ସମ୍ବଲପୁର: ଖାସି ମାଂସ ପାଇଁ ଗଣ୍ଡଗୋଳ କରିବା ପରେ ବର ଶିଶୁପାଳ ହୋଇ ଫେରିଯିବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବଳିଷ୍ଠ ପଦକ୍ଷେପ ପାଇଁ କନ୍ୟା ସଂଜ୍ଞା ସୁଚରିତା ବେହେରାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଅପରପକ୍ଷରେ ଆଜି ଗୁଣ୍ଡେରପୁରର ସ୍ବାଭିମାନୀ ଝିଅ ସଂଜ୍ଞା ସୁଚରିତା ଗଣମାଧ୍ୟମ ନିକଟରେ ନିଜ ପ୍ରତିକ୍ରିୟା ରଖି ଆଗକୁ ଅଧ୍ୟୟନ ଜାରି ରଖିବା ସହିତ ନିଜ ଗୋଡ଼ରେ ଛିଡ଼ା ହେବାକୁ ପ୍ରୟାସ କରିବେ ବୋଲି କହିଛନ୍ତି। ସଂଜ୍ଞା ସୁଚରିତାଙ୍କ କହିବା ଅନୁସାରେ, ବରଯାତ୍ରୀଙ୍କ ପାଇଁ ଖାସି ମାଂସ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ବରଯାତ୍ରୀ ଦଳର ପ୍ରାୟ ସମସ୍ତେ ଖାଇ ସାରିଥିଲେ। ପଛରେ ଆସିଥିବା କେବଳ ୫/୬ ଜଣ ଖାଇବା ସମୟରେ ମାଂସ ନଥିଲା। ମାଂସ ପାଇଁ ସେମାନେ ଗଣ୍ଡଗୋଳ କରିଥିଲେ। ବାପାଙ୍କ ଠାରୁ ଆମପକ୍ଷରେ ସବୁ ଗୁରୁଜନମାନେ ସେମାନଙ୍କୁ ବୁଝାସୁଝା କରିଥିଲେ ବି ସେମାନେ କେହି ବୁଝିବା ଅବସ୍ଥାରେ ନଥିଲେ। ଏପରିକି ବରପାତ୍ର ମଧ୍ୟ ମାଂସ ପାଇଁ ଜିଦ୍‌ ଧରିଥିଲେ।

Advertisment

୭୦ ବର୍ଷରୁ ଅଧିକ ବୟସ୍କ ମୋର ବଡ଼ବାପା ନିଜେ ଷାଷ୍ଟାଂଗ ପ୍ରଣାମ କରି ଭୁଲ ମାଗିଥିଲେ ବି ସେମାନେ ନଶୁଣିବା ମୋତେ ବହୁତ ବାଧିଥିଲା। ଯେଉଁ ପରିବାରର ଲୋକେ ସାମାନ୍ୟ ମାଂସ ତରକାରୀ ପାଇଁ ମୋର ବାପା, ବଡ଼ବାପାଙ୍କୁ ସମ୍ମାନ ଦେଉନାହାନ୍ତି, ସେଠାରୁ ମୋତେ କ’ଣ ସମ୍ମାନ ମିଳିବ ବୋଲି ଚିନ୍ତା କରି ସେହି ଯୁବକଙ୍କୁ ବିବାହ କରିବାକୁ ମନା କରିଦେଇଥିବା ସଂଜ୍ଞା ସୁଚରିତା କହିଛନ୍ତି। ଅପରପକ୍ଷରେ ତାଙ୍କ ମାମୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବରପକ୍ଷ ନିର୍ଦ୍ଧାରିତ ସମୟଠାରୁ ବହୁ ବିଳମ୍ବରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ବ୍ୟକ୍ତି ଭୋଜି ଜାଗାରୁ ମାଂସ ନେଇ ମଦ୍ୟପାନ କରିଥିଲେ। ବିବାହ ମଣ୍ଡପ ପରିସରରେ ଥିବା ଗୋଟିଏ କକ୍ଷରେ ୫/୬ ଜଣ ଯୁବକ ବିଳମ୍ବିତ ରାତ୍ରି ଯାଏ ମାଂସ ସହିତ ମଦ୍ୟପାନ କରିଥିଲେ। ତେ‌ବେ, ସେମାନେ ଖାଇବାକୁ ଆସିବା ସମୟରେ ଅନ୍ୟ ସବୁ ବ୍ୟଞ୍ଜନ ଥିଲା, ଖାସି ମାଂସ କିନ୍ତୁ ସରିଯାଇଥିଲା। ‌ମାଂସ ଖାଇବା ପାଇଁ ଜିଦ୍‌ କରିବା ସହିତ ସେମାନେ ଗଣ୍ଡଗୋଳ କରିଥିଲେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ରବିବାର ରାତିରେ ସମ୍ବଲପୁର ମହାନଗର ଅଂଚଳରେ ଏକ ପ୍ରତିଷ୍ଠିତ ବିବାହ ମଣ୍ଡପରେ ଏହି ଅଭାବନୀୟ ଘଟଣା ଘଟିଥିଲା। ସୁନ୍ଦରଗଡ଼ର ଜଣେ ବ୍ୟାଙ୍କ ଅଧିକାରୀଙ୍କ ସହିତ ସଂଜ୍ଞା ସୁଚରିତାଙ୍କ ବିବାହ ସ୍ଥିର ହୋଇଥିବା ବେଳେ ହାତଗଣ୍ଠି ପଡ଼ିବା ପୂର୍ବରୁ ବାହାଘର ଭାଂଗି ଯାଇଥିଲା। ଆଉ ବ୍ୟାଙ୍କ ଅଧିକାରୀ ବରକୁ ଶିଶୁପାଳ ହୋଇ ଫେରିଯିବାକୁ ପଡ଼ିଥିଲା। ଅପରପକ୍ଷରେ ଅନ୍ୟ ଝିଅମାନଙ୍କୁ ନିଜ ସ୍ବାଭିମାନ ଓ ସମ୍ମାନ ସହିତ କଦାପି ସାଲିସ ନକରିବା ଏବଂ ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଛନ୍ତି।