କୁଆରମୁଣ୍ତା: କୁଆରମୁଣ୍ତା ଫାଣ୍ତି ଅନ୍ତର୍ଗତ ସରଣ୍ତାମାଳର ରାଜେଶ ସୁରିନ(୪୦) ନାମକ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଶନିବାର ଏକ ଆମ୍ବଗଛମୂଳେ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏହା ଅଂଶୁଘାତଜନିତ ବୋଲି ପରିବାର ତଥା ଅଂଚଳବାସୀ ଆଲୋଚନା କରୁଛନ୍ତି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୁଆରମୁଣ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ବରେ ଥିବା ଡା. ସୀମା ତିଗାଙ୍କୁ ରାଜେଶଙ୍କ ମୃତ୍ୟୁର କାରଣ ସମ୍ପର୍କରେ ପଚାରିବାରୁ ଆସନ୍ତାକାଲି ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସଠିକ୍ କାରଣ ଜଣାପଡ଼ିବ ବୋଲି କହିଥିଲେ।
ସୂଚନା ଥାଉକି, ମୃତ ରାଜେଶ ବଣାଇ ତହସିଲର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ। ରଜ ଛୁଟିରେ ସେ ଘରକୁ ଆସିଥିଲେ। ଶନିବାର ସକାଳ ୮ଟା ସମୟରେ ସେ ଘରୁ ବାହାରିଥିଲେ। ଘର ନିକଟ ପ୍ରାୟ ଅଧ କିମି ଦୂରରେ ଥିବା ଏକ ଆମ୍ବଗଛ ମୂଳରେ ଶୋଇଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ମଧ୍ୟାହ୍ନରେ ଦେଖି ଉଠାଇବାକୁ ଚେଷ୍ଟା କରିଥିଲେ। ରାଜେଶ ଆଉ ନିଦରୁ ନ ଉଠିବାରୁ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ପରିବାର ଲୋକେ ସେଠାରେ ପହଞ୍ଚିବା ସହ କୁଆରମୁଣ୍ତା ଫାଣ୍ତିକୁ ଖବର ଦେଇଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଶବଟିକୁ ମର୍ଗ ହାଉସ୍ରେ ରଖିବା ସହ ରବିବାର ବ୍ୟବଚ୍ଛେଦ କରାଯିବ ବୋଲି କହିଛନ୍ତି।