ସମ୍ବଲପୁର: ସମ୍ବଲପୁରୀ ଭାଷାର ବିଶିଷ୍ଟ ସାହିତ୍ୟିକ ତଥା ସଂଗଠକ ଭବାନୀଶଙ୍କର ପ୍ରଧାନ ଆଉ ନାହାନ୍ତି। ଆଜି ଭୋର୍ ୬ଟାରେ ସମ୍ବଲପୁର ଏସ୍ଆର୍ଆଇଟି କଲୋନିସ୍ଥିତ ବାସଭବନରେ ତାଙ୍କ ପରଲୋକ ଘଟିଛି। ସେ ଗତ ପ୍ରାୟ ଏକ ବର୍ଷ ହେବ ଅସୁସ୍ଥ ଥିଲେ। ଗତକାଲି ସ୍ବାଭାବିକ ଭାବେ ରାତ୍ରଭୋଜନ କରିବା ପରେ ଶୋଇବାକୁ ଯାଇଥିଲେ। ହେଲେ, ନିଦରୁ ଆଉ ଉଠି ନଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବହୁ ସାହିତ୍ୟିକ, ସାହିତ୍ୟପ୍ରେମୀ ତଥା ଗଣମାନ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଆଜି ରାଜଘାଟରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ସାନପୁ୍ଅ ଦେବାଶିଷ ମୁଖାଗ୍ନି ଦେଇଥିଲେ। ସେ ତାଙ୍କ ପଛରେ ପତ୍ନୀ ସରୋଜିନୀଙ୍କ ସହିତ ଦୁଇ ପୁଅ ସିଦ୍ଧେଶ୍ବର ଓ ଦେବାଶିଷଙ୍କୁ ଛାଡ଼ିଯାଇଛନ୍ତି।
୨୯ ଜାନୁଆରି ୧୯୪୭ ମସିହାରେ ସମ୍ବଲପୁର ସହର ଉପକଣ୍ଠସ୍ଥ ତକବା ଗ୍ରାମରେ ଭବାନୀଶଙ୍କର ଜନ୍ମ ଗ୍ରହଣ କରିଥିଲେ। ଗଂଗାଧର ମେହେର କଲେଜର ମନୋବିଜ୍ଞାନ ବିଭାଗରେ ଚାକିରି କରି ଅବସର ନେଇଥିଲେ। ଭବାନୀଶଙ୍କର ସ୍କୁଲରେ ଅଧ୍ୟୟନ ସମୟରେ ସେ ଓଡ଼ିଆ ଭାଷାରେ ‘ମେଘନାଦ ବଧ’ ନାଟକ ରଚନା କରିଥିଲେ। ତାଙ୍କ ରଚିତ ଓଡ଼ିଆ ନାଟକ ‘ସୀମାନ୍ତ ସୈନିକ’, ସମ୍ବଲପୁରୀ ନାଟକ ‘ଶିଶି ଆର୍ ଲାଲ୍ ପାଏନ୍’ ବହୁ ଶିକ୍ଷାନୁଷ୍ଠାନ ଓ ନାଟ୍ୟାନୁଷ୍ଠାନ ପକ୍ଷରୁ ମଂଚସ୍ଥ ହୋଇ ପ୍ରଶଂସିତ ହୋଇଥିଲା।
ତାଙ୍କ ଅନ୍ୟ କେତେକ ସାହିତ୍ୟ ସୃଷ୍ଟି ହେଉଛି ସମ୍ବଲପୁରୀ ଉପନ୍ୟାସ ‘ତାନ୍ତ୍ରିକ’, ସମ୍ବଲପୁରୀ ଗଳ୍ପ ପୁସ୍ତକ ‘ପୁତଲି ନାଚ’, ‘ସମ୍ବଲପୁରୀ କଥାନି, ‘ପୁର୍ନାକାଲିଆ ଲୋକ’ ଏବଂ ‘ପବିତ୍ର ସମ୍ବଲପୁରୀ ଭାଗବତ’। ତାଙ୍କ ବିୟୋଗରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶା ତଥା ଓଡ଼ିଶାର ସାହିତ୍ୟିକ ଓ ସାହିତ୍ୟପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଶୋକସଭା ଆୟୋଜନ କରି ଶ୍ରଦ୍ଧାଂଜଳି ଅର୍ପଣ ସହିତ ତାଙ୍କ ଆତ୍ମାର ସଦ୍ଗତି କାମନା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/32-8.jpg)