁ ନିବେଦନ କରିଥିଲେ। କାରାଗାର କର୍ତ୍ତୃପକ୍ଷ ଏହି ଚିଠି ଜିଲ୍ଲାପାଳଙ୍କୁ ପଠାଇଥିଲେ ବି ୧୪ଦିନ ଯାଏ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିଲା।

ସମ୍ବନ୍ଧିତ ଖବର