ସୁନ୍ଦରଗଡ଼: ଚିକିତ୍ସା ପାଇଁ ବାପାମାଙ୍କ ସହ ହସ୍ପିଟାଲ ଆସିଥିବା ୪ ବର୍ଷର ଶିଶୁ ନିଖୋଜ ହୋଇଯାଇଛି। ଘଟଣାଟି ଘଟିଛି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ। ଟାଉନ ପୁଲିସ ସହ ବାପାମା ୩ ଘଣ୍ଟା ଧରି ଖୋଜୁଥିଲେ ବି ଶିଶୁର ପତ୍ତା ପାଇ ନାହାନ୍ତି। ଛୁଆକୁ ନପାଇ ମା’ ପାଗଳି ପ୍ରାୟ ହୋଇଗଲେଣି। ସୂଚନା ଅନୁସାରେ, ବନ୍ଧପାଲିର ସୂରଜ ଘାସି ଓ ତାଙ୍କ ପତ୍ନୀ ନିଜ ୪ ବର୍ଷର ଅସୁସ୍ଥ ଶିଶୁକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାସ୍ଥିତ ମା’ ଶିଶୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ମଙ୍ଗଳବାର ସନ୍ଧ୍ୟାରେ ବାପା ସୂରଜ ସହ ଶିଶୁ ଡାକ୍ତରଖାନା ପରିସରସ୍ଥିତ ଆହାର କେନ୍ଦ୍ରକୁ ଖାଇବାକୁ ଯାଇଥିଲେ। ବାପା ଖାଉଥିବା ବେଳେ ଶିଶୁଟି କେନ୍ଦ୍ର ପରିସରରେ ଖେଳୁଥିଲା। ତେବେ ଖାଇ ସାରି ବାପା ହାତ ଧୋଇ ଫେରିଲା ବେଳକୁ ଶିଶୁଟି ସେଠାରେ ନଥିଲା। ମା’ ଓ ଶିଶୁ ହସ୍ପିଟାଲକୁ ଚାଲି ଯାଇଥିବା ଭାବି ସୂରଜ ସେଠାକୁ ଯାଇଥିଲେ ମଧ୍ୟ ଶିଶୁର କୌଣସି ପତ୍ତା ମିଳି ନଥିଲା। ହସ୍ପିଟାଲ ସାରା ଖୋଜିବା ପରେ ବି ସନ୍ଧାନ ନମିଳିବାରୁ ଟାଉନ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଝାଳନାଳ ହୋଇ ସହରର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଶିଶୁର ଖୋଜଖବର ମିଳିନି। ବାପାମା’ ଶିଶୁକୁ ନପାଇ ଆକୁଳ ହୋଇ କାନ୍ଦୁଛନ୍ତି।