ତେଲକୋଇ: ଆଜି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ସମ୍ମୁଖରେ ଏକ ଡଷ୍ଟର କାର(ଓଡି ୧୯ ଇ ୪୪୪୪) ଜଳିଯାଇଛି। ଅନୁଗୁଳ ଜିଲ୍ଲା ବଅଁରପାଳର ସଂଗ୍ରାମ କେଶରୀ ନାୟକ କେନ୍ଦୁଝର ବିଲେଇପଦାକୁ ଯାଉଥିଲେ। ତେଲକୋଇ-କାଞ୍ଜିପାଣି ପୂର୍ତ୍ତ ରାସ୍ତା ବାରବାଙ୍କ ଘାଟି ଚଢି ଗାଡ଼ିଟି ୪୯ ନଂ ଜାତୀୟ ରାଜପଥ କାଞ୍ଜିପାଣି ଥାନା ସମ୍ମୁଖରେ ପହଞ୍ଚିବା ପରେ ଗାଡ଼ି ରଖିଦେଇ କେନ୍ଦୁ ଓ ଅନ୍ୟ କିଛି ଜିନିଷ କିଣୁଥିବା ବେଳେ ବନେଟରୁ ଧୂଆଁ ବାହାରି ଥିଲା। କେହି କିଛି ବୁଝିବା ପୂର୍ବରୁ ହଠାତ୍ ହୁତୁହୁତୁ ହୋଇ ନିଆଁ ଲାଗି ଯାଇଥିଲା।
ପରେ ଖବର ପାଇ ତେଲକୋଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ କାରଟି ସଂପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଯାଇଥିଲା। କାରଟି ନିଜେ ମାଲିକ ସଂଗ୍ରାମ ଚଳାଉଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ବସିଥିଲେ। ଏଥିରେ କାହାର କିଛି କ୍ଷତି ହୋଇନାହିଁ।