ଜଳେଶ୍ୱର: ଜଳେଶ୍ୱର ମ୍ୟୁନିସିପାଲଟି ଅଧୀନ ଶାନ୍ତିଆ ଗାନ୍ଧୀ ସେବାଶ୍ରମ ଓ ଈଶ୍ବରଲାଲ ଶିଶୁ ଭବନରେ ରହି ଶାନ୍ତିଆ ହାଇସ୍କୁଲ୍‌ରେ ପଢ଼ୁଥିବା ଛାତ୍ରୀ ସୁନିତା ଗିରି ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ୮୧ ପ୍ରତିଶତ, ଅର୍ଥାତ୍‌; ୪୮୬ ନମ୍ବର ରଖି ଜିଲ୍ଲାର ୧୧ଟି ଗାନ୍ଧୀ ସେବାଶ୍ରମର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଟପର ହୋଇଛନ୍ତି। ସୁନିତାଙ୍କ ଘର ଜଳେଶ୍ବର ବ୍ଲକ୍‌ ଅଧୀନ ବାଇଗଣବାଡ଼ିଆ ପଞ୍ଚାୟତ କାଳୀକାପୁର ଗାଁ’ରେ। ସେ କିଷାନ ଗିରି ଓ ରିନାରାଣୀ ଗିରିଙ୍କ ବଡ଼ଝିଅ ଅଟନ୍ତି। ସୁନିତାଙ୍କ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ବେଳେ ୧୦ ବର୍ଷ ତଳେ ହଠାତ୍‌ ତାଙ୍କ ବାପା କିଷାନ ଆରପାରିକୁ ଚାଲିଗଲେ। ସ୍ବାମୀଙ୍କ ମୃତ୍ୟୁ ପରେ ମାଆ ରିନାରାଣୀ ୩ ଛୁଆଙ୍କ ଲାଳନପାଳନ କଲେ।

Advertisment

ଦିନମଜୁରିଆ ଭାବେ କାମ କରି ଯାହା ରୋଜଗାର ହେଉଥିଲା, ସେଥିରେ ପରିବାର ପ୍ରତିପୋଷଣ କରୁଥିଲେ। ଏପରି ଅବସ୍ଥାରେ ସୁନିତା ନିଜ ଆଈଙ୍କ ଘରକୁ ପଳାଇଥିଲେ ଏବଂ ସେଠାରେ ରହୁଥିଲେ। ଏହି ସମୟରେ କର୍ତ୍ତୃପକ୍ଷ ସୁନିତାଙ୍କ ବିଷୟରେ ଜାଣିବା ପରେ ତାଙ୍କୁ ଶାନ୍ତିଆ ଗାନ୍ଧୀ ସେବାଶ୍ରମରେ ଭର୍ତ୍ତି କରାଯାଇଥିଲା। ୮ ବର୍ଷ ଧରି ସେଠାରେ ରହି ପାଠ ପଢ଼ିବା ପରେ ସେ ଚଳିତ ବର୍ଷ ଶାନ୍ତିଆ ହାଇସ୍କୁଲ୍‌ର ଛାତ୍ରୀ ଭାବେ ମାଟ୍ରିକ୍‌ ପରୀକ୍ଷା ଦେଇ ସଫଳ ହୋଇଥିଲେ। ଏନେଇ ସୁନିତା କୁହନ୍ତି, ମୁଁ ଦିନକୁ ୧୫ ଘଣ୍ଟା ପରିଶ୍ରମ କରୁଥିଲି। ମୋର ସଫଳତାର ଶ୍ରେୟ ସେବାଶ୍ରମର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷା ତଥା ଅଣଶିକ୍ଷା କର୍ମଚାରୀ ଏବଂ ପଢ଼ୁଥିବା ଶାନ୍ତିଆ ହାଇସ୍କୁଲ୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେବି। ଭବିଷ୍ୟତରେ ପୁଲିସ ବିଭାଗର ଜଣେ ପଦସ୍ଥ ଅଧିକାରୀ ହେବାକୁ ମୋର ସ୍ବପ୍ନ ରହିଛି। ସୂଚନା ଥାଉକି ସୁନିତାଙ୍କ ସାନଭଉଣୀ ମଧ୍ୟ ସେବାଶ୍ରମର ଅନ୍ତେବାସୀ ହୋଇଥିବା ବେଳେ ସେ ଆସନ୍ତା ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବେ।