ଦଶରଥପୁର: ବର୍ଷୀୟାନ ଗାନ୍ଧୀବାଦୀ, ସର୍ବୋଦୟ ନେତା ତଥା ଯାଜପୁରର ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କର ଆଜି ଶେଷକୃତ୍ୟ କରାଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଜନ୍ମମାଟି ଦଶରଥପୁର ବ୍ଲକ୍‌ ଖଣ୍ଡରା ପଞ୍ଚାୟତ ବିଜିପୁର ଗ୍ରାମକୁ ଅଣାଯାଇଥିଲା। ଶନିବାର ସକାଳେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Advertisment

ପିସିସି ରାଜ୍ୟ ଉପସଭାପତି ତଥା ପୂର୍ବତନ କନ୍ଧମାଳ ସାଂସଦ ନକୁଳ ନାୟକ, ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ଯାଜପୁର ବିଧାୟକଙ୍କ ପ୍ରତିନିଧି ଭବପ୍ରସାଦ ଦାସ, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ, ଉପସଭାପତି ସଂଜୟ ନାୟକ, ଶ୍ରୀନିବାସ ପରିଡ଼ା, ପ୍ରମୋଦ ପଣ୍ଡା,  ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ, କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ, କଂଗ୍ରେସ ନେତା ମନୋରଂଜନ ଦାସ, ସନ୍ତୋଷ ନନ୍ଦ, କନକଲତା ମଲ୍ଲିକ, ଶ୍ୟାମସୁନ୍ଦର କର, ଦେବେନ୍ଦ୍ର ପଣ୍ଡା, ଗୟାଧର ପଣ୍ଡା, ଭରତ ଚନ୍ଦ୍ର ପରିଡ଼ା, ଇନ୍ଦ୍ରଜିତ୍ ଦାସ, ଉତ୍କଳ କେଶରୀ ମହାପାତ୍ର,  ବିଜେପି ନେତା ଭୁବନାନନ୍ଦ ସାମଲ, ସମିତି ସଭ୍ୟ ରମାକାନ୍ତ ସେଠୀ, ପୂର୍ବତନ ସରପଞ୍ଚ ତପନ ଯେନା ପ୍ରଭୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମରଆତ୍ମାର ସଦ୍‌ଗତି କାମନା କରିଥିଲେ।

ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନରାୟଣ ଚନ୍ଦ୍ର ବାରିକଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଲିସ୍ ବାହିନୀ ଶେଷ ସମ୍ମାନ ଜଣାଇଥିଲା। ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ସାନପୁଅ ହେମନ୍ତ ଦାସ ମୁଖାଗ୍ନି ଦେଇଥିଲେ।